ଯାଜପୁର/ରଗଡ଼ି: କଳାଧନ ଲୁଚାଇବାର ଅଛି ତ ଜମି କିଣ। ଆଇନର ଫନ୍ଦିଫିକର ଓ ଅର୍ଥନୈତିକ ଅପରାଧରୁ ଖସିଯିବା ପାଇଁ ଏହା ହିଁ ଏକମାତ୍ର ଗଳାବାଟ। ଅନାମଧେୟଙ୍କ ନାମରେ ଏମିତି କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ବିଶେଷ କରି ରାଜନେତାଙ୍କୁ ଏହି ଜମି କିଣା ଉପାୟଟି ବେଶ୍ ସୁହାଉଛି। ନିଜ ନାମରେ ଜମି ନ କିଣି ନିଜର ସଂପର୍କୀୟ, ବିଶ୍ବସ୍ତ କର୍ମଚାରୀ ଓ ଅନୁଗତଙ୍କୁ ଆୟୁଧ କରି କଳାଧନ ପୋତାଯାଉଛି। ଯାଜପୁର ଜିଲ୍ଲାରେ କିଛି ଆଗଧାଡ଼ିର ନେତା ଗତ କିଛି ବର୍ଷରେ ଶହଶହ କୋଟି ଟଙ୍କାର ଜମି କିଣିଛନ୍ତି। ନିଜ ନାମରେ ନ କିଣି କମ୍ପାନି ଓ ଅନୁଗତଙ୍କ ନାମରେ ଏ ସବୂ ଭୂସମ୍ପତ୍ତି କିଣାଯାଇଛି। ବ୍ୟାସନଗର ତହସିଲ ଅଞ୍ଚଳରେ ଏଭଳି ଏକ ବଡ଼ ଜମି ଦୁର୍ନୀତି ସାମନାକୁ ଆସିଛି। ଧର୍ମଶାଳାର ପୂର୍ବତନ ବିଧାୟକଙ୍କ ପରିବାର ୨୦୦୫ ମସିହାରେ ସଂଯୁକ୍ତା ବିଲଡର୍ସର ପରିଚାଳନା ନିର୍ଦ୍ଦେଶକ ମଦନମୋହନ ପଣ୍ଡା, ପିତା ବୃନ୍ଦାବନ ପଣ୍ଡା, ସତ୍ୟନଗର ନାମରେ କେନ୍ଦୁଝର-ଯାଜପୁରରୋଡ୍ ୨୦ ନଂବର ଜାତୀୟ ରାଜପଥ (ଫାୟାର୍ ଷ୍ଟେସନ୍ ଛକ) ପାର୍ଶ୍ବରେ ୧୨.୫୩ ଏକର ମୂଲ୍ୟବାନ ଜମି (୨୬ଟି ପ୍ଲଟ୍) ହାତେଇଛନ୍ତି। ବର୍ତ୍ତମାନର ଆକଳନ ଅନୁସାରେ ଜାତୀୟ ରାଜପଥକୁ ଲାଗି ରହିଥିବା ଏହି ଜମିର ବଜାର ମୂଲ୍ୟ ଶହେ କୋଟିରୁ ଅଧିକ। ଜମି କିଣିଥିବା ସଂଯୁକ୍ତା ବିଲଡର୍ସ ସ୍ବର୍ଗତ କଳ୍ପତରୁ ଦାସଙ୍କ ପରିବାରର ବୋଲି ଜଣାପଡ଼ିଛି। ଏଥିରେ ଅନ୍ୟତମ ନିର୍ଦ୍ଦେଶକ ଭାବେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟ ଓ ତାଙ୍କ ଭାଇ ପ୍ରତାପ ବଳବନ୍ତରାୟ ରହିଛନ୍ତି। ପ୍ରଶ୍ନ ଉଠୁଛି, ସଂଯୁକ୍ତା ବିଲଡର୍ସର ମଦନମୋହନ ପଣ୍ଡା କିଏ? ସେ ଏମିତି କ’ଣ କରନ୍ତି ଯେ ତାଙ୍କ ପାଖରେ ଏତେ ଟଙ୍କାର ଜମି କିଣାବିକା କ୍ଷମତା ରହିଛି।
ନିଜ ନାମରେ ନ ରଖି, ସଂପର୍କୀୟ, ଅନୁଗତଙ୍କ ନାମରେ ଦଲିଲ୍
ସଂଯୁକ୍ତା ବିଲଡର୍ସର ନିର୍ଦ୍ଦେଶକ ଅଛନ୍ତି ପ୍ରଣବ ଓ ପ୍ରତାପ ବଳବନ୍ତରାୟ
ସୂଚନା ଅନୁସାରେ, ୨୦୦୫ରେ ବ୍ୟାସନଗର ତହସିଲ ଅନ୍ତର୍ଗତ ତଳଗଡ଼ ପଞ୍ଚାୟତ ନୟାଗଡ଼ ମୌଜା ଖାତା ନମ୍ବର ୨୭୦/୬୩ରେ ଏହି ଜମି କିଣାଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଖର୍ଦ୍ଦି ହୋଇଥିବା ଜମି ସରକାରୀ ମାଲିକାନା ସ୍ବତ୍ବରେ ରହିଥିଲା। ହେଲେ ଶାଗମାଛ ଦରରେ ଏ ସବୁ ମୂଲ୍ୟବାନ ସରକାରୀ ଜମିର ପଟ୍ଟା କରାଯିବା ସହିତ ରାତାରାତି କିସମ ବଦଳାଇ ଦିଆଯାଇଛି। ଖାଲି ସେତିକି ନୁହେଁ, କ୍ଷମତା ବଳରେ ଜଙ୍ଗଲ, ଝାଟି ଜଙ୍ଗଲ, ଅନାବାଦୀ, ଗୋଚର ଜମିକୁ ମଧ୍ୟ କବଜା କରିନିଆଯାଇଛି। ଏହି ଜମି ଦୁର୍ନୀତିରେ ଡୋଲିପୁର ଉପନିବନ୍ଧକ ଓ ବ୍ୟାସନଗର ତହସିଲର ଅଧିକାରୀ ଏବଂ କର୍ମଚାରୀଙ୍କ ସଂପୃକ୍ତି ଥିବା ନିକଟସ୍ଥ ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି। ତଥ୍ୟ ମୁତାବକ, ସଂଯୁକ୍ତା ବିଲ୍ଡର ନାମରେ ୨୭୦/୬୩ ଖାତା ନମ୍ବରରେ ମୋଟ ୨୬ଟି ପ୍ଲଟ୍ର ୧୨.୫୩ ଏକର ଜମି ରହିଛି। ଏହି ଖାତା ନମ୍ବରରେ ପ୍ଲଟ୍ ନଂ ୬୯୮/୯୮୮, ୬୯୧, ୬୮୮, ୬୮୧, ୬୮୨, ୬୮୩, ୬୮୪, ୬୯୨, ୬୯୩, ୬୯୪, ୬୯୫, ୬୯୬, ୬୯୭, ୭୦୧, ୬୯୦, ୬୮୫, ୬୮୬, ୬୮୭, ୬୯୮, ୬୬୪, ୬୬୫/୧୧୦୯, ୬୭୯, ୬୮୦ ପ୍ଲଟ୍ର କିସମ ବିଆଳି ରହିଥିବାବେଳେ ପ୍ଲଟ୍ ନମ୍ବର ୬୭୨, ୬୭୩, ୬୬୩/୧୦୮ ଘରବାରି କିସମ ରହିଛି।
ଏ ସମ୍ପର୍କରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପଚାରିବାରୁ, ସେ ସଂଯୁକ୍ତା ବିଲ୍ଡରର ଅନ୍ୟତମ ନିର୍ଦ୍ଦେଶକ ଥିବା ସ୍ବୀକାର କରିଛନ୍ତି। ତେବେ ସେ ଏହି ଜମି କିଣିବାବେଳେ ଏହା ଜଙ୍ଗଲ ବା ସରକାରୀ ଜମି ନଥିବା ସଫେଇ ଦେଇଛନ୍ତି। ଏପରିକି ୧୦ ବର୍ଷ ତଳେ ଜାତୀୟ ରାଜପଥ ନିର୍ମାଣବେଳେ ତାଙ୍କର ଯାଇଥିବା ଜମି ବାବଦକୁ ସେ କ୍ଷତିପୂରଣ ପାଇଛନ୍ତି। ଅନ୍ୟପକ୍ଷରେ ବ୍ୟାସନଗର ତହସିଲଦାରଙ୍କ କହିବା କଥା, କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଜମିର କିସମ ବଦଳାଯାଇପାରିବ। ଯେମିତିକି ବିଦ୍ୟାଳୟ, ଡାକ୍ତରଖାନା, ଅଙ୍ଗନବାଡ଼ି, ଜରୁରୀ ସେବା ଯଥା ଜଳଯୋଗାଣ ପ୍ରକଳ୍ପ, ଜଳସେଚନ ପାଇଁ କେନାଲ୍ ନିର୍ମାଣ ଓ ରାସ୍ତାଘାଟ ଆବଶ୍ୟକ ଥିଲେ ଜଙ୍ଗଲ ଜମିର କିସମ ବଦଳା ଯାଇପାରିବ। ତେବେ ଏହି ଜମିର କିସମ ବଦଳିଛି କି ନାହିଁ ତଦନ୍ତ କରାଗଲେ ଜଣାପଡ଼ିବ ବୋଲି ତହସିଲଦାର କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା, ଏ ସମସ୍ତ ଜମିର ପୂର୍ବ କିସମ ଝାଟି ଜଙ୍ଗଲ, ଅନାବାଦୀ ଥିବାବେଳେ ଏହାର କିସମ ବଦଳାଯାଇ ଜମିର ବିକ୍ରି-ଖର୍ଦ୍ଦି କରାଯାଇଛି। ଏ ସଂକ୍ରାନ୍ତରେ ପ୍ରଶାସନ ପାଖରେ ପୂର୍ବରୁ ସୂଚନା ଥିଲେ ବି ରାଜନୈତିକ ଚାପ ଯୋଗୁଁ ଏହି ଜମି ଦୁର୍ନୀତିର ତଦନ୍ତ କରାଯାଇନାହିଁ।