ଭୁବନେଶ୍ୱର: ଆସନ୍ତାକାଲି ସକାଳ ୯ଟା ୫୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ନେବେ ନୂଆ ମନ୍ତ୍ରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି ହୋଇଛି। ତେବେ ନୂଆ ମନ୍ତ୍ରୀମାନଙ୍କ ନାମ ଏଯାଏ ସ୍ପଷ୍ଟ ହୋଇନାହିଁ।

Advertisment

ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡ଼ିଛି। ଏପର୍ଯ୍ୟନ୍ତ କାହାକୁ ବି ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌ ଯାଇନଥିବା ଜଣାପଡ଼ିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଦିନକ ପୂର୍ବରୁ ଅର୍ଥାତ୍ ରବିବାର ରାତି ୮ଟାରେ ହରିଆନାରୁ ଫେରୁଛନ୍ତି। ସୋମବାର ପୂର୍ବାହ୍ନରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ସଂସଦୀୟ ବ୍ୟାପାର ବିଭାଗ ସୂତ୍ରରୁ ଜଣାପଡ଼ିଛି। କିଛି ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ ମଧ୍ୟ ହୋଇପାରେ।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା‌ ଦେଇଥିବା ବେଳେ ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି। ତେଣୁ ୩ଜଣ ମନ୍ତ୍ରିମଣ୍ଡଳରେ ସାମିଲ୍‌ ହୋଇପାରିବେ। ପରବର୍ତ୍ତୀ ସମୟରେ ନୂଆ ବାଚସ୍ପତି ଚୟନ ହେବେ। କାହା ଉପରେ ମୁଖ୍ୟମନ୍ତ୍ରୀ ସୁନା କଳସ ଢାଳିବେ, ତାହାକୁ ନେଇଜୋର୍‌ଦାର ଅଙ୍କକଷା ଚାଲିଛି। ମନ୍ତ୍ରୀ ପଦ ଏକ ବର୍ଷରୁ କମ୍ ସମୟ ପାଇଁ ମିଳୁଥିଲେ ବି ସମସ୍ତଙ୍କ ନଜର ତାହା ଉପରେ ରହିଛି। ସୋମବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଖବର ଶୁଣି କିଛି ବିଧାୟକ ଦୁବାଇ ଗସ୍ତକୁ କାଣ୍ଟ ଛାଣ୍ଟ କରିଛନ୍ତି। ରବିବାର ଦୁବାଇରୁ ଭୁବନେଶ୍ବରକୁ ସିଧା ବିମାନ ନଥିଲେ ବି ଭାୟା ମୁମ୍ବାଇ, ଦିଲ୍ଲୀ ହୋଇ ଓଡ଼ିଶା ଫେରିବାକୁ ଟିକେଟ୍ କରିଥିବା ଜଣାପଡ଼ିଛି।