ଭୁବନେଶ୍ବର : ରାଜ୍ୟ ସରକାର ୧୨ଟି ନୂତନ ଅଣ ବୃହତ୍ତ ବନ୍ଦର ପ୍ରତିଷ୍ଠା ନିମନ୍ତେ ସ୍ଥାନ ନିରୂପଣ କରିବା ସହ ୨୦୦୪ ମସିହାରେ ଓଡ଼ିଶା ବନ୍ଦର ନୀତି ପ୍ରଣୟନ କରିଛନ୍ତି। ହେଲେ ୧୭ବର୍ଷ ମଧ୍ୟରେ ଏଥିରୁ ମାତ୍ର ୩ଟି ବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇପାରିଛି। ବାକି ୯ଟି ବନ୍ଦର ଏବେବି ଅନିଶ୍ଚିତତା ଭିତରେ ରହିଛି। ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ଏହି ସୂଚନା ମିଳିଛି।

Advertisment

ସୂଚନା ଅନୁଯାୟୀ, ରାଜ୍ୟ ସରକାର ବାଲେଶ୍ବରର ବିଚିତ୍ରପୁର, ସୁବର୍ଣ୍ଣରେଖା ମୁହାଣ, ବାହାବଳପୁର, ଚାନ୍ଦିପୁର, ଇଞ୍ଚୁଡ଼ି, ଭଦ୍ରକ ଜିଲ୍ଲାର ଚୁଡ଼ାମଣି, ଜଗତସିଂହପୁରର ଜଟାଧାର ମୁହାଣ, ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ ବାଲିହରଚଣ୍ଡୀ, ଗଞ୍ଜାମ ଜିଲ୍ଲାର ପାଲୁର, ବାହୁଦା ମୁହାଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ମହାକାଳପଡ଼ା ବ୍ଲକର ଆଖଡ଼ାଶାଳୀରେ ନଦୀଭିତ୍ତିକ ବନ୍ଦର ପାଇଁ ଯୋଜନା କରିଥିଲେ। ହେଲେ ଏଥିରୁ ଏବେ ସୁଦ୍ଧା ସୁବର୍ଣ୍ଣରେଖା ମୁହାଣରେ ପ୍ରାରମ୍ଭିକ କାମ, ଅସ୍ତରଙ୍ଗ ବନ୍ଦରରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ମହାକାଳପଡ଼ା ବ୍ଲକର ଆଖଡ଼ାଶାଳୀରେ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ପାରାଦୀପ ବନ୍ଦର ଟ୍ରଷ୍ଟକୁ ନୀତିଗତ ଅନୁମୋଦନ ପ୍ରଦାନ କରାଯାଇଛି।