ସଂଶୋଧିତ ମଟରଯାନ ଆଇନରେ ବିଚିତ୍ର ନିୟମ : ଦୁର୍ଘଟଣାଜନିତ କ୍ଷତିପୂରଣ ଆବେଦନ ପାଇଁ ୬ ମାସ ସମୟସୀମା, ରଦ୍ଦ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : ସଂଶୋଧିତ ମଟରଯାନ ଆଇନରେ କ୍ଷତିପୂରଣ ଦରଖାସ୍ତ ଦାଖଲର ସମୟସୀମା ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଯଦି କୌଣସି ବ୍ୟକ୍ତି ମଟରଯାନ ଦୁର୍ଘଟଣାର ଶିକାର ହୁଅନ୍ତି ତେବେ ଏ ନେଇ କ୍ଷତିପୂରଣ ଲାଗି ଦୁର୍ଘଟଣା ତାରିଖର ୬ ମାସ ଭିତରେ ଆବେଦନ ଦାଖଲ କରି ହେବ। ସଂଶୋଧିତ ମଟରଯାନ ଆଇନ ଅନୁସାରେ ଦୁର୍ଘଟଣାର ୬ ମାସ ପରେ ମଟର ଦୁର୍ଘଟଣାଜନିତ କ୍ଷତିପୂରଣ ସଂପର୍କିତ କୌଣସି ଆବେଦନ ଗ୍ରହଣୀୟ ନୁହେଁ। ସଂଶୋଧିତ ଆଇନର ଧାରା ୧୬୬(୩)ରେ ଥିବା ଏଭଳି ବ୍ୟବସ୍ଥାକୁ ଚାଲେଞ୍ଜ କରି ସମାଜସେବୀ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଛି।

ମାମଲାର ବିବରଣୀରୁ ପ୍ରକାଶ, ମଟରଯାନ ଆଇନ ୧୯୩୯ର ଧାରା ୧୧୦‌ ଅନୁସାରେ ଦୁର୍ଘଟଣାର ୬ ମାସ ଭିତରେ ମଟର ଦୁର୍ଘଟଣାଜନିତ କ୍ଷତିପୂରଣ ପାଇଁ ମାମଲା ରୁଜୁ କରାଯାଇ ପାରୁଥିଲା। ଯଦି ନିର୍ଦ୍ଧାରିତ ସମୟ ସୀମା ବାହାରେ ଏପରି କୌଣସି ଆବେଦନ କରାଯାଏ ଓ ବିଳମ୍ବ ପାଇଁ ଉପଯୁକ୍ତ କାରଣ ଦର୍ଶାଯାଏ ତେବେ ଏହା ଗ୍ରହଣୀୟ ବୋଲି ଆଇନରେ ବ୍ୟବସ୍ଥା ଥିଲା। ଏହାପରେ ୧୯୮୮ରେ ନୂଆ ମଟରଯାନ ଆଇନ କାର୍ଯ୍ୟକାରୀ ହୋଇଥିଲା। ଏଥିରେ ଦୁର୍ଘଟଣାର ୬ ମାସ ଭିତରେ ମଟର ଦୁର୍ଘଟଣାଜନିତ କ୍ଷତିପୂରଣ ପାଇଁ ମାମଲା ରୁଜୁ କରିବା ପାଇଁ ବ୍ୟବସ୍ଥା ଥିବାବେଳେ ଉପଯୁକ୍ତ କାରଣ ଦର୍ଶାଇ ସମୟସୀମା ପରେ ୧୨ ମାସ ଭିତରେ ମାମଲା ରୁଜୁ କରି ହେବ ବୋଲି ସ୍ପଷ୍ଟ କରାଯାଇଥିଲା। ୧୯୯୪ରେ କିନ୍ତୁ ସରକାର ସମୟସୀମା ପ୍ରସଂଗରେ ସଂଶୋଧନ ଆଣି ଏହାକୁ ଉଚ୍ଛେଦ କରିଥିଲେ। ମଟର ଦୁର୍ଘଟଣାଜନିତ କ୍ଷତିପୂରଣ ପାଇଁ ଦୁର୍ଘଟଣା ପରେ ‌ଯେ କୌଣସି ସମୟରେ ଅଦାଲତରେ ପୀଡିତ ବା ପୀଡ଼ିତଙ୍କ ପରିବାର ସଦସ୍ୟ ଆବେଦନ ଦାୟର କରି ପାରିବେ ବୋଲି ଆଇନରେ ବ୍ୟବସ୍ଥା କରାଯାଇଥିଲା। ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଚିକିତ୍ସା ଓ ସମସ୍ୟାକୁ ଦୃଷ୍ଟିରେ ରଖି ଆଇନରେ ଏପରି ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ୨୦୧୯ରେ ସଂଶୋଧିତ ଆଇନ ଅନୁସାରେ ମଟର ଦୁର୍ଘଟଣାଜନିତ କ୍ଷତିପୂରଣ ଆବେଦନ ଦାଖଲ ପାଇଁ ୬ ମାସ ସମୟସୀମା କଡ଼ାକଡ଼ି ଧାର୍ଯ୍ୟ କରାଯାଇଛି। ଏପରି ବ୍ୟବସ୍ଥା ଦ୍ବାରା ମଟର ଦୁର୍ଘଟଣାର ଶିକାର ହୋଇଥିବା ବହୁ ବ୍ୟକ୍ତି ଓ ସେମାନଙ୍କ ପରିବାର କ୍ଷତିପୂରଣ ପାଇଁ ଦରଖାସ୍ତ କରିପାରିବେ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମଟର ଦୁର୍ଘଟଣ‌ାରେ ଆହତ ବ୍ୟକ୍ତି ଅନେକ ସମୟରେ କିଛିମାସ ଚିକିତ୍ସିତ ହେବା ପରେ ସୁସ୍ଥ ହେଉଛନ୍ତି କିମ୍ବା ସେମାନଙ୍କ ମୃତ୍ୟୁ ହେଉଛି। ଏପରି ପରିସ୍ଥିତିରେ ମୃତାହତଙ୍କ ପାଇଁ କ୍ଷତିପୂରଣ ଆବେଦନ ୬ମାସ ଭିତରେ ଦାଖଲ କରିବା ସମ୍ଭବ ହୋଇ ନ ପାରେ। ଏପରି ସମସ୍ୟାକୁ ଦୃଷ୍ଟିରେ ରଖି ମଟର ଦୁର୍ଘଟଣାଜନିତ କ୍ଷତିପୂରଣ ଆବେଦନ ଦାଖଲର କୌଣସି ସମୟସୀମା ନ ରଖିବାକୁ ୧୯୯୪ରେ ଆଇନରେ ପରିବର୍ତ୍ତନ କରାଯାଇଥିଲା। ଏବେ ନୂଆ ସଂ‌ଶୋଧନରେ ଏଥି ପାଇଁ ୬ ମାସ ସମୟସୀମା ଧାର୍ଯ୍ୟ କରାଯିବା ସାମ୍ବିଧାନିକ ବ୍ୟବସ୍ଥାର ବିରୋଧାଚରଣ କରୁଛି। ଏପରି ସଂଶୋଧନକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ଟ୍ରାନ୍ସପୋର୍ଟ ଡେଭେଲପମେଣ୍ଟ କାଉନସିଲ୍‌କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର