କଟକ: ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚସି) ପ୍ରତିଷ୍ଠା ପ୍ରସଂଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ବଳରାମପୁରଠାରେ ନୂଆ ପିଏଚସି ପ୍ରତିଷ୍ଠା ପାଇଁ ଆର୍ଥିକ ମଞ୍ଜୁରୀ ଓ ପ୍ରଶାସନିକ ଅନୁମୋଦନ ସରକାରଙ୍କ ପକ୍ଷରୁ ଦିଆଯାଇଛି କି ନାହିଁ ସେ ନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଅବଗତ କରବାକୁ ହାଇକୋର୍ଟ କହିଛନ୍ତି। ନୂଆ ପିଏଚସି ନିର୍ମାଣ ପାଇଁ ଜମି ଚିହ୍ନଟ ଓ ହସ୍ତାନ୍ତର ହୋଇଛି କି ନାହିଁ ସେ ନେଇ ଜବାବରେ ସ୍ପଷ୍ଟ କରାଯିବ। ଏଥି ସହିତ ଏହି ପ୍ରସଂଗରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜବାବରେ ଉଲ୍ଲେଖ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସେପ୍ଟେମ୍ବର ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ବଳରାମପୁରଠାରେ ନୂଆ ପିଏଚ୍ସି ପ୍ରତିଷ୍ଠା ପାଇଁ ରହିଥିବା ପ୍ରସ୍ତାବ କାର୍ଯ୍ୟକାରୀ ଦିଗରେ ବିଳମ୍ବ ଅଭିଯୋଗ କରି ଆବେଦନକାରୀ ଏହି ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଏହି ପ୍ରସଂଗରେ ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ୨୦୨୨, ଅକ୍ଟୋବର ୨୯ର ତଥ୍ୟ ଆବେଦନକାରୀଙ୍କ ତରଫରୁ ଶୁଣାଣି ସମୟରେ ଉପସ୍ଥାପନ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ନବ ଗଠିତ ସ୍କ୍ରିନିଂ କମିଟି ବୈଠକ ଜାତୀୟ ସ୍ବାସ୍ଥ୍ୟ ମିସନ ଏମଡିଙ୍କ ଅଧ୍ୟକ୍ଷତାରେ ୨୦୨୨, ସେପ୍ଟେମ୍ବର ୧୪ରେ ଅନୁଷ୍ଠିତ ହୋଇଥିଲା। ବଳରାମପୁରଠାରେ ନୂତନ ପିଏଚସି ପ୍ରତିଷ୍ଠା ପ୍ରସ୍ତାବକୁ ବୈଠକରେ ଅନୁମୋଦନ କରାଯିବା ସହିତ ଏ ନେଇ ସରକାରଙ୍କୁ ଅବଗତ କରାଯାଇଥିଲା। ଏଥି ସହିତ ବାଲିଆପାଳ ତହସିଲଦାର ମଧ୍ୟ ନୂତନ ପିଏଚସି ନିର୍ମାଣ ପାଇଁ ଜମି ଚିହ୍ନଟ କରି ସାରିଛନ୍ତି ଓ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ମାମଲାରେ ରାଜ୍ୟ ସରକାର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, ବାଲେଶ୍ବର ସିଡିଏମଓ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।