ଭୁବନେଶ୍ବର: ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ମେଡିକାଲ କଲେଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଆଧାରରେ ଚଳିତବର୍ଷ ଭଦ୍ରକ, ଜଗତସିଂହପୁର, ନବରଙ୍ଗପୁର, ଢେଙ୍କାନାଳରେ ଏମ୍ବିବିଏସ୍ ପାଠ୍ୟକ୍ରମ ପାଇଁ ମେଡିକାଲ କଲେଜ କାମ ଆରମ୍ଭ ହେବ। ସେହିପରି ବୁର୍ଲା, ବ୍ରହ୍ମପୁର, କେନ୍ଦୁଝରରେ ବିଡିଏସ୍ ପାଠ୍ୟକ୍ରମ ପାଇଁ ଡେଣ୍ଟାଲ୍ କଲେଜ, ରାଇରଙ୍ଗପୁରରେ ଆୟୁର୍ବେଦିକ ମେଡିକାଲ କଲେଜ ନିର୍ମାଣ କାମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଆଜି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଧେୟକ ଆଲୋଚନାର ଉତ୍ତର ରଖିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ବିରୋଧୀ ଦଳର ବିଧାୟକ ବଜେଟ୍କୁ ବଡ଼ଧରଣର ବିରୋଧ କରିନାହାନ୍ତି। ଯେତିକି ବିରୋଧ କରିଛନ୍ତି ସେଥିରେ କମ୍ ତଥ୍ୟ ଥିବାବେଳେ ରାଜନୀତି ଅଧିକ ଥିଲା। ତଥାପି ମୁଁ ସେମାନଙ୍କ ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରୁଛି। ୨୦୨୪-୨୫ ବର୍ଷର ବଜେଟ୍ ଆମ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ନଥିଲା। ବଜେଟ୍ ପ୍ରସ୍ତୁତି ଓ ଏହାର କାର୍ଯ୍ୟାନ୍ବୟନ ପାଇଁ ଆମକୁ ୮ମାସ ସମୟ ମିଳିଥିଲା। କିନ୍ତୁ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ କେବଳ ଏକ ଆର୍ଥିକ ବର୍ଷ ପାଇଁ ଆୟ-ବ୍ୟୟର ହିସାବ ନୁହେଁ, ଏହା ଓଡ଼ିଶାକୁ ବିକାଶର ରାଜରାସ୍ତାରେ ଦ୍ରୁତ ଗତିରେ ଦଉଡ଼ାଇବା ପାଇଁ ଏକ ସୁଚିନ୍ତିତ ରୋଡ୍ମ୍ୟାପ୍।
କେବଳ ମହିଳାଙ୍କ ପାଇଁ ~୭୧୫୫୮କୋଟି
ଭଦ୍ରକ, ଜଗତସିଂହପୁର, ନବରଙ୍ଗପୁର, ଢେଙ୍କାନାଳରେ ଏମ୍ବିବିଏସ୍ କଲେଜ
ବୁର୍ଲା, ବ୍ରହ୍ମପୁର, କେନ୍ଦୁଝରରେ ଡେଣ୍ଟାଲ୍, ରାଇରଙ୍ଗପୁରରେ ଆୟୁର୍ବେଦିକ କଲେଜ
ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ବଜେଟ୍ରେ କୃଷି ଓ ଏହାର ଆନୁଷଙ୍ଗିକ କ୍ଷେତ୍ରକୁ ଅଧିକ ଅର୍ଥ ଦେଇଛୁ। ଗୃହରେ ଏବେ ବସିଥିବା ବିଧାୟକଙ୍କ ମଧ୍ୟରୁ ଅନେକ ଧାନର ଏମ୍ଏସ୍ପି ୨୯୫୦ ଟଙ୍କା କରିବାକୁ ସର୍ବସମ୍ମତିରେ ନିଷ୍ପତ୍ତି ନେଇଥିଲେ। ହେଲେ ଚାଷୀଙ୍କୁ ୧୦୦ ଟଙ୍କାର ବୋନସ୍ ଦେଇପାରିଲେନି। ଆମେ ୮୦୦ ଟଙ୍କା ଦେଲୁ। ଚାଷୀ ଧାନ କ୍ବିଣ୍ଟାଲ୍ ୩୧୦୦ ଟଙ୍କାରେ ବିକିଲା। ତୁମ ମୁଖିଆଙ୍କୁ ଯାଇ ପଚାର ଆମେ ୧୦୦ ଟଙ୍କା ଦେଇପାରିଲୁନି, ସେମାନେ କେମିତି ୮୦୦ ଟଙ୍କା ଦେଲେ? ତୁମେ ଯଦି ୧୦୦ ଟଙ୍କା ସେତେବେଳେ ଦେଇଥାନ୍ତ ବହୁ ଚାଷୀ ଉପକୃତ ହୋଇଥାନ୍ତେ। ବଜେଟ୍ ଅର୍ଥ ଖର୍ଚ୍ଚ କରିପାରୁନ ବୋଲି କହୁଛ, ହେଲେ ଆମେ ବର୍ତ୍ତମାନ ସୁଦ୍ଧା ୨୦୨୩-୨୪ ତୁଳନାରେ ୧୬ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଛୁ। ମୋଟ୍ ବଜେଟ୍ର ୭୮% ଖର୍ଚ୍ଚ ହୋଇଛି। ଆଉ ତିନି ଦିନ ବାକି ଅଛି। ଏଥିେର ଏହା ୮୦ରୁ ୮୧%ରେ ପହଞ୍ଚିଯିବ। ଆମର ଋଣ ଭାର ନିୟନ୍ତ୍ରଣରେ ଅଛି। ବିରୋଧୀ ଏନେଇ ଚିନ୍ତା କରିବା ଆବଶ୍ୟକ ନାହିଁ। ବଜେଟ୍କୁ ଆମେ ସୂଚାରୁରୂପେ ଖର୍ଚ୍ଚ କରିବୁ। ଦୁର୍ନୀତିର କଳାଛାୟା ଏହା ଉପରେ ପଡ଼ିବାକୁ ଦେବୁନି। ଯିଏ ଦୁର୍ନୀତି କରିବ, ସିଏ ଫଳ ଭୋଗିବ।
ବିରୋଧୀଙ୍କୁ ଟାର୍ଗେଟ୍ କରି ଶ୍ରୀ ମାଝୀ କହିଥିଲେ, ତୁମେ ଆଦିବାସୀଙ୍କ ବିରୋଧୀ ଥିଲ। ବର୍ଷକୁ ଦୁଇଥର ଜନଜାତି ଉପଦେଷ୍ଟା ପରିଷଦ (ଟିଏସି) ବୈଠକ ବସିବାର ନିୟମ ଥିବାବେଳେ ୧୦ ବର୍ଷରେ ମାତ୍ର ୩ ଥର ବସିଥିଲା। ଏଥିରେ ତୁମେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକିବାକୁ ମସୁଧା କରିଦେଲ। କିନ୍ତୁ ଆମ ସରକାର ଆସିବା ପରେ ପ୍ରଥମ ବୈଠକ ବସି ସାରିଲାଣି। ଦେଖ ଆମେ କେତେ ଥର ବୈଠକ କରୁଛୁ ଏବଂ ଆଦିବାସୀଙ୍କ କଲ୍ୟାଣ ପାଇଁ କ’ଣ କରୁଛୁ।
ଆମ ସରକାର କେବଳ କୃଷି ଅର୍ଥନୀତି ନୁହେଁ, ମିଶ୍ରିତ ଅର୍ଥନୀତିକୁ ଫୋକସ୍ କରୁଛି। ଏଥିପାଇଁ କୃଷି ସହ ଶିଳ୍ପ, ସେବା କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଓ ନିଯୁକ୍ତି ଯୋଜନା କରିଛୁ। ଶିକ୍ଷା କ୍ଷେତ୍ରରେ ସବୁଠୁ ଅଧିକ ୩୧ହଜାର କୋଟିର ଅର୍ଥ ପ୍ରଦାନ କରାଯାଇଛି। ଯାହା ପୂର୍ବ ବର୍ଷ ତୁଳନାରେ ୧୮% ଅଧିକ। ଶିକ୍ଷକ ପଦବି ପୂରଣ କରିବା ସହ ସ୍କୁଲର ଭିତ୍ତିଭୂମି ସୁଦୃଢ଼ କରିବୁ। ପାନୀୟ ଜଳଯୋଗାଣ ସମସ୍ୟା ଦୂର କରିବା ପାଇଁ ଚଳିତ ବର୍ଷ ୯୦% ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ବଜେଟ୍ରେ ମହିଳା ସଶକ୍ତୀକରଣ, ମହିଳାଙ୍କ ସୁରକ୍ଷା ପାଇଁ ରେକର୍ଡ ୭୧୫୫୮ କୋଟି ଟଙ୍କା ଖର୍ଚ୍ଚ କରିବୁ। ଯେଉଁମାନେ ମହିଳା ନିର୍ଯାତନା ବାବଦରେ ଆଲୋଚନା କରୁଛନ୍ତି ସେମାନେ ଆସନ୍ତୁ ତଥ୍ୟଭିତ୍ତିକ ଆଲୋଚନା କରିବା। ବିରୋଧୀ ଜାଣିଛନ୍ତି ସବୁ ଦୋଷ ତାଙ୍କ ଆଡ଼କୁ ଯିବ। ‘ଅଗର୍ ବାତ୍ ନିକଲେଗି ତୋ ବହତ୍ ଦୂର୍ ତକ୍ ଜାଏଗୀ’।