ରାଜେନ୍ଦ୍ର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ନୂତନ ପଦବି ସୃଷ୍ଟି

ଭୁବ‌ନେଶ୍ବର : ୨୦୨୦ରେ ନୂଆ କରି ସୃଷ୍ଟି ହୋଇଥିବା ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ପ୍ରଫେସର ନିଯୁକ୍ତି ଲାଗି ପଦବି ସୃଷ୍ଟି କରାଯାଇଛି। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଲାଗି ୧୨୬ଟି ପଦବି ସୃଷ୍ଟି ହୋଇଛି। ଏଥିରେ ୧୮ଟି ପ୍ରଫେସର ପଦବି ଥିବା ବେଳେ ୩୬ଟି ଆସୋସିଏଟ୍‌ ପ୍ରଫେସର ଓ ୭୨ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ରହିଛି। ମୋଟ ୧୮ଟି ପିଜି ବିଭାଗରେ ପ୍ରଫେସର ନିଯୁକ୍ତି ହେବେ। ପ୍ରତି ବିଭାଗରେ ୭ଟି ଲେଖାଏଁ ପଦବି ସୃଷ୍ଟି କରାଯାଇଛି।

ସେହିପରି କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୯୮ଟି ପଦବି ସୃଷ୍ଟି ହୋଇଛି। ୧୪ଟି ପିଜି ବିଭାଗ ପାଇଁ ୧୪ଟି ପ୍ରଫେସର, ୨୮ଟି ଆସୋସିଏଟ୍‌ ପ୍ରଫେସର ଓ ୫୬ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବି ସୃଷ୍ଟି କରିବାକୁ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ବୀରେନ୍ଦ୍ର କୋରକୋରା ଆଜି ରାଜ୍ୟପାଳଙ୍କ ଅତିରିକ୍ତ ସଚିବଙ୍କୁ ଚିଠି ଲେଖିଛନ୍ତି। ନୂତନ ନିଯୁକ୍ତି ସମୟରେ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା ସଂରକ୍ଷଣ ନିୟମ ଲାଗୁ ହେବ। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ ୨୦୨୦ ଅନୁଯାୟୀ ସୃଷ୍ଟି ହେବାକୁ ଥିବା ଏହି ପଦବିଗୁଡ଼ିକ ନିୟମିତ ଭାବେ ଖୋଲା ବିଜ୍ଞାପନ ମାଧ୍ୟମରେ ପୂରଣ କରାଯିବ। ଏଥିସହ ଓଡ଼ିଶା ଶିକ୍ଷା ସେବା(କଲେଜ ବ୍ରାଞ୍ଚ) ଅନୁଯାୟୀ ବର୍ତମାନ ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟରେ ଥିବା ୭୫ଟି ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟର ୫୯ଟି ଅନୁ ମୋଦିତ ଶିକ୍ଷକ ପଦବିକୁ ଉଚ୍ଛେଦ କରାଯିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି।

ସମ୍ବନ୍ଧିତ ଖବର