ପିଲାଙ୍କ କମ ମାର୍କକୁ ନେଇ ଚିନ୍ତାରେ ସରକାର, ବଢ଼ିବ ଗଣିତ,ବିଜ୍ଞାନ ଓ ଇଂରାଜୀ ପିରିୟଡ଼ ଅବଧି  

ଭୁବନେଶ୍ୱର: କିଭଳି ବଢ଼ିବ ପିଲାଙ୍କ ଇଂରାଜୀ ଜ୍ଞାନ, ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟ ସରକାର | ସେଥିପାଇଁ ନିଆଯାଇଛି ନୂଆ ନିଷ୍ପତ୍ତି | ଏଣିକି ୪୫ ମିନିଟ ପରିବର୍ତ୍ତେ ଦେଢ଼ଘଣ୍ଟା ଲେଖାଏଁ ପିରିୟଡ଼ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି | ତେବେ ଇଂରାଜୀ, ଗଣିତ ଓ ବିଜ୍ଞାନ ପିରିୟଡର ଅବଧି ବଢ଼ିବାକୁ ନିଷ୍ପତ୍ତି ନିଆଯାଇଛି | ମନ୍ତ୍ରୀଙ୍କ କହିବା ମୁତାବକ ଏହି ତିନିଟି ବିଷୟରେ ପିଲାମାନେ କମ ମାର୍କ ରଖୁଥିବାରୁ ୪୫ ମିନିଟ ପରିବର୍ତ୍ତେ ଦେଢ଼ ଘଣ୍ଟା କ୍ଲାସ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି |

ଚଳିତ ଶିକ୍ଷାବର୍ଷରୁ ନିୟମ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେବାସହ ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନିୟମ ଲାଗୁ ହେବ |  ଏହାଛଡା ପାଇଲଟ ପ୍ରୋଜେକ୍ଟ ହିସାବରେ ଜିଲ୍ଲାର ଗୋଟିଏ ସ୍କୁଲକୁ ବଛାଯିବ | ଯେଉଁଠାରେ ସ୍ୱତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ | ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷାକୁ ଗୁରୁତ୍ୱ ଦିଆଯିବା ସହ କିଭଳି ପିଲା ଅଧିକ ନମ୍ବର ରଖିବେ ତାହା ଉପରେ ଦୃଷ୍ଟି ଦିଆଯିବ |

ବର୍ତ୍ତମାନ ଜିଲ୍ଲା ସ୍ତରରେ ଗୋଟିଏ ସ୍କୁଲରେ ସ୍ୱତନ୍ତ୍ର ଇଂରାଜୀ ଶିକ୍ଷା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ପରେ ବ୍ଲକ ସ୍ତରରେ ମଧ୍ୟ ସ୍ବତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି |

ସମ୍ବନ୍ଧିତ ଖବର