ନୂତନ ଗାଣିତିକ ସୂତ୍ର ପ୍ରଦର୍ଶନ କଲେ ବ୍ରହ୍ମଚାରୀ ବିଶ୍ବମ୍ବର ଦାସ ମହାରାଜ

ଭଣ୍ଡାରିପୋଖରୀ/ମଞ୍ଜୁରୀରୋଡ୍‌ : ଭଣ୍ତାରିପୋଖରୀ ବ୍ଲକ୍‌ର ରାଜେନ୍ଦ୍ରପୁର ପଞ୍ଚାୟତ ଥଇଳା ବ୍ରହ୍ମ ଅବଧୂତ ଶ୍ରୀଶ୍ରୀ ଦୟାନିଧି ପରମହଂସ ଦେବ ଦୟାଜ୍ୟୋତି ଆଶ୍ରମର ବ୍ରହ୍ମଚାରୀ ବିଶ୍ବମ୍ବର ଦାସ ମହାରାଜ ରବିବାର ନୂତନ ଗାଣିତିକ ସୂତ୍ର ପ୍ରଦର୍ଶନ କରିଛନ୍ତି। ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ଡିଗ୍ରିଧାରୀ ଦାସ ମହାରାଜ ଆବିଷ୍କାର କରିଥିବା ‘ଶେଷକ ଭଗ୍ନାଂଶ’ ଶୀର୍ଷକ ୧୭ ଅଧ୍ୟାୟରେ ମୋଟ ୬୫୦ ସରଳ ବୀଜଗାଣିତିକ ସୂତ୍ର ମଧ୍ୟରୁ ମାଧ୍ୟମିକସ୍ତରରେ ସୂତ୍ରଗୁଡ଼ିକର ପ୍ରୟୋଗ, ଉପଯୋଗିତା ଆଦି ସମ୍ପର୍କରେ ଆଶ୍ରମ ପରିସରରେ ଗଣିତ ବିଶାରଦମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ନୂତନ ସରଳ ଗାଣିତିକ ସୂତ୍ର ସମ୍ପର୍କରେ ଜ୍ଞାତ ହେବା ପାଇଁ ଆଜି ଆଶ୍ରମରେ ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟ ଗଣିତ ପ୍ରାଧ୍ୟାପକ ଡ. ରବିନାରାୟଣ ଚୌଧୁରୀ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନମାଳୀ ତରାଇ, ନାଆମୀ କଲେଜ ଗଣିତ ଅଧ୍ୟାପକ ଚିନ୍ତାମଣି ମହାକୁଡ଼, ଆଖଣ୍ତଳମଣି କଲେଜ ଗଣିତ ଅଧ୍ୟାପକ ଅନିରୁଦ୍ଧ ନାୟକ, ଦେଓପଦା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ସୁରେଶ କୁମାର ସାହୁ ଓ ଶ୍ୟାମସୁନ୍ଦର ସାହୁ, ଯାଜପୁର ନନ୍ଦିପଦା ଦଧିବାମନ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପଲାଇ, ଯଇଁତିରା ସ୍ବାମୀ ବିବକୋନନ୍ଦ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତାଷ କୁମାର ସାହୁ, ବଲାଙ୍ଗୀର କଳିପଡା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ହେମନ୍ତ କୁମାର ବାରିକ, ବିଶୋଳ-କୁଲଣା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତି, ବନ୍ତ ସିମିଳିଆ ହାଇସ୍କୁଲ ବିଜ୍ଞାନ ଶିକ୍ଷକ ତ୍ରିଲୋଚନ ପଣ୍ତା, ମଞ୍ଜୁରୀରୋଡ୍‌ ଜିପିୟୁ ହାଇସ୍କୁଲ ଶିକ୍ଷକ ଶ୍ରୀବତ୍ସ ଖଡ଼ିରତ୍ନ ଓ କୁଳମଣି ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ନୂତନ ଗାଣିତିକ ସୂତ୍ରଗୁଡ଼ିକୁ ବିଶେଷଜ୍ଞ ଶିକ୍ଷକମାନେ ବୁଝିବା ସହ ଅନୁମୋଦନ କରିଥିଲେ। ଏହାର ବ୍ୟାପକ ପ୍ରଚାର ପ୍ରସାର ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ରାଉରକେଲା, କିଟ୍‌ ପରିସର ଓ କୋରାପୁଟ ଆଦି ସ୍ଥାନରେ ସେମିନାର ଅନୁଷ୍ଠିତ ହେବ ବୋଲି ବାବା ବିଶ୍ବମ୍ବର ଦାସ ମହାରାଜ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର