ସମ୍ବଲପୁର : ସୁନ୍ଦରଗଡ଼ରେ ହେବ ନୂତନ ମେଡିକାଲ କଲେଜ। ସେହିପରି ଗତ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ମେଡିକାଲ କଲେଜଗୁଡ଼ିକ ମଧ୍ୟରୁ ପୁରୀ ଓ ତାଳଚେର ମେଡିକାଲ କଲେଜ ମଧ୍ୟ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ। ରବିବାର ଜିଏମ୍ୟୁର ୭୫ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏଭଳି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ପଲିସି ଭିଜନ୍ ୨୦୨୫କୁ ଆଖି ଆଗରେ ରଖି ବିଭିନ୍ନ ଅଞ୍ଚଳରେ ମେଡିକାଲ କଲେଜ ପ୍ରତିଷ୍ଠାକୁ ଗୁରୁତ୍ବ ଦିଆଯାଉଛି। ବିଶେଷକରି କେବିକେ ଅଞ୍ଚଳରେ ଅଧିକ ଦରମା ଓ ଇନ୍ସେନ୍ଟିଭ୍ ପ୍ରଦାନ କରାଯିବା ସତ୍ତ୍ବେ ଡାକ୍ତର ରହିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏହି ସମସ୍ୟାର ଦୂରୀକରଣ ନିମନ୍ତେ ଅଧିକରୁ ଅଧିକ ମେଡିକାଲ କଲେଜ ସ୍ଥାପନ କରାଯିବାର ଆବଶ୍ୟକତା ରହିଛି। ଆଗାମୀ ୨ ବର୍ଷ ସୁଦ୍ଧା ରାଜ୍ୟର ବିଭିନ୍ନ ମେଡିକାଲ କଲେଜରୁ ଅନ୍ୟୁନ ୩ ହଜାର ଡାକ୍ତର ବାହାରିବେ ଫଳରେ ଡାକ୍ତର ସମସ୍ୟା ଦୂର ହୋଇ ଡାକ୍ତର ବଳକା ପଡ଼ିବେ। ଆଗାମୀ ୨ ବର୍ଷ ମଧ୍ୟରେ ରାଜ୍ୟରେ ସ୍ବାସ୍ଥ୍ୟସେବାର ସ୍ଥିତି ବଦଳିବ। ଶତ ପ୍ରତିଶତ ସମସ୍ୟା ଦୂର ହୋଇନପାରିଲେ ମଧ୍ୟ ଅନ୍ତତଃ ୩୦-୫୦ ପ୍ରତିଶତ ସମସ୍ୟାର ସମାଧାନ ନିଶ୍ଚିତ ହୋଇପାରିବ। ଏହାବାଦ୍ ଯେଭଳି ଭାବେ ଡାକ୍ତର ପାଠ ପଢ଼ି ସାରିବା ପରେ ରାଜ୍ୟ ଏବଂ ଅଞ୍ଚଳ ପାଇଁ ହିଁ କାର୍ଯ୍ୟ କରିବେ ସେଦିଗରେ ଡାକ୍ତରୀ ପାଠ୍ୟକ୍ରମ ଓ ନିଯୁକ୍ତି ସମ୍ପର୍କରେ ସରକାର ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି। ଫଳରେ ଯେଉଁ ମେଡିକାଲ କଲେଜରୁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ ସେମାନେ ଉକ୍ତ ଅଞ୍ଚଳରେ ହିଁ ରୋଗୀ ସେବା କରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ଭିମ୍ସାରରୁ ୪୦ ଭେଣ୍ଟିଲେଟର ଫେରିଯିବା ଘଟଣା : ‘ଡିଏମ୍ଇଟିଙ୍କ ରିପୋର୍ଟର ତର୍ଜମା ଚାଲିଛି’
ବୁର୍ଲା ବଡ଼ ମେଡିକାଲରୁ ୪୦ଟି ଭେଣ୍ଟିଲେଟର ଫେରିଯିବା ଘଟଣାରେ ଡିଏମ୍ଇଟି( ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିର୍ଦେଶାଳୟ) ନିର୍ଦେଶକ ଡା.ସୁନାମାଳୀ ବାଗ ଆସି ତଦନ୍ତ କରି ଯିବା ଘଟଣାକୁ ୧୫ ଦିନ ବିତିଲାଣି। ମାତ୍ର ସ୍ବାସ୍ଥ୍ୟ ବିଭାଗ ଅଦ୍ୟାବଧି ଏହି ଘଟଣାରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ରବିବାର ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସମ୍ବଲପୁର ଗସ୍ତ ସମୟରେ ତାଙ୍କୁ ଏ ନେଇ ପଚରାଯିବାରେ ଡିଏମ୍ଇଟିଙ୍କ ରିପୋର୍ଟକୁ ସ୍ବାସ୍ଥ୍ୟ ବିଭାଗ ତର୍ଜମା କରୁଛି। ବିଶ୍ଳେଷଣ ପରେ କାହାର ଭୁଲ ଥିଲା ଓ କେଉଁ ପରିସ୍ଥିତିରେ ଭେଣ୍ଟିଲେଟର ଫେରିଲା ତାହା ଅନୁଧ୍ୟାନ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ। ଆସନ୍ତା ୧୦ ତାରିଖରେ ମନ୍ତ୍ରୀ ଶ୍ରୀ ଦାସ ବୁର୍ଲା ମେଡିକାଲ ପରିଦର୍ଶନ କରି ବିଭିନ୍ନ ସ୍ଥିତିର ସମୀକ୍ଷା କରିବେ। ଏହି ସମୟରେ ସେ ମେଡିକାଲ କର୍ତ୍ତୃପକ୍ଷ ଓ ବିଭିନ୍ନ ସଂଗଠନଙ୍କ ସହ ଆଲୋଚନା କରି ଭିମ୍ସାର ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେବେ ବୋଲି ଜଣାପଡ଼ିଛି। ଏହି ସମୟରେ ବୁର୍ଲା ମେଡିକାଲର ଭବିଷ୍ୟତ ଦିଗରେ କିଛି ନୂତନ ଘୋଷଣା ମଧ୍ୟ ହେବାର ସମ୍ଭାବନା ରହିଛି।