ଗଞ୍ଜାମ ପାଇଁ ନୂଆ ରଣନୀତି; ଭିତ୍ତିଭୂମି ସମ୍ପ୍ରସାରଣ, ଟେଲି ମେଡିସିନ୍‌ ଉପରେ ଗୁରୁତ୍ୱ

ଭୟ କମାଇବାକୁ ସୁସ୍ଥ‌ ରୋଗୀଙ୍କୁ ଆଗକୁ ଅଣାଯିବ, ଏମ୍‌କେସିଜି ଓପିଡି, ଏମର୍ଜେନ୍ସି ଖୁବ୍ ଶୀଘ୍ର ଖୋଲିବ

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ବହୁ ପ୍ରଶାସନିକ ଅଧିକାରୀ, ଡାକ୍ତର ନିଯୁକ୍ତି ପରେ ବି ବାଟ ବାହାରୁନି। ଏହି ଜିଲ୍ଲାରେ କରୋନା ମୃତ୍ୟୁକୁ ରୋକିବା ଓ ତଦାରଖ ବ୍ୟବସ୍ଥାକୁ ଦୃଢ଼ କରିବା ପାଇଁ ସରକାର ପୁଣି ନୂଆ ରଣନୀତି ଗ୍ରହଣ କରିଛନ୍ତି। ଏଥିରେ ଭିତ୍ତିଭୂମି ସମ୍ପ୍ରସାରଣ, ଟେଲି ମେଡିସିନ୍‌ ଓ ସ‌େଚତନତା ଉପରେ ବିଶେଷ ଗୁରୁତ୍ବ ଦେବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। କରୋନା ସମ୍ପର୍କରେ ଲୋକଙ୍କୁ ମନରେ ଭୟ ଦୂର କରାଇବାକୁ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କୁ ଆଗକୁ ଅଣାଯିବ। ସେମାନେ କୋଭିଡ୍‌ ମନିଟର୍‌ ଭାବେ ଅନ୍ୟ ରୋଗୀଙ୍କୁ ପରାମର୍ଶ ଦେବେ।

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ଏମର୍ଜେନ୍ସି ଓ ଓପିଡି ବନ୍ଦ ଥିବାରୁ ରୋଗୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏଠାରେ ଏମର୍ଜେନ୍ସି ଓ ଓପିଡି ଖୋଲିବା ସହ ଏହାକୁ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମେଡିକାଲ କଲେଜରେ ଜଣେ ଅତିରିକ୍ତ ଅଧୀକ୍ଷକଙ୍କୁ ନିଯୁକ୍ତ କରାଯିବ।

ଆଜି ଲୋକସେବା ଭବନରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତ‌ାରେ ବସିଥିବା ଏକ ବୈଠକରେ ଗଞ୍ଜାମ ପାଇଁ ଏମିତି ଅନେକ ନିଷ୍ପତ୍ତି ନିଆଯାଇଛି। ଏମ୍‌କେସିଜିର ଶିଶୁ ରୋଗ ୱାର୍ଡକୁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର୍‌ରେ ପରିଣତ କରାଯିବ। ଏହା ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରହିବ। ସେହିପରି ମଧ୍ୟ ବିଦ୍ୟୁତପୁରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର୍‌ ହେବ ଏବଂ ଏହା ବ୍ରହ୍ମପୁର ମହାନଗର ନିଗମ ଦ୍ବାରା ପରିଚାଳିତ ହେବ। ଅକ୍ସିଜେନ୍ ସ୍ତର କମ୍ ଥାଇ ବିଳମ୍ବରେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ନିମନ୍ତେ ପ୍ରତି ସିସିସି ଓ ସିଏଚ୍‌ସିରେ ୧୦ ପ୍ରତିଶତ ଶଯ୍ୟା ସଂରକ୍ଷିତ ରହିବ।

କରୋନା ପଜିଟିଭ୍ ରୋଗୀମାନଙ୍କ ଉତ୍କଣ୍ଠା କମାଇବା ତଥା ପରାମର୍ଶ ଦେବା ପାଇଁ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ନେତୃତ୍ବରେ ମନସ୍ତାତ୍ତ୍ବିକ ପରାମର୍ଶଦାତା ରହିବେ ଏବଂ ସେମାନେ ଟେଲି କାଉନ୍‌ସେଲିଂ କର‌ିବେ। ସୁସ୍ଥ ହୋଇଥିବା କୋଭିଡ୍‌ ରୋଗୀମାନଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯିବ ଏବଂ କୋଭିଡ୍‌ ମନିଟର୍‌ ଭାବେ ସେମାନେ ଅନ୍ତତଃ ୧୦ ଜଣ ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଓ ସାହସ ଦେବେ। ଏଥି ପାଇଁ ସେମାନଙ୍କୁ ଏକ ହଜାର ଟଙ୍କା ଦିଆଯିବ।

‘ହୋମ୍ ଆଇସୋଲେସନ୍‌’ରେ ଥିବା ରୋଗୀମାନଙ୍କୁ ମେଡିସିନ୍ କିଟ୍‌ ଯୋଗାଇଦେବା ସହିତ ଓଡ଼ିଆରେ ଔଷଧ ଖାଇବା ସୂଚନା ଦିଆଯିବ। ଜରୁରି ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନଙ୍କ ସୁବିଧା ପାଇଁ ଭେଷଜ, ଶଲ୍ୟ, ମାନସିକ ରୋଗୀ ଏବଂ ଶିଶୁରୋଗର ସେବା ଟେଲିମେଡିସନ୍ ବ୍ୟବସ୍ଥା ମାଧ୍ୟମରେ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯିବ। କୋଭିଡ୍‌ ପଜିଟିଭ୍ ରୋଗୀ ଓ ସୁସ୍ଥ ହୋଇଥିବା ରୋଗୀମାନଙ୍କୁ ମଧ୍ୟ ମାନସିକ ସୁସ୍ଥତା ପାଇଁ କଲ୍‌ ସେଣ୍ଟର୍‌ ଜରିଆରେ ଆବଶ୍ୟକ ପରାମର୍ଶ ଦିଆଯିବ।

ସମ୍ବନ୍ଧିତ ଖବର