ସଂଶୋଧିତ ମୋଟର ଯାନ ଆଇନ କଟକଣାକୁ ବିରୋଧ : ‘କାଗଜପତ୍ର ପ୍ରସ୍ତୁତି ପାଇଁ ଆଉ ୬ ମାସ ସମୟ ଦିଅ’

ଭୁବନେଶ୍ୱର : ସଂଶୋଧିତ ମୋଟର ଯାନ ଆଇନ ୬ ମାସ ପରେ ଲାଗୁ ହୋଇଛି। ସରକାର କାଗଜପତ୍ର ପ୍ରସ୍ତୁତି ପାଇଁ ଦୁଇ ଦଫାରେ ୬ ମାସ ସମୟ ଦେବା ପରେ ମାର୍ଚ୍ଚ ୧ ତାରିଖରୁ ଏହି ଆଇନ ବଳରେ କଟକଣା କଡ଼ାକଡ଼ି କରାଯାଇଛି। ପୁଲିସ ଓ ଆରଟିଓ ପକ୍ଷରୁ ଚଢ଼ଉ ଜୋରଦାର ହେଉଛି। ତେବେ ଭିତ୍ତିଭୂମି ପ୍ରସ୍ତୁତ ନ କରି ପୁଲିସ ଏହି ଆଇନ ଆଳରେ ସାଧାରଣ ଲୋକଙ୍କ ଉପରେ ଜୁଲମ କରୁଛି ବୋଲି ଅଭିଯୋଗ କରିବା ସହ ଆହୁରି ଅଧିକ ୬ ମାସ ସମୟ ଦେବାପାଇଁ ଦାବି କରିଛି ଯୁବ କଂଗ୍ରେସ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଲୋକନାଥ ମହାରଥୀ କହିଥିଲେ, ସମସ୍ତ କଟକଣା ହେଉ। ମୋଟା ଅଙ୍କରେ ଜରିମାନା ମଧ୍ୟ ହେଉ। କିନ୍ତୁ ଏବେ ପରୀକ୍ଷା ଋତୁ ଚାଲିଥିବାରୁ ଅନ୍ତତଃ ଯେଉଁ ଅଭିଭାବକମାନେ ପିଲାଙ୍କୁ ନେଇ ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି ତାଙ୍କୁ କୋହଳ କରାଯାଉ। ଓଡ଼ିଶା ଏକ ଗରିବ ରାଜ୍ୟ ହେଉଥିବାରୁ ସର୍ବାଧିକ ଜାରିମାନା ରାଶି ୧ ହଜାର ଟଙ୍କା ରଖାଯାଉ ବୋଲି ସେ କହିଛନ୍ତି।

ଭିତ୍ତିଭୂମି ଅଭାବ ଥିବାରୁ ଆରଟିଓ ଉଚିତ୍‌ ସମୟରେ କାଗଜପତ୍ର ପ୍ରଦାନ କରିପାରୁ ନାହାନ୍ତି। ଗାଡ଼ି ପାର୍କିଂ ପାଇଁ ଜାଗା ଚିହ୍ନଟ ହୋଇନଥିବା ବେଳେ ଗାଡ଼ିଗୁଡ଼ିକ କ୍ରେନ୍‌ ଲଗାଇ ଉଠାଇ ନିଆଯାଉଛି। ଅନେକ ସମୟରେ ପୁଲିସ ଦୁର୍ବ୍ୟବହାର ମଧ୍ୟ କରୁଛି। ଏଣୁ ଗୋଟିଏ ଦିନରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ପାର୍କିଂ ପାଇଁ ପ୍ରଥମେ ଜାଗା ନିରୂପଣ କରନ୍ତୁ। ଏ ସବୁ ନ କରି ପୁଣି ଜୁଲମ୍‌ ଆରମ୍ଭ କଲେ ଯୁବ କଂଗ୍ରେସ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଯୁବ କଂଗ୍ରେସ ମୁଖପା‌ତ୍ର ଅଜୟ ସାହୁ, ରଞ୍ଜିତ ପାତ୍ର, ଦେବାଶିଷ ମହାପାତ୍ର, ସଙ୍କୁନା କହଁର, ସ୍ବାଗତ କର, ବିଶ୍ବଜିତ ଦାସ, ଶ୍ରୀଜିତ ମହାପାତ୍ର, ନଳିନୀକାନ୍ତ ନାୟକ, ବିରଞ୍ଚି ବାରିକ ପ୍ରମୁଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର