ନବୀନଙ୍କ ନୂଆ ଅବତାର

ରାଜ୍ୟସ୍ତରୀୟ ଶିଶୁ ଦିବସ

ପଦାକୁ ବାହାରିଲେ ସବୁବେଳେ ସୁରକ୍ଷା ବଳୟ ଭିତରେ ରହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଶିଶୁମାନଙ୍କ ଗହଣରେ ଏକ ନୂଆ ଅବତାରରେ ଦେଖିବାକୁ ମିଳିଥିଲା। ରାଜଧାନୀର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ଦିବସ ପାଳନ ଉତ୍ସବସ୍ଥଳକୁ ନବୀନ ଚାଲିଥିଲେ ଏକା ଏକା। ନା ଆଗରେ ଥିଲେ ସୁରକ୍ଷାକର୍ମୀ ନା ପଛରେ। ବିଜେଡି ନେତା କି ମନ୍ତ୍ରୀ ବି ସାଙ୍ଗରେ ନ ଥିଲେ। ଦୁଇ ପାର୍ଶ୍ୱରେ ଛାତ୍ରଛାତ୍ରୀଙ୍କ କରତାଳି ମଧ୍ୟରେ ଏକା ଏକା ୧୦୦ ମିଟର ପର୍ଯ୍ୟନ୍ତ ଚାଲି ଚାଲି ମଞ୍ଚ ନିକଟକୁ ଯାଇଥିଲେ ନବୀନ। ହାତ ଯୋଡ଼ି ପିଲାଙ୍କ ଅଭିଭାଦନ ଗ୍ର୍ରହଣ କରିଥିଲେ। ହସ ହସ ମୁହଁରେ ପିଲାଙ୍କ ସହ ମିଶିଥିଲେ। ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ଛାତ୍ରଛାତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଖୁସିରେ ଗଦଗଦ ହୋଇ ଯାଇଥିଲେ। ଆଉ ମଞ୍ଚ ତଳେ ମାଳ ମାଳ ମନ୍ତ୍ରୀ, ବିଧାୟକ, ସଚିବ ଉପସ୍ଥିତ ଥିଲେ ମଧ୍ୟ ମଞ୍ଚ ଉପରେ ସେ ଏକା ହିଁ ଅଭିଭାଷଣ ଦେଇଥିଲେ। ୧୧ଟା ୩୮ରୁ ୧୧ଟା ୫୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନିଜ ମନର କଥା କହିବା ସହ ସେମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ତାଙ୍କର ୧୨ ମିନିଟ୍‌ର ଭାଷଣରେ ଛାତ୍ରଛାତ୍ରୀଙ୍କୁ ଦେଇଥିବା ଅଭିଭାଷଣ ଓ ଉପଦେଶକୁ ଛାତ୍ରଛାତ୍ରୀମାନେ ବି ବେଶ୍‌ ଉତ୍ସାହର ସହ ଶୁଣୁଥିବା ଦେଖିବାକୁ ମିଳିଥିଲା।

ଆମ ମୁଖ୍ୟମନ୍ତ୍ରୀ ନମ୍ବର-୧

ଛାତ୍ରଛାତ୍ରୀଙ୍କ ମୁହଁରେ ଶୁଣିବାକୁ ମିଳିଥିଲା ଗୋଟିଏ ଶବ୍ଦ ‘ଆମ ମୁଖ୍ୟମନ୍ତ୍ରୀ ନଂ-୧’। ପିଲାଙ୍କ ହାତରେ ଥିବା ପ୍ଲାକାର୍ଡରେ ମୁଖ୍ୟମନ୍ତ୍ରୀ ନଂ-୧ ବୋଲି ବି ଲେଖାଯାଇଥିଲା। ପୂର୍ବାହ୍ନ ୧୧ଟା ୧୮ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା କ୍ଷଣି ଛାତ୍ରଛାତ୍ରୀ ହାତ ହଲାଇ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଉତ୍ସବ ସ୍ଥଳ ଆଗରେ ବସିଥିବା ମୁଖ୍ୟମନ୍ତ୍ରୀ ଦୁଇ ପାର୍ଶ୍ୱରେ ବସିଥିବା ପିଲାଙ୍କ ସହ କଥା ହେବା ନେଇ ସ୍କ୍ରିନ୍‌ ଦେଖାଯିବା କ୍ଷଣି ପିଲାମାନେ ଖୁସିରେ ଚିତ୍କାର କରି ଉଠୁଥିଲେ।

ବିନା କାଗଜରେ ନବୀନଙ୍କ ଭାଷଣ

କାଗଜ ନ ପଢ଼ି କେବେ ଭାଷଣ ଦେଉ ନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷଣ ଆଜି ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଆଜି ପୋଡିୟମ୍‌ରେ ଲିଖିତ ଭାଷଣ ରଖାଯାଇ ନ ଥିଲା କି ନବୀନ ତଳକୁ ମୁହଁ ପୋତି କାଗଜ ଦେଖି ଭାଷଣ ଦେଉ ନ ଥିଲେ। ସିଧା ଆଗକୁ ଚାହିଁ ଭାଷଣ ଦେଉଥିଲେ। ଉତ୍ସବ ଅବସରରେ ଲଗାତାର ୧୦ ମିନିଟ୍‌ରୁ ଅଧିକ ସମୟ ଧରି ସେ ଭାଷଣ ଦେଇଥିଲେ। ଏଥିରେ ପ୍ରାୟ ୭ ମିନିଟ୍‌ର ଓଡ଼ିଆ ଭାଷଣ ବି ରହିଥିଲା। ବିନା ବାଧାରେ ବି ସେ ନିଜ ମନର କଥାକୁ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏପରି ଭାଷଣକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ଆଜି ବିନା କାଗଜରେ ଭାଷଣ ଦେଇଛନ୍ତି ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଟେଲି ପ୍ରମ୍ପଟର ଦେଖି ଭାଷଣ ଦେଇଥିବା ନେଇ ବିଜେପି ସିଧାସଳଖ କହିିଛି। ବିଜେପି ଏ କଥା ବି ଆହ୍ଵାନ ଦେଇଛି, ମୁଖ୍ୟମନ୍ତ୍ରୀ ଯଦି ଗଣମାଧ୍ୟମ ସମ୍ମୁଖରେ ୨୦ରୁ ୨୫ ପୃଷ୍ଠାର ଏକ ଓଡ଼ିଆରେ ଲିଖିତ ପୁସ୍ତକକୁ ବିନା ଟେଲି ପ୍ରମ୍ପଟର୍‌ ସହାୟତାରେ ପଢ଼ି ଦିଅନ୍ତି, ତେବେ ଆମେ ତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଦେବୁ।

ବିଭିନ୍ନ ମହଲରେ ଏ କଥା କୁହାଯାଉଛି ଯେ ଟେଲି ପ୍ରମ୍ପଟର୍‌ ସହାୟତାରେ ଭାଷଣ ଦେବା କିଛି ନୂଆ କଥା ନାହିଁ। ମୁଖ୍ୟମନ୍ତ୍ରୀ କାଗଜ ଛାଡ଼ି ଏବେ ଟେଲି ପ୍ରମ୍ପଟର ଦେଖୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏହିଭଳି ଭାବେ ଭାଷଣ ପଢ଼ୁଛନ୍ତି। ନବୀନ କିଛି ବି ନୂଆ କରି ନାହାନ୍ତି।

‘ତୁମ ପାଇଁ ଆଗକୁ ଆହୁରି ସର୍‌ପ୍ରାଇଜ

 କିଛି କ୍ଷଣ ପାଇଁ ହେଉ ପଛେ, ଆଜି ପିଲାଙ୍କ ମେଳରେ ପିଲା ପାଲଟି ଯାଇଥିଲେ ନବୀନ। ମନ ଖୋଲି ହସୁଥିଲେ। ପୁଣି ସେମାନଙ୍କ ସହ ଗପରେ ଏକଦମ ମଜି ଯାଉଥିଲେ। ମଞ୍ଚ ଉପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମଠୁ ଆଜି ପିଲାଙ୍କ ଭିଡ଼ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଚପଳତା ସମସ୍ତଙ୍କୁ ମୁଗ୍ଧ ଓ ବିସ୍ମିତ କରୁଥିଲା। ଆଜି ମଞ୍ଚ ସାମ୍ନାରେ ବିଧାୟକ କି ବଡ଼ବଡ଼ିଆଙ୍କ ପାଇଁ ସିଟ୍‌ର ବନ୍ଦୋବସ୍ତ ନଥିଲା। ବରଂ ପିଲାମାନେ ଥିଲେ ଭିଭିିଆଇପି। ସାମ୍ନାରେ ସେହି ପିଲାଙ୍କ ଭିଡ଼ ଭିତରେ ହିଁ ଏକା ବସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଜମି ଯାଇଥିଲା ଖୁସିଗପ। ପିଲାମାନେ ବି ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଛାଡ଼ନ୍ତେ ବା କେମିତି, ପାଖରେ ବସିଥିବା ୟୁନିଟ୍‌ ୬ ସରକାରୀ ବାଳିକା ମହାବିଦ୍ୟାଳୟର ଛାତ୍ରୀ ଅଭିଲିପ୍ସା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ, ସାର୍‌ ଆପଣ ଆମ ଭଳି ପିଲାମାନଙ୍କ ପାଇଁ ଆଗକୁ କ’ଣ ଯୋଜନା କରିଛନ୍ତି? ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସଙ୍ଗେସଙ୍ଗେ ଓଡ଼ିଆରେ କହିଲେ, ତମମାନଙ୍କ ପାଇଁ ଆଗକୁ ଆହୁରି ସର୍‌ପ୍ରାଇଜ୍‌ ଅଛି। ଅନ୍ୟ ଜଣେ ପିଲା ଦେଶର ଶ୍ରେଷ୍ଠ ପ୍ରଶାସକ ମାନ୍ୟତା ପାଇଥିବା କଥା ମୁଖ୍ୟମନ୍ତ୍ରୀଙ୍କୁ ମନେ ପକେଇଦେଇ ଅଭିନନ୍ଦନ ଜଣାଇବା ମାତ୍ରେ ଶ୍ରୀ ପଟ୍ଟନାୟକ ମୁହଁରେ କିଛି ନ କହି କେବଳ ମନଖୋଲା ହସଟିଏ ହସି ଦେଇଥିଲେ।

ଏତିକି ବେଳେ କ୍ୟାପିଟାଲ୍‌ ହାଇସ୍କୁଲ୍‌ର ୧୦ମ ଶ୍ରେଣୀ ଛାତ୍ର ମନୀଷ ଦାସ ହିନ୍ଦୀରେ ପଚାରିଥିଲେ, ଆପଣ ଆମ ଭଳି ସରକାରୀ ସ୍କୁଲ୍‌ରେ ପଢ଼ୁଥିଲେ ନା ପ୍ରାଇଭେଟ୍‌ ସ୍କୁଲ୍‌ରେ। ମୁଖ୍ୟମନ୍ତ୍ରୀଙ୍କର ଜବାବ ଥିଲା ପ୍ରାଇଭେଟ୍‌ ସ୍କୁଲ୍‌। ମୁଖ୍ୟମନ୍ତ୍ରୀ ଯେବେ ମଂଚରୁ ଭାଷଣରେ ଅନେକ ଯୋଜନା ଘୋଷଣା କରି ମଂଚ ତଳକୁ ଆସି ପୁଣି ପାଖରେ ବସିଲେ, ଜଣେ ସ୍କୁଲ ପିଲା ପ୍ରସ୍ତାବ ଦେଲା ଭଳି କହିଥିଲେ, ଆପଣ ଏସ୍‌ସି ଏସ୍‌ଟି ସାଧାରଣବର୍ଗ ଏ ସବୁକୁ ହଟେଇ ଗରିବ ଶ୍ରେଣୀରେ ବିଭାଜନ କରି ଗରିବ ପିଲାମାନଙ୍କୁ ସହଯୋଗ କଲେ ଭଲ ହୁଅନ୍ତା। ମୁଖ୍ୟମନ୍ତ୍ରୀ ଏହାର ଜବାବରେ, ମୁଁ ନିଶ୍ଚିତ ଏ ବାବଦରେ ବିଚାର କରି ଦେଖିବି ବୋଲି ହିନ୍ଦୀରେ ଉତ୍ତର ରଖିଥିଲେ।

ପାଖରେ ବସିଥିବା ଶିରିପୁର ଆଶ୍ରମ ସ୍କୁଲ୍‌ର ପ୍ରିୟଙ୍କା ସୋରେନ୍‌ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ମୁଖ୍ୟମନ୍ତ୍ରୀଙ୍କୁ ଚପଳ ପ୍ରଶ୍ନଟିଏ ପଚାରିଥିଲେ, ଏ ପ୍ରୋଗ୍ରାମ ଟା କେମିତି ଲାଗିଲା? ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବି ନିଜେ ଆୟୋଜକ ବୋଲି ଭୁଲି ଯାଇ ପିଲାଟିଏ ଭଳି କହିଥିଲେ, ବହୁତ ଭଲ ଲାଗୁଛି। ପୁଣି ପଚାରିଲେ, ଆପଣ କେମିିତି ଅଛନ୍ତି ? ମୁଖ୍ୟମନ୍ତ୍ରୀ ଉତ୍ତର ଦେଲେ ହଁ ଭଲ ଅଛି। ପ୍ରିନ୍‌ସ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ ପରେ ଏହା କେମିତି ଲାଗିଲା ବୋଲି ପଚାରିବାରୁ ମୁଖ୍ୟମନ୍ତ୍ରୀ କହିଲେ, ବହୁତ ସୁନ୍ଦର ହେଇଛି। ପରେ ପ୍ରିୟଙ୍କା ଆମକୁ କହିଲେ, ସେ ଏକଦମ ପ୍ରାଞ୍ଜଳ ଓଡ଼ିଆରେ ମୋ ସହ କଥା ହେଲେ, ଟିକେ ବି କିଛି ଫରକ ଜଣା ପଡ଼ିଲାନି ଯେ ସେ ଓଡ଼ିଆ କହିପାରନ୍ତିନି ବୋଲି। ସେହିପରି ତପୋବନ ହାଇସ୍କୁଲ୍‌ର ୧୦ମ ଶ୍ରେଣୀ ଛାତ୍ର ମାନସିଂହ ବଦ୍‌ରା ମୁଖ୍ୟମନ୍ତ୍ରୀଙ୍କୁ ନିଜ ସ୍ୱପ୍ନ ବିଷୟରେ ଜଣେଇ କହିଥିଲେ, ସାର୍‌ ମୁଁ ବଡ଼ ହେଲେ ସୈନିକ ହେବି। ଏହା ଶୁଣି ମୁଖ୍ୟମନ୍ତ୍ରୀ ତାଙ୍କ କଥାରେ ମୁଣ୍ଡ ଟୁଙ୍ଗାରି ସମର୍ଥନ ଜଣାଇଥିଲେ।

 

ସମ୍ବନ୍ଧିତ ଖବର