ପିସିସିର ନୂଆ ମିଡିଆ କମିଟି ଗଠନ ପାଇଁ ଏଆଇସିସିକୁ ପ୍ରସ୍ତାବ

ମିଡିଆ କମିଟିର ଅଧ୍ୟକ୍ଷ ହେବେ ପଞ୍ଚାନନ କାନୁନଗୋ, ପୂର୍ବତନ କମିଟି ଅଧ୍ୟକ୍ଷ ସତ୍ୟ ନାୟକ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମିଟିର ମିଡିଆ ସେଲ୍‌ ଅଧ୍ୟକ୍ଷ ହେବେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ। ପିସିସି ମିଡିଆ କମିଟି ଗଠନ ପାଇଁ ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କୁ ଚିଠି ଲେଖି ପ୍ରସ୍ତାବ ପଠାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଯାହାକୁ ନେଇ ପୂର୍ବତନ ମିଡିଆ କମିଟି ସତ୍ୟ ପ୍ରକାଶ ନାୟକ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ଏ ନେଇ ଶ୍ରୀ ନାୟକ ଦଳରୁ ଇସ୍ତଫା ଦେଇଥିବା ନେଇ ଆଜି ସକାଳେ ଖବର ପ୍ରଚାର ହେଲା। କିନ୍ତୁ ଶ୍ରୀ ନାୟକ ଏହା ଗୁଜବ ବୋଲି କହିଥିଲେ।

୬ ଜଣ ମୁଖପାତ୍ର, ୧୦ ଜଣ ଟିଭି ପାନେଲିଷ୍ଟ ପାଇଁ ସୁପାରିସ୍‌

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରସ୍ତୁତ କରିଥିବା ତାଲିକା ଅନୁଯାୟୀ ମିଡିଆ କମିଟିର ଆବାହକ ଭାବେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କାର୍ଯ୍ୟ କରିବେ। କମିଟିର ରିସୋର୍ସ ପର୍ସନ ଭାବେବିଦାୟୀ ମିଡିଆ ସେଲ ମୁଖ୍ୟ ସତ୍ୟ ପ୍ରକାଶ ନାୟକଙ୍କ ସମେତ ୮ ଜଣଙ୍କୁ ବଛାଯାଇଛି। ଅନ୍ୟମାନେ ‌ହେଲେ; ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଜ୍ଞାନେନ୍ଦ୍ର ବେଉରା ଓ ପୂର୍ବତନ ବିଧାୟକ ଯଜ୍ଞେଶ୍ବର ବାବୁ। ସେହିପରି ଦଳର ମୁଖପାତ୍ର ଭାବେ ମନୋଜ ମହାପାତ୍ର, ପ୍ରଦୀପ ଦେବତା, ସ୍ମୃତିରେଖା ପହି, ବିନାୟକ ଦାସମହାପାତ୍ର, ପ୍ରଶାନ୍ତ ଶତପଥୀ ଓ ସୁଧୀର ଦାସ କାର୍ଯ୍ୟ କରିବେ। ସେହିପରି ଟିଭି ପାନେଲିଷ୍ଟ ଭାବେ ୧୦ ଜଣ ନେତାଙ୍କୁ ପିସିସି ସଭାପତି ମନୋନୀତ କରିଛନ୍ତି। ସେମାନେ ହେଲେ କଂଗ୍ରେସ ନେତା ହମିଦ୍‌ ହୁସେନ୍‌, ନିଶିକାନ୍ତ ମିଶ୍ର, ଏଆଇସିସି ସଦସ୍ୟ ମାନସ ତ୍ରିପାଠୀ, ଅମିୟ ପାଣ୍ଡବ, ନିରଦ ବରଣ ଖୁଣ୍ଟିଆ, ପଦ୍ମାକର ଗୁରୁ, ଶୁଭଶ୍ରୀ ପଣ୍ଡା, ନରେଶ ମହାନ୍ତି, ମନୋରଞ୍ଜନ ଦାଶ ଓ ରଜନୀ ମହାନ୍ତି। ମିଡିଆ କମିଟିର ସଂଯୋଜକ ଭାବେ ଦୀପକ ମହାପାତ୍ର କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର