ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ପାଇଁ ସରକାରଙ୍କ ବଡ଼ ‌ଯୋଜନା : ବଦଳିଯିବ ପୁରୀ ଚେହେରା

ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀକ୍ଷେତ୍ର ପୁରୀ ଓଡ଼ିଶାର ପରିଚୟ। ପୁରୀକୁ ବିଶ୍ବ ଐତିହ୍ୟ ସହର ମାନ୍ୟତା ଦେବାକୁ ଯାଇ ରାଜ୍ୟ ସରକାର ଏହାର ଭିତ୍ତିଭୂମି ବିକାଶ ପାଇଁ ଦୀର୍ଘ ମିଆଦି ଯୋଜନା କରିଛନ୍ତି। ଏ ବାବଦରେ ପ୍ରାୟ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଥମ ପର୍ଯ୍ୟ‌ାୟରେ ଅବଢା ‌ଯୋଜନାରେ ୨୬୫ କୋଟି ଟଙ୍କା ମଂଜୁର କରିବା ପରେ ମୁଖ୍ୟମନ୍ତ୍ରୀ ଆଜି ପୁଣି ଥରେ ୫୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ଅର୍ଥରେ ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଦେଶର ପ୍ରଥମ ଟ୍ରମ୍ପେଟ୍‌ ସେତୁ, ଜଗନ୍ନାଥ ବଲ୍ଲଭ ମଠର ବିକାଶ, ମୂଷା ନଦୀର ପୁନଃରୁଦ୍ଧାର, ଅଠରନଳାର ସୌନ୍ଦର୍ଯ୍ୟକରଣ, ୨୮ ଏକର ଜମିରେ ଅତ୍ୟାଧୁନିକ ହ୍ରଦ, ମାର୍କେଟ୍‌ କମ୍ପ୍ଲେକ୍ସ ଓ ତୀର୍ଥ ପୁଷ୍କରିଣୀର ବିକାଶ କରାଯିବ। ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ଏବଂ ଆଗକୁ ଏହା କିଭଳି ରୂପ ନେବ ତାକୁ ନେଇ ‘ସମ୍ବାଦ’ର ବିଶେଷ ଉପସ୍ଥାପନା

ଜଗନ୍ନାଥ ବଲ୍ଲଭ ମଠ

ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ରହିଛି ଜଗନ୍ନାଥ ବଲ୍ଲଭ ମଠ। ବସନ୍ତପଞ୍ଚମୀ ଭଳି ଅନେକ ପର୍ବପର୍ବାଣୀରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଏଠାକୁ ବିଜେ କରିଥାନ୍ତି। ଜଗନ୍ନାଥ ବଲ୍ଲଭ ମଠର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ୧୮୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଯେଉଁଥିରେ ବହୁତଳ ପାର୍କିଂ ସାଙ୍ଗକୁ ଯାତ୍ରୀମାନଙ୍କ ବିଭିନ୍ନ ସୁବିଧାକୁ ଅଗ୍ରାଧିକାର ଦିଆଯାଇଛି। ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଯାତ୍ରୀଙ୍କ ସୁବିଧା ପାଇଁ ଦୋକାନବଜାର କରିବାକୁ ବି ନିଷ୍ପତ୍ତି ହୋଇଛି। ଜଗନ୍ନାଥ ବଲ୍ଲଭ ମଠ ୪୨ ଏକର ଜାଗାରେ ପରିବ୍ୟାପ୍ତ ଥିବାବେଳେ ଏଠାରେ ଆଗରୁ କ୍ରାଫ୍ଟ କମ୍ପ୍ଲେକ୍ସ, ବ୍ୟାଖ୍ୟାନ କେନ୍ଦ୍ର, ପାର୍କ, ଶୌଚାଳୟ ଆଦିର ସୁବିଧା ରହିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଚାରିଚକିଆ ଗାଡ଼ିର ପାର୍କିଂ ବ୍ୟବସ୍ଥା ବି ଏଠାରେ କରାଯାଇଛି। ଏ ବାବଦକୁ ପର୍ଯ୍ୟଟନ ବିଭାଗ ସହ ଅନ୍ୟ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାରିଛନ୍ତି। କ୍ରାଫ୍ଦ କମ୍ପ୍ଲେକ୍ସରେ ଦୋକାନ ଘର ସହ ଏକ ବଡ଼ ଡର୍ମିଟୋରି ରହିଥିଲା। ଯାହା ଏବେ ଭୂତକୋଠି ପାଲଟିଛି। ଦୋକାନ ଘର ପାଇଥିବା ଦୋକାନୀମାନେ ଘର ନେଇଛନ୍ତି ସତ, କିନ୍ତୁ ବଡ଼ଦାଣ୍ଡ ଉପରେ ପସରା ମେଲାଇଛନ୍ତି। ଡର୍ମିଟୋରିରେ ଆଜି ପର୍ଯ୍ୟନ୍ତ କେହି ରହିନାହାନ୍ତି। ବିଜୁଳି, ପାନୀୟ ଜଳ ସମସ୍ୟା ଯୋଗୁଁ ଆଜି ପର୍ଯ୍ୟନ୍ତ ଏହା କାମରେ ଆସିପାରିନି।

ଅଠରନଳାର ସୌନ୍ଦର୍ଯ୍ୟକରଣ ଓ ମୂଷା ନଦୀର ପୁନରୁଦ୍ଧାର

ମୂଷା ନଦୀ ପୁନରୁଦ୍ଧାର ପାଇଁ ୮୫ କୋଟି ଏବଂ ଅଠରନଳାର ବିକାଶ, ସୌନ୍ଦର୍ଯ୍ୟକରଣ ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ସରକାର। ଏହି ଯୋଜନା କାର୍ଯ୍ୟକାରୀ ହେ‌ଲେ ପୁରୀର ପ୍ରବେଶ ପଥ ଝଲସି ଉଠିବ। ମୂଷାନଦୀକୁ ମଙ୍ଗଳା ନଦୀ ସହିତ ସଂଯୋଗ କରାଯିବ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ସହାୟତାରେ ପୋଲର ବିକାଶ ମଧ୍ୟ କରାଯିବ। ଏବେ ମୂଷା ନଦୀ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଯଦିଓ ପୂର୍ବରୁ ମୂଷା ନଦୀର ପୁନରୁଦ୍ଧାର କାମ ଚାଲିଛି, ଏହା କିନ୍ତୁ ସଂପୂର୍ଣ୍ଣ ହୋଇ ପାରିନାହିଁ। ୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂଷା ନଦୀ ପୁନଃରୁଦ୍ଧାର ପାଇଁ ୨୫ କୋଟି ଟଙ୍କା ମଂଜୁର କରିଥିଲେ। ଏହି ଅର୍ଥରେ ନଦୀ ଖନନ ସାଙ୍ଗକୁ ନଦୀର ଦୁଇପାର୍ଶ୍ବରେ ୱାଲ୍‌ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ତିନି ବର୍ଷ ବିତି ଯାଇଥିଲେ ବି ଏହାର ୨୫ ପ୍ରତିଶତ କାମ ସରିନାହିଁ। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ୯ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ଅଠରନଳାଠାରୁ ହୁଳୁହୁଳିଆ ପୋଲ ପର୍ଯ୍ୟନ୍ତ ୯୮୦ ମିଟର ନଦୀର ଖନନ କାର୍ଯ୍ୟ ହେବ ବୋଲି ପ୍ରସ୍ତାବ ରହିଥିଲା। ମାତ୍ର କାର୍ଯ୍ୟର ଅଗ୍ରଗତିରୁ ମୂଷା ନଦୀ ପୁନଃରୁଦ୍ଧାର ଯୋଜନାର ଭବିଷ୍ୟତ ପୁଣି ଥରେ ଅନ୍ଧାର ଭିତରକୁ ଠେଲି ହୋଇ ଯାଇଥିଲା। ଏବେ ପୁଣି ୮୫ କୋଟି ଟଙ୍କା ଆସିଛି। ପୂର୍ବରୁ ‘ହୃଦୟ’ ଯୋଜନାରେ ଅଠରନଳା ସୌନ୍ଦର୍ଯ୍ୟକରଣ ପାଇଁ ୫ କୋଟି ମିଳିଥିଲେ ବି ତାହା ଏ ଯାଏ ଖର୍ଚ୍ଚ ହୋଇ ପାରିନାହିଁ।

ପଞ୍ଚତୀର୍ଥ ପୁଷ୍କରିଣୀ

ଇନ୍ଦ୍ରଦ୍ୟୁମ୍ନ: ଗୁଣ୍ଡିଚା ମନ୍ଦିରର ଉତ୍ତର ପଶ୍ଚିମ ପାର୍ଶ୍ବରେ ରହିଛି ପବିତ୍ର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ। ପୁରୀର ପଞ୍ଚତୀର୍ଥ ମଧ୍ୟରୁ ଏହା ଅନ୍ୟତମ। ୩୯୫ ଫୁଟ୍‌ ଓସାର ଓ ୪୮୫ ଫୁଟ୍‌ ଲମ୍ବ ଏହି ପୁଷ୍କରିଣୀ ସାଢେ ୪ ଏକର ପରିମିତ ଜମିରେ ପରିବ୍ୟାପ୍ତ। ଏହି ପୁଷ୍କରିଣୀ ସହିତ ଲୋକଙ୍କ ଧାର୍ମିକ ବିଶ୍ବାସ ଜଡ଼ିତ। ଏଠାରେ କୃଷ୍ଣ ମନ୍ଦିର ଓ ଇନ୍ଦ୍ରଦ୍ୟୁମ୍ନଙ୍କ ମନ୍ଦିର ରହିଛି। କଥିତ ଅଛି, ବ୍ରହ୍ମା ଏଠାରେ ଦଶାଶ୍ବମେଧ ଯଜ୍ଞର ଆ‌ୟୋଜନ କରିଥିଲେ। ଗାଈଙ୍କ ଖୁରାରେ ଏହି ତୀର୍ଥ ପୁଷ୍କରିଣୀର ସୃଷ୍ଟି। ଏହା ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ ଆବର୍ଜନାରେ ଭର୍ତ୍ତି ହୋଇରହିଛି।

ଶ୍ବେତଗଙ୍ଗା: ଏହି ପୁଷ୍କରିଣୀ ମଧ୍ୟ ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ। ଏହାକୁ ଗୁପ୍ତ ଗଙ୍ଗା ବୋଲି କୁହାଯାଏ। ପୌରାଣିକ କଥା ଅନୁସାରେ, ସତ୍ୟଯୁଗରେ ଶ୍ବେତ ନାମକ ଜଣେ ରାଜା ମହାପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ। ‌‌ସେ ଏଠାରେ ଯଜ୍ଞ କରିଥିଲେ। ଯଜ୍ଞରେ ସନ୍ତୁଷ୍ଟ ହୋଇ ଗଙ୍ଗା ମାତା ଏଠାରେ ପ୍ରକଟ ହୋଇଥିଲେ। ଗଙ୍ଗ‌ା ନଦୀ ସହିତ ଶ୍ବେତଗଙ୍ଗାର ସଂଯୋଗ ଥିବା ବିଶ୍ବାସ କରାଯାଏ। ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବରେ ଥିବା ଏହି ପୁଷ୍କରିଣୀ ଏବେ ଅବହେଳିତ ଅବସ୍ଥାରେ ରହିଛି। ଏହାର ପୁନରୁଦ୍ଧାର ଅପରିହାର୍ଯ୍ୟ ଥିବା ସ୍ଥାନୀୟ ଲୋକ କହିଛନ୍ତି।

ମାର୍କଣ୍ଡ ପୁଷ୍କରିଣୀ: ପୁରୀର ପଞ୍ଚତୀର୍ଥ ମଧ୍ୟରୁ ଏହା ପ୍ରଥମ ତୀର୍ଥ ପୁଷ୍କରିଣୀ। ଏଠାରେ ଋଷି ମାର୍କଣ୍ଡେୟ ତପସ୍ୟା କରିଥିଲେ। ମାର୍କେଣ୍ଡଶ୍ବର ସାହିର ୪ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ତୀର୍ଥ ପୁଷ୍କରିଣୀ ଏବେ ତାର ଗୁରୁତ୍ବ ହରାଇଛି। ପାଚେରି ନଥିବାରୁ ବାହାର ଜଳ ପୁଷ୍କରିଣୀରେ ମିଶି ଏହାକୁ ପ୍ରଦୂଷିତ କରୁଛି। ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଥିବା ପ୍ରାଚୀନ ମାର୍କଣ୍ଡେୟ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପଞ୍ଚତୀର୍ଥ ଦର୍ଶନ ପାଇଁ ଆଗ ଭଳି ଭକ୍ତ ଏଠାକୁ ଆସୁନାହାନ୍ତି। ପୁଷ୍କରିଣୀର ବିକାଶ ହେ‌‌ଲେ ଏଠାକୁ ବହୁସଂଖ୍ୟାରେ ପର୍ଯ୍ୟଟକ ଆସିବାର ସମ୍ଭାବନା ରହିଛି।
ନରେନ୍ଦ୍ର ପୁଷ୍କରିଣୀ: ପୁରୀର ପଞ୍ଚତୀର୍ଥ ମଧ୍ୟରେ ନ ଥିଲେ ମଧ୍ୟ ଏହାର ଅନେକ ଗୁରୁତ୍ବ ରହିଛି। ଏଠାରେ ମହାପ୍ରଭୁ ଚନ୍ଦନ ଯାତ୍ରାରେ ଚାପ ଖେଳିଥାନ୍ତି। ପଞ୍ଚଦଶ ଶତାଦ୍ଦୀରେ ଏହି ପୁଷ୍କରିଣୀ ନିର୍ମାଣ କରାଯାଇଥିବା ବିଶ୍ବାସ କରାଯାଏ। ପଞ୍ଚତୀର୍ଥ ପୁଷ୍କରିଣୀର ବିକାଶ ପାଇଁ ପୂର୍ବରୁ ମଧ୍ୟ ପ୍ରୟାସ କରାଯାଇଛି। ଏହି ପୁଷ୍କରିଣୀ ରାଜ୍ୟର ସବୁଠୁ ସୁନ୍ଦର ତଥା ବଡ ପୁଷ୍କରିଣୀ ଭାବେ ବିବେଚନା କରାଯାଏ।

ସମ୍ବନ୍ଧିତ ଖବର