ଓଡ଼ିଶାରେ ପ୍ରଥମ : ଏସ୍‌ସିବିରେ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ନିର୍ମିତ ହେବ ମଡୁଲାର ଓଟି ଓ ଆଇସିୟୁ

କଟକ :ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ବର୍ଣ୍ଣ କେୟାର ୟୁନିଟ୍‌ରେ ନିର୍ମିତ ହେବ ବିଦେଶୀ ଜ୍ଞାନକୈଶଳରେ ଅତ୍ୟାଧୁନିକ ଅସ୍ତ୍ରୋପଚାର ଗୃହ ଓ ଆଇସିୟୁ। ୧ କୋଟି ୭୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁଥିବା ଏହି ଅତ୍ୟାଧୁନିକ ଗୃହ ଓଡିଶାରେ ପ୍ରଥମ ବୋଲି କୁହାଯାଉଛି। ଜାତୀୟ ପ୍ରିଭେନସନ୍‌ ଏଣ୍ଡ ବର୍ଣ୍ଣ ଇନ୍‌ଜୁରିକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ଲାଷ୍ଟିକ୍‌ ସର୍ଜରୀ ଓ ବର୍ଣ୍ଣ ୟୁନିଟ୍‌ରେ ସ୍ୱତନ୍ତ୍ର ଆଇସିୟୁ ନଥିବାରୁ ସେଥିରେ ମଧ୍ୟ ତିନୋଟି ଆଇସିୟୁ ନିର୍ମିତ ହେବ। ଆଜି ଏନେଇ ଭୂମି ପୂଜନ ସହ ଫଳକ ଉନ୍ମୋଚନ କାର୍ଯ୍ୟକ୍ରମରେ ଡ଼ିନ୍‌ ତଥା ପ୍ରିନସ୍‌ପାଲ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ, ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା, ରାଜ୍ୟ ନୋଡାଲ ଅଫିସର ଟ୍ରମା ଓ ବର୍ଣ୍ଣ ତଥା ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ, ଏଣ୍ଡୋକ୍ରାଇନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନୁଜ କୁମାର ବଳିୟାରସିଂ, ନେଫ୍ରୋଲୋଜିର ବିଭାଗୀୟ ମୁଖ୍ୟ ବି.କେ ସାହୁ, ଏସ୍‌ସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଆକାଉଣ୍ଟସ୍‌ ଅଫିସର ଶେଖ୍‌.ଏ ହୁଡା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, କଟକ ବଡମେଡିକାଲରେ ବର୍ଷକୁ ୪ ହଜାର ପୋଡି ଯାଇ ଗୁରୁତର ଥିବା ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥାନ୍ତି। କିନ୍ତୁ ଉକ୍ତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଆଇସିୟୁ ନଥିବାରୁ ବିଭିନ୍ନ ସମୟରେ ଅନେକ ରୋଗୀଙ୍କ ଜୀବନ ଅକାଳରେ ଚାଲିଯାଇଥାଏ। ପୋଡି ହୋଇ ଆସୁଥିବା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବାରୁ ଏହାକୁ ରୋକିବା ପାଇଁ ଏନ୍‌.ପି.ପିଏମ୍‌.ବି.ଆଇ ଯୋଜନାରେ କେନ୍ଦ୍ରର ୬୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ୪୦ ପ୍ରତିଶତ ଅର୍ଥ ସହଯୋଗରେ ବର୍ଣ୍ଣ ସେଣ୍ଟରର ଭୂମିପୂଜନ ଓ ଫଳକ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପ ପାଇଁ ୨.୫୯କୋଟି ଟଙ୍କାର ଯୋଜନା ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧.୭୭ମୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟରରେ ମଡୁଲାର ଓଟି ନିର୍ମିତ ହେବ। ଏହି ଓଟି ଅଟୋ ସିଷ୍ଟମ୍‌ରେ ଚାଲିବ। ତିନୋଟି ଶଯ୍ୟା ବିଶିଷ୍ଟ ଆଇସିୟୁ, କ୍ୟାବିନ୍‌ ଆଦି ନିର୍ମାଣ କରାଯିବ। ତାସହିତ ରାମ୍ପ ନିର୍ମାଣ କରାଯିବ। ଆମେରିକା, ଜର୍ମାନୀ ଟେକ୍ନୋଲୋଜିରେ ଏହା ନିର୍ମିତ ହେବ। ଏହି ପ୍ରକଳ୍ପ କାମ ୩ମାସ ଭିତରେ ସାରିବା ପାଇଁ ଯୋଜନା ରହିଥିବା ବିଭାଗୀୟ ପ୍ରଫେସର ଡାକ୍ତର ସୂଚନା ଦେଇଛନ୍ତି।

ଏସ୍‌ସିବିରେ ହେବ ସ୍କିନ୍‌ ବ୍ୟାଙ୍କ

ଏସ୍‌ସିବିରେ ହେବ ସ୍କିନ୍‌ ବ୍ୟାଙ୍କ। ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ତଥା ବର୍ଣ୍ଣ କେୟାର ୟୁନିଟ୍‌ ପକ୍ଷରୁ ଏଭଳି ଯୋଜନା କରାଯାଇଛି। ଏନେଇ ପ୍ରଶାସନିକ ମଂଜୁରୀ ମିଳିଥିବାବେଳେ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ମଧ୍ୟ କରାଯିବ ବୋଲି ରାଜ୍ୟ ନୋଡାଲ ଅଫିସର ଟ୍ରମା ଓ ବର୍ଣ୍ଣ ତଥା ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ ସୂଚନା ଦେଇଛନ୍ତି। ସ୍କିନ୍‌ ଦେବାକୁ ଆଗ୍ରହୀ ବ୍ୟକ୍ତି ମୃତ୍ୟୁର ୪ରୁ ୬ଘଣ୍ଟା ଭିତରେ ନିଜର ସ୍କିନ୍‌ ଦାନ କରିପାରିବ। ଯାହାକୁ ୫ରୁ ୬ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇପାରିବ। ୪୮ଲକ୍ଷ ଟଙ୍କା ବ୍ୟୟରେ ଏହି ଯୋଜନା କାର୍ଯ୍ୟକାରୀ କରିବାର ଯୋଜନା ଥିବାବେଳେ ଏହି ସ୍କିନ୍‌ ବ୍ୟାଙ୍କ ମାଧ୍ୟମରେ କେବଳ ଓଡିଶା ନୁହେଁ, ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ, ଝାଡ଼ଖଣ୍ଡ ଆଦି ବିଭିନ୍ନ ରାଜ୍ୟବାସୀ ଉପକୃତ ହୋଇପାରିବେ। ବିଶ୍ୱର ହଲାଣ୍ଡରେ ୟୁରୋ ବ୍ୟାଙ୍କ ଥିବାବେଳେ ଭାରତରେ କେବଳ ମୁମ୍ବାଇରେ ରହିଛି ସ୍କିନ୍‌ ବ୍ୟାଙ୍କ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭାରତରେ ଓଡିଶା ଦ୍ୱିତୀୟ ରାଜ୍ୟର ମାନ୍ୟତା ପାଇବ। ତେବେ ଏହି ସ୍କିନ୍‌ ବ୍ୟାଙ୍କ ମାଧ୍ୟମରେ ଚର୍ମ ପ୍ରତିରୋପଣ ବ୍ୟବସ୍ଥାରେ ରୋଗୀଙ୍କୁ ଆଉ ଖୋଜିବାକୁ ପଡିବ ନାହିଁ। ଏହି ବ୍ୟାଙ୍କରୁ ସ୍କିନ୍‌ ପ୍ରତିରୋପଣ ପାଇଁ ନିଆଗଲେ ଏହା ବ୍ୟୟବହୁଳ ହେବନାହିଁ। କାରଣ ପ୍ରତି ବର୍ଗ ସିଏମ୍‌ ପିଛା ୨ରୁ ୩ଟଙ୍କା ଭିତରେ ଏହାର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଯୋଜନା ରହିଛି। ଏଥିନିମନ୍ତେ ପ୍ରଶାସିନିକ ମଂଜୁରୀ ମିଳି ସାରିଛି। ପ୍ରଫେସର ଡାକ୍ତର ଶ୍ରୀ ଚୌଧୁରୀଙ୍କ କହିବା ଅନୁସାରେ, ଏଥିପାଇଁ ଆନୁସଙ୍ଗିକ କାମ ଶେଷ ହୋଇଥିବା ବେଳେ ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ।

ସମ୍ବନ୍ଧିତ ଖବର