ଭୁବନେଶ୍ୱର : ପିଏମ୍ କେୟାର୍ସ ଫଣ୍ଡ୍ରୁ ପୁଣି ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରେସର୍ ସ୍ୱିଙ୍ଗ ଆଡ୍ଜର୍ପସନ୍ (ପିଏସ୍ଏ) ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଓ ସୋନପୁର। ଏଠାରେ ଡିଆର୍ଡିଓ ଦ୍ବାରା ପ୍ଲାଣ୍ଟ ନିର୍ମାଣ କରାଯିବ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଆଜି ଏହି ସୂଚନା ଦେବା ସହ ଏହି ସମୟୋପଯୋଗୀ ପଦକ୍ଷେପ ଦ୍ବାରା ବହୁ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ ବୋଲି କହିଛନ୍ତି। ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡ଼ିଶାର ଆଉ ୭ଟି ଜିଲ୍ଲା ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ରାୟଗଡ଼ା ଜିଲ୍ଲାରେ ପିଏସ୍ଏ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କ୍ୟାପ୍ଟିଭ୍ ମେଡିକାଲ ଅକ୍ସିଜେନ୍ ଜେନେରେସନ୍ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ରାଜ୍ୟର କୋଭିଡ୍-୧୯ ବିରୋଧୀ ଲଢ଼େଇକୁ ସଶକ୍ତ କରିବା ସହ ସ୍ୱାସ୍ଥ୍ୟ ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ପାଇଁ ରାଜ୍ୟକୁ ପ୍ରସ୍ତୁତ ରଖିବ। ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ ଗୋଟିଏ ଲେଖାଏଁ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ପତ୍ର ଲେଖିଥିଲେ।
ପୂର୍ବରୁ ରାଜ୍ୟରେ ପିଏମ୍ କେୟାର୍ସ, ପେଟ୍ରୋଲିୟମ ମନ୍ତ୍ରଣାଳୟର ପିଏସ୍ୟୁ, ଡିଆର୍ଡିଓ ଏବଂ ଏନ୍ଏଚ୍ଏଆଇ ଦ୍ୱାରା ବିଭିନ୍ନ ଜାଗାରେ ପିଏସ୍ଏ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରାଯାଉଛି। ରାଜ୍ୟରେ ମେଡିକାଲ ଅକ୍ସିଜେନର ଉପଲବ୍ଧିକୁ ଗତି ଦେବା ତଥା ମହାମାରୀ ମୁକବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ପିଏମ୍ କେୟାର୍ସ ଫଣ୍ଡ୍ରୁ ଅନୁଗୁଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମାଲକାନଗିରି ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପିଏସ୍ଏ ଅକ୍ସିଜେନ୍ ପ୍ଲାଣ୍ଟ କରାଯାଉଛି। ଅନୁରୂପ ଭାବରେ କୋଭିଡ-୧୯ ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ (ପିଏସ୍ୟୁ) ଦ୍ୱାରା ଓଡ଼ିଶାର ୭ଟି ସ୍ଥାନ ଯଥା ବରଗଡ଼, ଖୋର୍ଦ୍ଧା, ନବରଙ୍ଗପୁର, ନୂଆପଡ଼ା, ପୁରୀ, ସମ୍ବଲପୁର ଏବଂ ରାଉରକେଲାରେ ପିଏସ୍ଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି ।