ବୃକ୍ଷ‌ରୋପଣରେ ‘ସମ୍ବାଦ ସାହିତ୍ୟଘର’ର ନୂଆ ମାଇଲଖୁଣ୍ଟ: ଲାଗିଲା ଲକ୍ଷେ ୧୬ ହଜାର ଚାରା

ଭୁବନେଶ୍ବର : ଓଡ଼ିଶାକୁ ସବୁଜିମାପୂର୍ଣ୍ଣ କରିବାର ସଂକଳ୍ପ ନେଇ ଗତ ବିଶ୍ବ ପରିବେଶ ଦିବସଠାରୁ ଆରମ୍ଭ ହୋଇଥିବା ‘ସମ୍ବାଦ ସାହିତ୍ୟଘର’ର ଚଳିତ ବର୍ଷର ବୃକ୍ଷରୋପଣ ଅଭିଯାନ ଗୁରୁବାର ଦିନ ଯୁବ ସ୍ବାଭିମାନ ଦିବସ ଅବସରରେ ଉଦ୍‌ଯାପିତ ହୋଇଯାଇଛି। ଗୁରୁବାର ଦିନ ଅନ୍ତିମ ଦିବସରେ କଟକ ନରଣପୁରସ୍ଥିତ କେଏମ୍‌ବିବି କଲେଜ ୨୦୦ରୁ ଊର୍ଧ୍ବ ଓ ବାଲିକୁଦାଠାରେ ୭୦ରୁ ଊର୍ଧ୍ବ ଚାରା ଲଗାଯିବା ସହ ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଥିଲା। ସାରା ରାଜ୍ୟରେ ଗୁରୁବାର ଦିନ ୧୨ ହଜାରରୁ ଅଧିକ ଚାରାରୋପଣ ହୋଇଛି। ଏଥିସହିତ ଆଜିକୁ ମିଶାଇ ଚଳିତ ବର୍ଷ ଏହି ଅଭିଯାନରେ ରାଜ୍ୟବ୍ୟାପୀ ୧ଲକ୍ଷ ୧୫ ହଜାରରୁ ଊର୍ଧ୍ବ ବିଭିନ୍ନ ପ୍ରକାର ଚାରା‌ରୋପଣ କରାଯାଇଛି। ଏହାବ୍ୟତୀତ, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ମଧ୍ୟ ବ୍ୟାପକ ବୃକ୍ଷରୋପଣ କରାଯାଇଛି।

‘ସମ୍ବାଦ’ର ସମ୍ବଲପୁର ସଂସ୍କରଣର ୯ଟି ଜିଲ୍ଲାରେ ମୋଟ ୨୧ହଜାର ୨୬୧ ଚାରା‌ରୋପଣ କରାଯାଇଥିବା ବେଳେ ରାଉରକେଲା ସଂସ୍କରଣର ସୁନ୍ଦରଗଡ଼ ଜିଲ୍ଲାରେ ୭୬୦୫, ଅନୁଗୁଳ ଓ ଢେଙ୍କାନାଳରେ ୪୪୦୦, ବାଲେଶ୍ବର ସଂସ୍କରଣର ୩ ଜିଲ୍ଲାରେ ୨୯ ହଜାର ୫୮୩, ଜୟପୁର ସଂସ୍କରଣର ୪ ଜିଲ୍ଲାରେ ୧୧ ହଜାର ୩୩୩, କଟକ ସଂସ୍କରଣର ୩ ଜିଲ୍ଲାରେ ୯୫୭୯, ଯାଜପୁର ଓ କେନ୍ଦୁଝରରେ ୧୨ହଜାର ୪୨୨ ଓ ବ୍ରହ୍ମପୁର ସଂସ୍କରଣରେ ୯୯୦୬ ଚାରାରୋପଣ କରାଯାଇଛି। ସେହିପରି ଖୋର୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାକୁ ନେଇ ଗଠିତ ଭୁବନେଶ୍ବର ଗ୍ରାମାଞ୍ଚଳ ସଂସ୍କରଣ ଓ ଭୁବନେଶ୍ବର ମହାନଗରରେ ୯୭୦୬ଟି ଚାରାରୋପଣ କରାଯାଇଛି।

ସୂଚନାଯୋଗ୍ୟ, ଏବେ ସାରା ବିଶ୍ବ ଏକ ଘୋର୍‌ ପରିବେଶ ସଂକଟ ଦେଇ ଗତି କରୁଛି। ବିଶ୍ବତାପନ ଯୋଗୁଁ ସମୁଦ୍ରର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବ୍ରିଟେନ୍‌ ଭଳି ଦେଶରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବା, ମୌସୁମୀର ଅନିୟମିତତା, ବନ୍ୟା, ବାତ୍ୟା, ମରୁଡ଼ି, ଆଦି ପୂରା ପ୍ରାଣୀଜଗତ ପାଇଁ ଏକ ସତର୍କ ଘଣ୍ଟି। ଏସବୁ ସଂକଟରୁ ରକ୍ଷା ପାଇବା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ଉପାୟ ବୋଲି ପରିବେଶବିତ୍‌ମାନେ ମତ ଦିଅନ୍ତି। ତେଣୁ ଗଛ ଲଗାଇବାକୁ ଏକ ସଂକଳ୍ପ ଭାବେ ନେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଆରମ୍ଭ ହୋଇଥିବା ବୃକ୍ଷରୋପଣ ଅଭିଯାନ ଚଳିତଥର ଚତୁର୍ଥ ବର୍ଷରେ ପଦାର୍ପଣ କରିଛି। ଗତ ୩ ବର୍ଷରେ ୧ ଲକ୍ଷ ୧୩ ହଜାର ଚାରାରୋପଣ କରାଯାଇଥିବା ବେଳେ କେବଳ ଚଳିତବର୍ଷ ଏହାଠାରୁ ଅଧିକ ଚାରା ଲଗାଯାଇଥିବା ଜଣାଯାଇଛି। ଚଳିତବର୍ଷର ଏହି ନୂଆ ମାଇଲ୍‌ଖୁଣ୍ଟ ସ୍ଥାପନ ପାଇଁ ଶ୍ରୀ ପଟ୍ଟନାୟକ ଓ ‘ସମ୍ବାଦ ସାହିତ୍ୟଘର’ର ସଂଯୋଜିକା ଶୁଭଶ୍ରୀ ଲେଙ୍କା ସମସ୍ତ ଶୁଭେଚ୍ଛୁ, ସ୍ବେଚ୍ଛାସେବୀ ଓ ସହଯୋଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର