ଭୁବନେଶ୍ବର: ରାଜ୍ୟ ସରକାର ବ୍ଶୀଘ୍ର ରାଜ୍ୟବାସୀଙ୍କୁ ୧୦ରୁ ଅଧିକ ଏନ୍ଏସି ଏବଂ ୨ରୁ ଅଧିକ ପୌରପାଳିକା ଭେଟିଦେବେ। ଗୃହନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଆସନ୍ତା ଦିନେରୁ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ନୂଆ ଏନ୍ଏସି ଏବଂ ଏନ୍ଏସିକୁ ପୌରପାଳିକାରେ ପରିଣତ କରିବା ନେଇ ଜିଲ୍ଲାପାଳମାନଙ୍କୁ ଫିଜିବିଲିଟି ରିପୋର୍ଟ ମଗାଯାଇଥିଲା। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଆମେ ଏନ୍ଓସି ପାଇଁ ଏହାକୁ ପଞ୍ଚାୟତିରାଜ ବିଭାଗକୁ ପଠାଇଥିଲୁ। ପଞ୍ଚାୟତିରାଜ ବିଭାଗ ଏବେ ଏନ୍ଓସି ଦେଇଥିବାରୁ ଖୁବ୍ଶୀଘ୍ର ନୂଆ ଏନ୍ଏସି ଘୋଷଣା ହେବ। ସେହିପରି ଏନ୍ଏସିକୁ ପୌରପାଳିକାରେ ପରିଣତ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି ଶେଷ ହୋଇଥିବାରୁ ଏହାକୁ ମଧ୍ୟ ଘୋଷଣା କରାଯିବ। ଏହାପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।
ପ୍ରଥମ ପର୍ଯ୍ୟାୟରେ ୧୦ରୁ ଅଧିକ ଏନ୍ଏସି, ୨ଟି ପୌରପାଳିକା ଘୋଷଣା ହୋଇପାରେ
୨୪ଟି ବ୍ଲକକୁ ଏନ୍ଏସି କରିବାକୁ ପ୍ରସ୍ତୁତି ଶେଷ ହୋଇଛି
ନଗର ଉନ୍ନୟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ଟି ବ୍ଲକ ମୁଖ୍ୟାଳୟକୁ ଏନ୍ଏସି ଘୋଷଣା କରିବାକୁ ଆବଶ୍ୟକୀୟ ପ୍ରସ୍ତୁତି ଶେଷ ହୋଇଛି। ସେଗୁଡ଼ିକ ହେଲା ବାଲେଶ୍ବରର ବସ୍ତା, ସିମୁଳିଆ ଓ ଖଇରା, ବରଗଡ଼ର ସୋହେଲା ଓ ପାଇକମାଳ, ଭଦ୍ରକର ଅଗରପଡ଼ା ଓ ଧାମରା, କଟକର ସାଲେପୁର, ଗଞ୍ଜାମର କୁକୁଡ଼ାଖଣ୍ଡି ଓ ଶେରଗଡ଼, ଯାଜପୁରର ବିଞ୍ଝାରପୁର, ପାଣିକୋଇଲି ଓ ଚଣ୍ଡିଖୋଲ, କଳାହାଣ୍ଡିର ଜୟପାଟଣା, ଏମ୍. ରାମପୁର ଓ ନର୍ଲା, ମୟୂରଭଞ୍ଜର ବେତନଟୀ, ରାୟଗଡ଼ାର ମୁନିଗୁଡ଼ା, ବିଷମକଟକ ଓ ଚାନ୍ଦିଲି, ସମ୍ବଲପୁରର ରେଙ୍ଗାଲି ଓ ବାମରା, ସୁନ୍ଦରଗଡ଼ର ବଣାଇ। ଏଥିରୁ ୧୦ରୁ ଅଧିକ ଅଞ୍ଚଳକୁ ଏନ୍ଏସି ଘୋଷଣା ହୋଇପାରେ। ସେହିପରି ଏବେ ଭଞ୍ଜନଗର ଏବଂ ପୋଲସରା ଏନ୍ଏସିକୁ ପୌରପାଳିକା ଘୋଷଣା ହୋଇପାରେ। ସୂଚନାଯୋଗ୍ୟ ଯେ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ବିଜେଡି ସରକାର ୫୭ଟି ନୂଆ ଏନ୍ଏସି ଏବଂ ୬ଟି ଏନ୍ଏସିକୁ ପୌରପାଳିକାରେ ପରିଣତ କରିବା ନେଇ ଘୋଷଣା କରିଥିଲେ। ହେଲେ ସରକାର ବଦଳିବା ପରେ ନୂଆ ସରକାର କହିଥିଲେ, ପୂର୍ବ ସରକାର କେବଳ ମୌଖିକ ଭାବେ ନୂଆ ଏନ୍ଏସି ଓ ପୌରପାଳିକା ଘୋଷଣା କରିଥିଲେ ହେଁ କିଛି ବିଧିବଦ୍ଧ ପ୍ରକ୍ରିୟା ହୋଇନଥିଲା। ଏବେ ଯେଉଁଠି ଏନ୍ଓସି ମିଳିବ ସେଠାରେ ନୂଆ ଏନ୍ଏସି, ପୌରପାଳିକା ଘୋଷଣା ହେବ।