ନୂଆ ଓଡ଼ିଶା-ଧର୍ମପଦ ଡାଏଲଗ: କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନ୍‌ଫେରେନ୍ସିଂ : ସାମିଲ ହେଲେ ୨.୫ ଲକ୍ଷ ଯୁବପିଢ଼ି

ଚନ୍ଦ୍ରଶେଖରପୁର : ଓଡ଼ିଆ ଯୁବକଙ୍କ ମଧ୍ୟରେ ବୁଦ୍ଧିମତା, କୌଶଲ୍ୟ ଓ ସାହାସ ଗୁଣ ଭରପୂର୍ ରହିଛି। ଏହି ତିନୋଟି ଗୁଣକୁ ପାଥେୟ କରି ଓଡ଼ିଆ ପିଲାମାନେ ଏକବିଂଶ ଶତାବ୍ଦୀରେ ବିଶ୍ବର ଅଗ୍ରଣୀ ଅଞ୍ଚଳ ଭାବେ ଓଡ଼ିଶାକୁ ତିଆରି କରିବାରେ ସଫଳ ହେବେ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ରେଳ ପ୍ରେକ୍ଷାଳୟରେ ଅନୁଷ୍ଠିତ ‘ନୂଆ ଓଡ଼ିଶା-ଧର୍ମପଦ ଡାଏଲଗ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱରରୁ ଭିଡିଓ କନଫେରେନ୍ସିଂ ଯୋଗେ ରାଜ୍ୟର ୪୩୦ ସ୍ଥାନରେ ସମବେତ ହୋଇଥିବା ୨.୫ ଲକ୍ଷରୁ ଅଧିକ ଯୁବପିଢ଼ିଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ଓଡ଼ିଶା ବିନା ନୂଆ ଭାରତ ଅସମ୍ଭବ। ନୂଆ ଓଡ଼ିଶା ତିଆରି କରିବା ପାଇଁ ଯୁବକମାନଙ୍କର ନୂଆ ବିଚାର, ନୂଆ ନେତୃତ୍ୱ, ନୂଆ ଉତ୍ସାହ ସହ ଅସମ୍ଭବକୁ ସମ୍ଭବ କରିବାକୁ ପଡ଼ିବ। ଏଠାରେ ଯୋଗ ଦେଇଥିବା ୫ ଯୁବ ପ୍ରତିଭା ହେଉଛନ୍ତି ନୂଆ ଓଡ଼ିଶାର ବ୍ରାଣ୍ଡ୍ ଆମ୍ବାସାଡର। ବାୟୁସେନାର ଅଫିସର୍‌ ଓଡ଼ିଆ ଝିଅ ପଲ୍ଲବୀ ମହାପାତ୍ର ନିକଟରେ ଯୁଦ୍ଧ ବିମାନରୁ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରି ଇତିହାସ ରଚିଛନ୍ତି। ଶତ୍ରୁକୁ ମାତ୍ ଦେଇପାରୁଥିବା ଓ ଦେଶବାସୀଙ୍କୁ ଗର୍ବିତ କରିଥିବା ବ୍ୟକ୍ତିତ୍ୱର ନାଁ ହେଉଛି ଓଡ଼ିଆ ଝିଅ ପଲ୍ଲବୀ। ସାମାନ୍ୟ ଘରର ପିଲାକୁ ଯଦି ସୁଯୋଗ ମିଳେ, ସେ ଅମରେନ୍ଦ୍ର ସାହୁ ଭଳି ନୂଆ ଷ୍ଟାର୍ଟ-ଅପ୍ ଘର ଭଡ଼ାର ଏଗ୍ରିଗେଟର୍‌ ହୋଇ ୬୫୦ କୋଟି ଟଙ୍କାର ବ୍ୟବସାୟ କରେ। କଳାହାଣ୍ଡିର ସାଧାରଣ ଘରର ପିଲା ଯୋଗବ୍ୟାସ ଭୋଇ ଦୃଢ଼ ଇଚ୍ଛାଶକ୍ତି ଫଳରେ ବିଶ୍ବର ସବୁ ଉଚ୍ଚତମ ପାହାଡ଼କୁ ଚଢ଼ି ରେକର୍ଡ କରିପାରେ। ଚିତ୍ତରଞ୍ଜନ ମହାନ୍ତି ବଡ଼ କମ୍ପାନି ଛାଡ଼ି ଏବେ କୃଷି କ୍ଷେତ୍ରରେ କାମ କରି ଏକ ନୂଆ ପରମ୍ପରା ସୃଷ୍ଟି କରୁଛନ୍ତି। ଉତ୍ତରପ୍ରଦେଶର ବିଶୋଇ ସିଂହ ଆଇଆଇଟିରେ ପାଠ, ବୃତ୍ତିରେ ଚରମ ସଫଳତାକୁ ଛାଡ଼ି ସମାଜର ମଙ୍ଗଳ ପାଇଁ କାମ କରିବାକୁ ଅଣ୍ଟା ଭିଡ଼ି ବାହାରିଛନ୍ତି। ଓଡ଼ିଶାରେ ଜୈବିକ କୃଷି କ୍ଷେତ୍ରରେ ଏକ ନୂଆ ବିପ୍ଲବ ଆଣିବା ପାଇଁ ତାଙ୍କ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ୫ଜଣ ଯୁବ ବ୍ୟକ୍ତିତ୍ୱ ମଧ୍ୟରୁ କେହି ଜଣେ ବି ସୁପରଷ୍ଟାର ଅମିତାଭ୍ ବଚ୍ଚନଠାରୁ କମ୍‌ ନୁହଁନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ସେ ଆହୁରି କହିଲେ, ସଫଳ ଯୁବବ୍ୟକ୍ତିତ୍ୱଙ୍କ ଉପସ୍ଥିତିର ସୁଯୋଗ ଓ ଅନୁଭୂତିଗୁଡ଼ିକୁ ପରସ୍ପର ଭିତରେ ଆଦାନପ୍ରଦାନ କରି ନୂଆ ଆତ୍ମବିଶ୍ୱାସ ସହ ଏ ଅତ୍ୟନ୍ତ ସାହାସୀ ଜାତିକୁ ଏକବିଂଶ ଶତାବ୍ଦୀରେ ପୁନର୍ବାର ଦୁନିଆର ଏକ ଅଗ୍ରଣୀ ସମାଜ ଭାବେ ଗଢ଼ି ତୋଳିବାରେ ‘ଧର୍ମପଦ ଡାଏଲଗ’ର ମୂଳ ଉଦ୍ଦେଶ୍ୟ। ଏହି ଉଦ୍ୟମକୁ ଆଗାମୀ ଦିନରେ ଏକ ସକାରାତ୍ମକ ଜନଆନ୍ଦୋଳନରେ ପରିଣତ କରିବାର ଅଭିଯାନ ଜାରି ରହିବ। ବିନା ଯୁବପିଢ଼ିର ସହଯୋଗରେ କେବେ ବି କେଉଁଠି ପରିବର୍ତନ ହୋଇନାହିଁ। ଆଜିଠୁ ହଜାର ବର୍ଷ ପୂର୍ବେ ଓଡ଼ିଆ ଜାତି କୋଣାର୍କ, ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ତିଆରି କରିଥିଲା। ବିଜ୍ଞାନକୁ ପଢ଼ି ବୁଝି ଏହାର ବ୍ୟବହାରରେ ଏପରି ଭବ୍ୟ ନିର୍ମାଣ ଓଡ଼ିଆ ଜାତି ହିଁ କରି ଦେଖାଇଥିଲା ବୋଲି ସେ କହିଥିଲେ। ଏହି ଅବସରରେ ଓଡ଼ିଶାର କୋଣ ଅନୁକୋଣରୁ ଯୁବକ ଯୁବତୀ ଭିଡିଓ କନଫରେନ୍ସିଂ ଯୋଗେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

ସମ୍ବନ୍ଧିତ ଖବର