ଅନନ୍ତଙ୍କୁ ମନାଇବାକୁ ନୂଆ ପଦବି : ଭୁବନେଶ୍ବର ପର୍ଯ୍ୟବେକ୍ଷକ ସହ ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ବ

ଭୁବନେଶ୍ବର : ବିଜେଡି ନେତା ତଥା ବିଏମ୍‌ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦଳ ଅସନ୍ତୁଷ୍ଟ କରିବାକୁ ଚାହୁଁନି। ଏଥିପାଇଁ ଆଜି ତାଙ୍କୁ ସମ୍ପାଦକରୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ବିେ଼ଜଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ପଦୋନ୍ନତି ଦେଇଛନ୍ତି। ଏହାସହ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଏବଂ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।

ଭୁବନେଶ୍ବର ମଧ୍ୟ କିମ୍ବା ଉତ୍ତର ନିର୍ବାଚନ ମଣ୍ତଳୀରୁ ବିଧାୟକ ପ୍ରାର୍ଥୀ ହେବାକୁ ଆଶା ରଖିଥିବା ଅନନ୍ତଙ୍କୁ କିଛିଦିନ ତଳେ ବିଡିଏର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। କିନ୍ତୁ ଅନନ୍ତ ଏନେଇ ଖୁସି ନଥିଲେ। ନୂଆ ନିଯୁକ୍ତି ନେଇ ସେ ଖୁସି ନାହାନ୍ତି ବୋଲି କେବେ ଖୋଲାଖୋଲି କହିନଥିଲେ ହେଁ ତାଙ୍କ ସମର୍ଥକଙ୍କ ମଧ୍ୟରେ ନିରାଶା ଖେଳି ଯାଇଥିଲା। ଅନନ୍ତଙ୍କ ଶିବିରରେ ଅସନ୍ତୋଷ ବଢ଼ୁଥିବାବେଳେ ବିଜେପି ଅନନ୍ତଙ୍କୁ ଦଳକୁ ନେବାକୁ ବି ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଥିଲା। ଅନନ୍ତଙ୍କୁ ନିରାଶ କଲେ ଦଳ ଭୁବନେଶ୍ବରରେ ଅକଳରେ ପଡ଼ିବାର ଆଶଙ୍କା ଥିବାରୁ ତାଙ୍କୁ ଯଥା ସମ୍ଭବ ବୁଝାଇବାକୁ ଚେଷ୍ଟା କରାଯାଇଛି। ଅନନ୍ତ ଦଳ ଡେଇଁବା ପୂର୍ବରୁ ବିଜେଡି ତାଙ୍କୁ ସାଧାରଣ ସମ୍ପାଦକ ସହ ଭୁବନେଶ୍ବରର ସାଙ୍ଗଠନିକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି।

ଭୁବନେଶ୍ବରରେ ଅନନ୍ତଙ୍କର ଦବ୍‌ଦବା ଥିବାବେଳେ ତିନି ବିଧାୟକଙ୍କ ଠାରୁ ସେ ଅଧିକ ଲୋକପ୍ରିୟ ନେତା ପାଲଟିଯାଇଛନ୍ତି। କେବଳ ଏତିକି ନୁହେଁ ରାଜଧାନୀରେ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଦଳର ସମସ୍ତ କାର୍ଯ୍ୟକ୍ରମରେ ସେ ଆଗରେ ରୁହନ୍ତି। ଦଳ ପ୍ରତି ତାଙ୍କର ଥିବା ଆନୁଗତ୍ୟ ଯୋଗୁଁ ତାଙ୍କ ନାମରେ ଆସିଥିବା ବିଭିନ୍ନ ଅଭିଯୋଗ ସମୟରେ ବି ଦଳ ତାଙ୍କ ପଛରେ ଛିଡ଼ା ହୋଇଥିଲା। ତେଣୁ ଅନନ୍ତଙ୍କୁ ଦଳ ନୂଆ ପଦବି ଦେବା ସହ ଭୁବନେଶ୍ବରରେ ବିଜେଡିକୁ ଅଧିକ ସୁଦୃଢ କରିବାକୁ ତାଙ୍କୁ ସାଙ୍ଗଠନିକ ଦାୟିତ୍ବ ବି ଦେଇଛି।

ଏନେଇ ଅନନ୍ତଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଦଳ ପାଇଁ ଅଧିକ କାର୍ଯ୍ୟ କରିବାକୁ ତାଙ୍କୁ ସୁଯୋଗ ଦିଆଯାଇଛି। ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେଇଛି ତାକୁ ସେ ସୂଚାରୁ ରୂପେ ତୁଲାଇବେ। ସେ ବିଡିଏ ଅଧ୍ୟକ୍ଷ ଦାୟିତ୍ବ ନେଇନଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ମିଛ। ସେ ଗତ ଶୁକ୍ରବାର ଦାୟିତ୍ବ ନେଇଛନ୍ତି ବୋଲି ଅନନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର