‘ସାନ୍ତାଳ ସମୁଦାୟ’ ଦେଶକୁ ଦେଲା ପ୍ରଥମ ଆଦିବାସୀ ରାଷ୍ଟ୍ରପତି; ତଥାପି ହକ୍ ପାଇଁ ଜାରି ରହିଛି ସାନ୍ତାଳୀଙ୍କ ଲଢ଼େଇ

ସେମାନଙ୍କ ସମସ୍ୟା ଉପରେ ପଡ଼ିବ କି ଦୃଷ୍ଟି ?   

ଭୁବନେଶ୍ବର: ଆଜି ପ୍ରଥମ ଆଦିବାସୀ ଭାବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ଅବସ୍ଥାପିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ। କେବଳ ସେତିକି ନୁହେଁ, ସେ ଭାରତର ସର୍ବକନିଷ୍ଠ ତଥା ଦ୍ବିତୀୟ ମହିଳା ରାଷ୍ଟ୍ରପତି ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି। ଯଦିଓ ଅତୀତରେ ବହୁ ଆଦିବାସୀ ଓ ଜନଜାତି ସଂପ୍ରଦାୟର ନେତ୍ରୀ ବିଭିନ୍ନ ଶୀର୍ଷ ପଦପଦବିରେ ଅବସ୍ଥାପିତ ହୋଇଛନ୍ତି, କିନ୍ତୁ ଏଯାବତ୍ ରାଷ୍ଟ୍ରପତି ଆସନ ଅଳଂକୃତ କରି ନଥିଲେ। ଏହି କ୍ରମରେ ଏହା ମଧ୍ୟ ଆଲୋଚନାର ପରିସରକୁ ଅଣାଯାଇପାରେ କି ଜନଜାତିଙ୍କ ସାନ୍ତାଳ ସମୁଦାୟ ଦେଶକୁ ଦେଇଛି ପ୍ରଥମ ମହିଳା ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀର ସାନ୍ତାଳ ପରିବାରର ଝିଅ ଦ୍ରୌପଦୀ ମୁର୍ମୁ ଏବେ ପୃଥିବୀର ସର୍ବବୃହତ ଗଣତନ୍ତ୍ରର ରାଷ୍ଟ୍ରମୁଖ୍ୟ।

କୁହାଯାଏ, ଓଡ଼ିଶାର ବସବାସ କରୁଥିବା ବିଭିନ୍ନ ଆଦିବାସୀ ସଂପ୍ରଦାୟ ମଧ୍ୟରୁ ସାନ୍ତାଳମାନେ ରାଜନୈତିକ, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଅଧିକ ସକ୍ରିୟ ଓ ଅଗ୍ରଣୀ ।  ଏହାପଛରେ ରହିଛି ବିଭିନ୍ନ କାରଣ। ସେମଧ୍ୟରୁ ସାନ୍ତାଳ ସମୁଦାୟର ଗୌରବମୟ ଲଢୁଆ ଇତିହାସ ଏବଂ ଅନ୍ୟ ଆଦିବାସୀ ସମୁଦାୟ ତୁଳନାରେ ସେମାନଙ୍କର ସାମାଜିକ, ରାଜନୈତିକ ଓ ଆର୍ଥିକ ଅଗ୍ରଗଣ୍ୟତା ବିଶେଷ ଗୁରୁତ୍ବ ବହନ କରେ।

ଦେଶରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ଏବଂ ଆସାମ ତଥା ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବର ଜିଲ୍ଲାର ଜନସଂଖ୍ୟାରେ ସାନ୍ତାଳମାନଙ୍କ ଏକ ବଡ଼ ଭାଗୀଦାରୀ ରହିଛି । ଏହା ସତ୍ତ୍ବେ ସେମାନଙ୍କ ଯୁକ୍ତିଯୁକ୍ତ ଦାବି ପୂରଣ ହେବା ତ ଦୂରର କଥା, ସାମୂହିକ ସମସ୍ୟା ମଧ୍ୟ ଲୋକଲୋଚନକୁ ଆସି ପାରି ନାହିଁ। ଆଜି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବେ ବୋଲି ଅନେକ ଗବେଷକ ଏବଂ ସାମାଜିକ କର୍ମକର୍ତ୍ତା ଆଶା ବାନ୍ଧିଛନ୍ତି।

ଅନୁସୂଚିତ ଜାତି-ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ କେନ୍ଦ୍ରର ସୂଚନା ଅନୁସାରେ, ‘ଶାନ୍ତ’ ଏବଂ ‘ଆଳା’ ଏହି ଦୁଇଟି ଶବ୍ଦରୁ ଜନ୍ମ ହୋଇଛି ‘ସାନ୍ତାଳ’ ଶବ୍ଦ, ଯାହାର ଅର୍ଥ ଅଟେ ‘ଶାନ୍ତ ମଣିଷ’ । ୨୦୧୧ ଜନଗଣନା ଅନୁସାରେ ଦେଶରେ ସେମାନଙ୍କ ସଂଖ୍ୟା ପ୍ରାୟ ୭୦ ଲକ୍ଷରୁ ଊର୍ଧ୍ବ, ରାଜ୍ୟରେ ୮.୯୪ ଲକ୍ଷ(ତୃତୀୟ ସର୍ବାଧିକ ଆଦିବାସୀ ସମୁଦାୟ)। ସାକ୍ଷରତା ହାର ମଧ୍ୟ ପାଖାପାଖି ୫୧.୬ ପ୍ରତିଶତ। ରାଜନୈତିକ ଭାବରେ ଏମାନଙ୍କ ପ୍ରଭାବ ଅନ୍ୟ ଆଦିବାସୀ ସମୁଦାୟଙ୍କ ତୁଳନାରେ ଅଧିକ କହିଲେ ଅତ୍ୟୁକ୍ତି ହେବନାହିଁ । ରାଜ୍ୟର ପ୍ରଥମ ଆଦିବାସୀ ମନ୍ତ୍ରୀ ସୁନାରାମ ସୋରେନ(ବିଜୁ ପଟ୍ଟନାୟକଙ୍କ ପ୍ରଥମ ସରକାରରେ) ସାନ୍ତାଳ ସମୁଦାୟର ଥିଲେ। ବର୍ତ୍ତମାନ କେନ୍ଦ୍ରୀୟ ରାଜନୀତିକୁ ପ୍ରଭାବିତ କରୁଥିବା ଗୁଜରାଟ କ୍ୟାଡରର ପୂର୍ବତନ ଆଇଏଏସ୍  ତଥା ସିଏଜି ଗିରିଶ ମୁର୍ମୁ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ରାଜ୍ୟର ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ମଧ୍ୟ ଏହି ସମୁଦାୟର ଅଟନ୍ତି।

ଏକଦା ଯାଯାବର ଜୀବନ ଅତିବାହିତ କରୁଥିବା ଏହି ସମୁଦାୟ ଅଷ୍ଟାଦଶ ଶତବ୍ଦୀରେ ବିହାରର ସାନ୍ତାଳ ପ୍ରଗଣାରେ ସ୍ଥାୟୀ ବସବାସ କରିବା ପରେ ଓଡ଼ିଶାକୁ ଚାଲି ଆସିଥିଲେ। ସ୍ବଭାବତଃ ସ୍ବାଧୀନଚେତା ଏବଂ ଲଢୁଆ ମନୋଭାବ ସଂପନ୍ନ ସାନ୍ତାଳମାନେ ଇଂରେଜମାନଙ୍କ ବିରୋଧରେ ୧୮୫୭ ସୀପାହୀ ବିଦ୍ରୋହର ଅନେକ ପୂର୍ବରୁ ୧୭୮୪ ଏବଂ ୧୮୫୫ ମସିହାରେ ଦୁଇଟି ବଡ଼ ବିପ୍ଳବ କରିଥିଲେ। ଜମିଦାର ଏବଂ ଇଂରେଜଙ୍କ ଜମି ହଡ଼ପ ନୀତିକୁ ବିରୋଧ କରିଥିଲେ। ଏଥିଯୋଗୁଁ ଅନେକ ସହିଦ ହେଲେ କିନ୍ତୁ ସ୍ଥିତି ଏଭଳି ହେଲା ଯେ ଆଦିବାସୀ ଜମି ସୁରକ୍ଷା ପାଇଁ ଥିବା ସ୍ବତନ୍ତ୍ର ପ୍ରଜାସତ୍ବ ଆଇନ ପ୍ରଣୟନ ପାଇଁ ତତକାଳୀନ ସରକାର ବାଧ୍ୟ ହେଲେ।

ସାନ୍ତାଳୀ ଉଇକିପିଡ଼ିଆ ସଞ୍ଚାଳକ ଆର ଅଶ୍ବନୀ ମୁର୍ମୁଙ୍କ ଅନୁସାରେ, ସମଗ୍ର ବିଶ୍ବରେ ଗଣତାନ୍ତ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପୂର୍ବରୁ ସାନ୍ତାଳ ସମୁଦାୟଙ୍କ ମଧ୍ୟରେ ଏହା ଅନେକ କାଳରୁ ରହିଆସିଛି। ଏଠାରେ ଗାଁ ମୁଖିଆଙ୍କୁ ସ୍ଥାନୀୟ ଅଧିବାସୀ ଚୟନ କରନ୍ତି ଯାହାକୁ ମାଝି ପାରଗନା ବୋଲି କୁହାଯାଏ। ପେସା ଆକ୍ଟରେ ଏହାକୁ ସ୍ଥାନିତ କରାଯାଇଛି। ଏହାର ସାମ୍ବିଧାନିକ ସ୍ବୀକୃତି ନାହିଁ। ଏଥିପଛରେ ଦୃଷ୍ଟି ଦିଆଯିବ ବୋଲି ଆଶା ରହିଛି।

ଦ୍ବିତୀୟତଃ ସାନ୍ତାଳି ଏକ ସ୍ବତନ୍ତ୍ର ଭାଷା ଅଟେ ଏବଂ ୨୦୦୩ ମସିହାରେ ଅଷ୍ଟମ ଅନୁଚ୍ଛେଦରେ ଏହାର ମାନ୍ୟତା ରହିଛି। ଏହାର ସ୍ବତନ୍ତ୍ର ଲିପି ବି ରହିଛି। ଏହାକୁ ପଣ୍ଡିତ ରଘୁନାଥ ମୁର୍ମୁ ପ୍ରସ୍ତୁତ କରିଥିଲେ।  ତେଣୁ ସିବିଏସଇ ପାଠ୍ୟଖସଡ଼ାରେ ଅନ୍ୟ ଆଞ୍ଚଳିକ ଭାଷା ଭଳି ପ୍ରାଥମିକ ଶ୍ରେଣୀରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଏହାକୁ ନେଇ ସ୍ବତନ୍ତ୍ର ସାହିତ୍ୟ, ସାନ୍ତାଳ ବହୁଳ ଅଞ୍ଚଳରେ ସ୍କୁଲ, ହାଇସ୍କୁଲରେ ସାନ୍ତାଳି ମାଧ୍ୟମରେ ପାଠପଢା, ଦୂରଦର୍ଶନ, ଆକାଶବାଣୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ଓଡ଼ିଆ ସିଭିଲ ସର୍ଭିସରେ ସ୍ବତନ୍ତ୍ର ବିଷୟବସ୍ତୁ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ସ୍ବତନ୍ତ୍ର ପାଠ୍ୟକ୍ରମ ରଖାଯିବା ଉଚିତ। ଓଡ଼ିଶାରେ ତେଲୁଗୁ ଏବଂ ବଙ୍ଗଳାକୁ ସଂଖ୍ୟାଲଘୁ ଭାଷାର ମାନ୍ୟତା ମିଳିଛି। ମାତ୍ର ସାନ୍ତାଳଙ୍କ ସଂଖ୍ୟା ଏମାନଙ୍କ ଠାରୁ ଅଧିକ ହୋଇଥିଲେ ହେଁ ସାନ୍ତାଳୀ ଭାଷାକୁ ସଂଖ୍ୟାଲଘୁ ଭାଷାର ମାନ୍ୟତା ମିଳି ନାହିଁ।

ତୃତୀୟରେ, ସାନ୍ତାଳ, ହୋ ଏବଂ ମୁଣ୍ଡା ସମୁଦାୟ ହିନ୍ଦୁ କିମ୍ବା ଇସାଇ ନୁହନ୍ତି। ସେମାନେ ପ୍ରକୃତି ଉପାସକ ଅଟନ୍ତି ଏବଂ ସାର୍ନା ଧର୍ମକୁ ବିଶ୍ବାସ କରନ୍ତି। ଏହାକୁ ସ୍ବତନ୍ତ୍ର ଧର୍ମର ମାନ୍ୟତା ପାଇଁ ୨୫ ବର୍ଷ ହେଲା ଲଢେଇ କରୁଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବେ ଆଶା।

ଜଳଭଣ୍ଡାର, ଶିଳ୍ପଠାରୁ ଆରମ୍ଭ କରି ବଡ଼ ପ୍ରକଳ୍ପ ଯୋଗୁଁ ଆଦିବାସୀମାନେ  ସର୍ବାଧିକ ବିସ୍ଥାପିତ ହୋଇଛନ୍ତି। କିନ୍ତୁ ଅନ୍ୟ ସମୁଦାୟ ତୁଳନାରେ ସାନ୍ତାଳ ସମୁଦାୟ କମ ବିସ୍ଥାପିତ ହୋଇଛନ୍ତି, ଏଥିଯୋଗୁଁ ଅନ୍ୟମାନଙ୍କ ତୁଳନାରେ ଏମାନଙ୍କ ଆର୍ଥିକ ସ୍ଥିତି ବିଶେଷ ପ୍ରଭାବିତ ନାହିଁ। ଏହା ସତ୍ତ୍ବେ ଶିମିଳିପାଳ ପ୍ରକଳ୍ପ, କିଛି କାରଖାନା ଯୋଗୁଁ ସାନ୍ତାଳମାନେ ମଧ୍ୟ ବିସ୍ଥାପନରୁ ବାଦ ପଡ଼ି ନାହାନ୍ତି। ମୂଳ ଅଧିବାସୀ ହେବା ଯୋଗୁଁ ସେମାନଙ୍କ ପାଖରେ ଜମି ଅଛି ସତ କିନ୍ତୁ ମାଲିକାନା ନାହିଁ। ଆଭ୍ୟନ୍ତରୀଣ ଗାଁରେ ଅଧିକାଂଶ ରହନ୍ତି। ଅନ୍ୟ ସମୁଦାୟ ତୁଳନାରେ ସାନ୍ତାଳମାନଙ୍କ ସ୍ଥିତି ଭଲ ଥିଲେ ହେଁ ସାମଗ୍ରିକ ଭାବରେ ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଯୋଗାଯୋଗ ପ୍ରତି ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଥିବା ଆଲୋଚନା ହୁଏ।

ଏହି ସମୁଦାୟର ଜଣେ ମହିଳା ବର୍ତ୍ତମ‌ାନ ଦେଶର ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇଥିବାରୁ ସାନ୍ତାଳମାନଙ୍କର ଦୀର୍ଘକାଳୀନ ଦାବି ଓ ସମସ୍ୟାର ସମାଧାନ ଦିଗରେ ସରକାରଙ୍କ ଦୃଷ୍ଟି ପଡ଼ିବ ବୋଲି ଆଶା କରାଯାଏ।

ସମ୍ବନ୍ଧିତ ଖବର