ସ୍ୱାସ୍ଥ୍ୟସେବା ପାଇଁ ନୂଆ କାର୍ଯ୍ୟକ୍ରମ: ୪ ସ୍ୱାସ୍ଥ୍ୟ ଅନୁଷ୍ଠାନ ସହିତ ବୁଝାମଣା

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଜି ଦେଶର ୪ଟି ସ୍ୱାସ୍ଥ୍ୟ ଅନୁଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ଉପସ୍ଥିତିରେ ଏ ନେଇ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଡିଜିଟାଲ ଡିସପେନ୍‌ସାରି ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କୋଲକାତାସ୍ଥିତ ଗ୍ଲୋକାଲ ହେଲ୍‌ଥ କେୟାର ଏହି ସେବା ଯୋଗାଇଦେବ। ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ଜିଲ୍ଲାର ବଡ଼ମସିଗାଁ, ବେନୋରା, ବିଞ୍ଜହିଲ, ମାଝିଧାନୁଆ, କାଉଡେଲା, କୋସକୋଙ୍ଗା, ସାନବାରେଲି, ବଡ଼ତେମରା, ଚକଲାପଦର, ତେଲନଦୀଗାଁ, ମନ୍‌ଚାଗ୍ରାମ, ଢୋଡ଼ିପାଣି, ଗୋଡ଼ାଖୁଣ୍ଟା ଓ ଝାରବନ୍ଧଗୁଡ଼ିର ୧୪ଟି ସ୍ଥାନରେ ଡିଜିଟାଲ ଡିସପେନସାରି ଖୋଲିବ। ଏହି ଡିସପେନସାରିଗୁଡ଼ିକର କାର୍ଯ୍ୟକାରିତା ଆଧାରରେ ଆଗାମୀ ଦିନରେ ଚନ୍ଦାହାଣ୍ଡି, ବଡ଼କୁମାରା, ରାଜପୁର, ଉକିଆପାଲି, ଛେଲିଡଙ୍ଗରି, ମୁଣ୍ଡିବେଡ଼ା, ପପୁଆ, କଣ୍ଟାମାଳ, ପଲିଆ, କୋଇଲିମୁଣ୍ଡା ଓ ମାଲଗାଁ ଭଳି ଆଉ ୧୧ଟି ସ୍ଥାନକୁ ଏହାକୁ ସଂପ୍ରସାରିତ କରାଯିବ। ରୋଗୀଙ୍କୁ ପ୍ରାଥମିକ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଏହି କେନ୍ଦ୍ରଗୁଡ଼ିକରେ ବହିର୍ବିଭାଗ ବା ଓପିଡି କାର୍ଯ୍ୟ କରିବ। ଏହି କେନ୍ଦ୍ରଗୁଡ଼ିକରୁ ଭିଡିଓ କନଫରେନ୍ସିଂ ଜରିଆରେ ବିଶେଷଜ୍ଞ ଡାକ୍ତରୀ ପରାମର୍ଶ ମଧ୍ୟ ଉପଲବ୍ଧ ହେବ। ମାଗଣାରେ ରୋଗୀଙ୍କ ଆବଶ୍ୟକ ସାଧାରଣ ପରୀକ୍ଷା, ପରାମର୍ଶ ଓ ଔଷଧ ମିଳିବ ବୋଲି ଜଣାପଡ଼ିଛି।

ଏହାସହ ସିକିଲସେଲ୍‌ ଓ ଥାଲାସେମିଆ ରୋଗର ଚିକିତ୍ସା ପାଇଁ ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜ ସହତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟର କେତେକ ଅଞ୍ଚଳରେ ହେମୋଗ୍ଲୋବିନୋପାଥି ବା ରକ୍ତ ଜନିତ ସମସ୍ୟା ଏକ ପ୍ରମୁଖ ସମସ୍ୟା ପାଇଁ ଉଭା ହୋଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ପ୍ରାୟ ୨୫ହଜାର ସିକିଲସେଲ୍‌, ଥାଲାସେମିଆ ଓ ହିମୋଫିଲିଆ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ନିୟମିତ ବ୍ୟବଧାନରେ ଚିକିତ୍ସା ଆବଶ୍ୟକ। ଫଳରେ ରୋଗୀଙ୍କ ପରିବାର ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ୁଛି। ଏହି ଆକ୍ରାନ୍ତମାନଙ୍କ ପାଇଁ ୧୨ଟି ଜିଲ୍ଲାରେ ସିକିଲସେଲ୍‌ ନିୟନ୍ତ୍ରଣ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଭିମସାରରେ ଏହାର ନୋଡାଲ୍‌ କେନ୍ଦ୍ର କାର୍ଯ୍ୟ କରୁଛି। ଖ୍ରୀଷ୍ଟିଆନ୍‌ ମେଡିକାଲ କଲେଜସ୍ଥିତ ସେଣ୍ଟର୍‌ ଫର ଷ୍ଟେମ ସେଲ ରିସର୍ଚ ସହିତ ୫ବର୍ଷିଆ ସହଭାଗୀତା ଭିତ୍ତିରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ସେହିପରି ହୃଦ୍‌ରୋଗ ପୀଡ଼ିତ ଶିଶୁମାନଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରସ୍ଥିତ ନାରାୟଣ ହୃଦୟାଳୟ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ହୃଦ୍‌ରୋଗର ଉନ୍ନତ ମାନର ଚିକିତ୍ସାସେବା ଯୋଗାଇ ଦେବା କ୍ଷେତ୍ରରେ ନାରାୟଣ ହୃଦୟାଳୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତେଣୁ ଜନ୍ମରୁ ୧୮ବର୍ଷ ପର୍ଯ୍ୟନ୍ତ ଯେଉଁ ପିଲାଙ୍କର ହୃଦ୍‌ରୋଗ ସମସ୍ୟା ତଥା ଗଣ୍ଠିବାତ ଜନିତ ହୃଦରୋଗ ସମସ୍ୟା ଥିବ ସେମାନଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ପ୍ରଦାନ କରାଯିବ। ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବା ଆର୍‌ବିଏସ୍‌କେ କାର୍ଯ୍ୟକ୍ରମ ଜରିଆରେ ଏବେ ସୁଦ୍ଧା ୮୨୦ଜଣ ପିଲାଙ୍କୁ ହୃଦ୍‌ରୋଗୀ ଚିହ୍ନଟ କରାଯାଇ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ହୃଦ୍‌ରୋଗରେ ଆକ୍ରାନ୍ତ ଶିଶୁମାନଙ୍କୁ ନାରାୟଣ ହୃଦୟାଳୟରେ ବିନା ମୂଲ୍ୟରେ ଅସ୍ତ୍ରୋପଚାର ଓ ଚିକିତ୍ସା ସେବା ମିଳିପାରିବ।

ଆରବିଏସ୍‌କେ ଯୋଜନାରେ ଚିହ୍ନଟ ହେଉଥିବା ଜନ୍ମଗତ ମୋତିଆ ବିନ୍ଦୁ, ଅପରିପକ୍ୱ ଚକ୍ଷୁପଟଳ ଓ ଶିଶୁମାନଙ୍କ ଅନ୍ୟାନ୍ୟ ଚକ୍ଷୁ ରୋଗ ପାଇଁ ଉଚ୍ଚସ୍ତରୀୟ ଚିକିତ୍ସା ପ୍ରଦାନ କରାଯିବ। ଏଥିପାଇଁ ଭୁବନେଶ୍ୱରସ୍ଥିତ ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆରବିଏସ୍‌କେ ଯୋଜନାରେ ଏ ପର୍ଯ୍ୟନ୍ତ ୧୦୨୬ଜଣ ଶିଶୁଙ୍କ ଜନ୍ମଗତ ମୋତିଆବିନ୍ଦୁ ଓ ୧୪୧୦ଜଣ ଅନ୍ୟାନ୍ୟ ଚକ୍ଷୁ ରୋଗ ଆକ୍ରାନ୍ତ ଶିଶୁଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କ ଚିିକିତ୍ସା ବ୍ୟବସ୍ଥା କରାଯାଇଛି।

ସଚିବାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା, ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଏସ୍‌ସି/ଏସ୍‌ଟି ଉୟନ୍ନନ ମନ୍ତ୍ରୀ ରମେଶ ମାଝୀ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ୍‌, ପ୍ରମୁଖ ଅର୍ଥ ସଚିବ ତୁହୀନାକନ୍ତ ପାଣ୍ଡେ, ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡା, ରାଜ୍ୟ ବ୍ଲଡ୍‌ ସେଫ୍‌ଟି ନିର୍ଦେଶକ ଡା.ସରୋଜବନ୍ଧୁ ମହାପାତ୍ର, ନାରାୟଣ ହୃଦୟାଳୟର ମୁଖ୍ୟ ମାର୍କେଟିଂ ଅଧିକାରୀ ସୁମନ୍ତ ରାୟ, ସିଏସ୍‌ସି ଭେଲୋର୍‌ର ଡା.ଆଲୋକ ଶ୍ରୀବାସ୍ତବ, ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ନିର୍ଦେଶକ ଡା.ସୁଜାତା ଦାସ ଓ ଗ୍ଲୋବାଲ ହେଲ୍‌ଥ କୋୟରର ଡିଜିଟାଲ ଡିସପେନସାରି ମୁଖ୍ୟ ଗୌତମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।.

ସମ୍ବନ୍ଧିତ ଖବର