ଦିନରେ ବାହାଘର; ରାତିରେ କନିଆ ଫେରାର, ବର ଥାନାର ଦ୍ୱାରସ୍ଥ
ମଣ୍ତଲ : ଦିନରେ ବାହାଘର ସରିବା ପରେ ବରକନିଆ ଘରକୁ ଫେରିଥିଲେ। ହେଲେ ରାତିରେ ହିଁ ବରକୁ ଛାଡ଼ି କନିଆ କେଉଁଆଡ଼େ ଫେରାର ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ମଣ୍ତଲ ଗାଁରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ମଣ୍ତଲ ଗାଁର ରେବତ ମହାନନ୍ଦଙ୍କ ସହ ବେଲପଡ଼ା ଥାନା ମାଲପଡ଼ା ଗାଁର ଟୁନୁ ଦୀପଙ୍କ ଝିଅ ସଞ୍ଜୁଙ୍କ ବାହାଘର ହୋଇଥିଲା। ରୀତିନୀତି ଆନୁସାରେ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ମାଲପଡ଼ା ଗାଁରେ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ବାହାଘର ପରେ ବରବଧୂ ସମସ୍ତେ ଘରକୁ ଫେରିଥିଲେ। ରାତିରେ ସମସ୍ତେ ଶୋଇଥିଲେ। ମାତ୍ର ଶନିବାର ଭୋର୍ ୪ଟା ସମୟରେ ନବବଧୂ ଘରେ ନଥିବା ପରିବାର ଲୋକେ ଜାଣି ପାରିଥିଲେ। ସବୁଆଡ଼େ ଖୋଜାଖୋଜି କରିବା ପରେ ବି ପାଇନଥିଲେ। ଶେଷରେ ବର ରେବତ ମହାନନ୍ଦ ବେଲପଡ଼ା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ସଞ୍ଜୁ ଘରୁ ଯିବା ବେଳେ ସମସ୍ତ ଅଳଙ୍କାର ପିନ୍ଧିଥିବା ରେବତ ଏତଲାରେ ଦର୍ଶାଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।