ଭୁବନେଶ୍ବର ବିମାନବନ୍ଦରରେ ଲାଗୁ ହେଲା ନୂଆ ପାର୍କିଂ ନୀତି : ଘରୋଇ ଗାଡ଼ି ଉପରୁ ପାର୍କିଂ ଫି’ ଉଠିଲା

ଭୁବନେଶ୍ବର : ଆଜି ଅପରାହ୍ନ ୨ଟାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ବରରେ ନୂଆ ପାର୍କିଂ ନୀତି ଲାଗୁ ହୋଇଛି। ନୂଆ ନିୟମ ଅନୁଯାୟୀ ଏଣିକି ବିମାନବନ୍ଦରକୁ ପ୍ରବେଶ କରୁଥିବା ଏବଂ ବାହାରୁଥିବା ‌େକୗଣସି ଘରୋଇ ଗାଡ଼ି ଉପରେ ପାର୍କିଂ ଫି’ ଲାଗୁ ହେବନି। ସେହିପରି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଏବଂ ଟ୍ୟାକ୍ସି ପାଇଁ ପ୍ରବେଶ ଫି’ ଦେବାକୁ ପଡ଼ିବନି। କେବଳ ପ୍ରସ୍ଥାନ ଫି’ ବାବଦକୁ ୪୦ଟଙ୍କା ଦେବାକୁ ପଡ଼ିବ।

ଅପରପକ୍ଷେ ବିମାନବନ୍ଦରରେ ଥିବା ପାର୍କିଂ ଅଞ୍ଚଳରେ ଗାଡ଼ି ପାର୍କିଂ କଲେ ଫି’ ଦେବାକୁ ପଡ଼ିବ। ଦୁଇ ଚକିଆ ଯାନ ପାଇଁ ଅଧ ଘଣ୍ଟାକୁ ୧୦ଟଙ୍କା, କାର୍‌ ପାଇଁ ୨୦ଟଙ୍କା, ଅଟୋ, ଏସ୍‌ୟୁଭି, ମିନି ବସ୍‌ ପାଇଁ ୨୦ଟଙ୍କା ଏବଂ କୋଚ୍, ବସ୍‌, ଟ୍ରକ ପାଇଁ ୩୦ଟଙ୍କା ରହିଛି। ୨ଘଣ୍ଟାକୁ ଯଥାକ୍ରମେ ୧୫, ୫୫, ୬୦ ଓ ୭୦ଟଙ୍କା, ୨ରୁ ୭ଘଣ୍ଟା ପାଇଁ ଦୁଇ ଚକିଆ ଯାନ ପିଛା ଅତିରିକ୍ତ ୫ଟଙ୍କା ଏବଂ ଅନ୍ୟ ଗାଡ଼ି ପାଇଁ ଅତିରିକ୍ତ ୧୦ଟଙ୍କା ଦେବାକୁ ପଡ଼ିବ। ସେହିପରି ୨୪ଘଣ୍ଟା ଗାଡ଼ି ପାର୍କିଂ କଲେ ଦୁଇ ଚକିଆ ଯାନ ପାଇଁ ୪୫ଟଙ୍କା, କାର୍‌ ପାଇଁ ୧୬୫ଟଙ୍କା, ଅଟୋ, ଏସ୍‌ୟୁଭି ଓ ମିନି ବସ୍‌ ପାଇଁ ୧୮୦ଟଙ୍କା ଏବଂ କୋଚ୍‌, ବସ୍‌, ଟ୍ରକ୍ ପାଇଁ ୨୧୦ଟଙ୍କା ଦେବାକୁ ପଡ଼ିବ। ସରକାରୀ ଗାଡ଼ି ଓ ସରକାରୀ କାର୍ଯ୍ୟରେ ବ୍ୟବହୃତ ବସ୍‌ ପାଇଁ ପ୍ରବେଶ ଓ ପ୍ରସ୍ଥାନ ଫି’ ଦେବାକୁ ପଡ଼ିବନି।

ସେହିପରି ପାର୍କିଂ ବ୍ୟବସ୍ଥା କୋହଳ ହେବା ପରେ ଯେପରି ଶୃଙ୍ଖଳିତ ଭାବେ ଗାଡ଼ି ଯାତାୟତ କରିବ ଏବଂ ଟର୍ମିନାଲ ସମ୍ମୁଖରେ ଗାଡ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ନରହିବ ସେଥିପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ଜରିମାନା ଆଦାୟକୁ କଡ଼ାକଡ଼ି କରିଛନ୍ତି। ଗାଡ଼ି ଯାତାୟତ କରୁଥିବା ରାସ୍ତା, ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଉପରେ ଗାଡ଼ି ପାର୍କିଂ କଲେ ନିୟମ ଅନୁଯା‌ୟୀ ଜରିମାନା ଆଦାୟ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି।

ସମ୍ବନ୍ଧିତ ଖବର