୫ ବର୍ଷରେ ଲକ୍ଷେ କୋଟିର ନୂଆ ପ୍ରକଳ୍ପ: ଅଶ୍ବିନୀ

ଓଡ଼ିଶାରେ ଚାଲୁଥିବା ରେଳ ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ୱର: ଅତୀତରେ ଓଡ଼ିଶାକୁ ପ୍ରତ୍ୟେକ କ୍ଷେତ୍ରରେ ଅବହେଳା କରାଯାଉଥିଲା। ମୋଦୀ ସରକାର ଅମଳରେ ଏହା ପରିବର୍ତନ ହୋଇଛି ଏବଂ ଓଡ଼ିଶାକୁ ପ୍ରାଧାନ୍ୟ ଦିଆଯାଉଛି। ବିଶେଷ ଭାବେ ରେଳ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ପ୍ରତି ବର୍ଷ ଦଶ ହଜାର କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନୁଦାନ ଆସୁଛି। ପୂର୍ବ ସରକାର ସମୟରେ କାମ ଆଗେଇ ପାରୁ ନଥିଲା। ଏବେ ବିଜେପି ସରକାର ଆସିଛି, ଓଡ଼ିଶାରେ ଏବେ ନୂଆ ରେକର୍ଡ ହେବ। ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାକୁ ଏକ ଲକ୍ଷ କୋଟି ଟଙ୍କାର ନୂଆ ପ୍ରକଳ୍ପ ଆସିବ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।

ବିଜେପି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ପର୍ବରେ ‌କେନ୍ଦ୍ର ମନ୍ତ୍ରୀ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍‌ କରିବା ସହ ଏହି ସୂଚନା ଦେଇଥିଲେ। ଅପରାହ୍ନରେ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନଠାରେ ଶ୍ରୀ ବୈଷ୍ଣବ ଏକ ସମୀକ୍ଷା ବୈଠକ କରିଥିଲେ। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଚାଲୁଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯିବା ସହ ରେଳ ଭିତ୍ତିଭୂମି ବିକାଶ ଓ ନିର୍ମାଣ କାର୍ଯ୍ୟ ସମୟରେ
ଉପୁଜୁଥିବା ପ୍ରମୁଖ ପ୍ରତିବନ୍ଧକ ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିସହ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକରେ ଜମି ଅଧିଗ୍ରହଣ, ଜଙ୍ଗଲ ସମସ୍ୟା, ଆଇନଶୃଙ୍ଖଳା ଆଦିର ସମାଧାନ ଉପରେ ଶ୍ରୀ ବୈଷ୍ଣବ ପ୍ରାଥମିକତା ଦେଇଛନ୍ତି। ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଶୀଘ୍ର ଶେଷ କରିବାକୁ ଟନେଲ୍‌ଗୁଡ଼ିକର ନିର୍ମାଣ କାର୍ଯ୍ୟ ଉଭୟ ପାର୍ଶ୍ୱରୁ କରାଯିବ। ପ୍ରାୟ ୭ କିମି ଲମ୍ବର ପ୍ରମୁଖ ଟନେଲ୍‌ ସହ ଏହି ମାର୍ଗରେ ଜାତୀୟ ରାଜପଥକୁ ସଂଯୋଗ କରିବାକୁ ପଦକ୍ଷେପ ନିଆଯିବ। ଏହାବ୍ୟତୀତ ତାଳଚେର-ବିମଳାଗଡ଼ ନୂଆ ରେଳ ଲାଇନରେ ନିର୍ମାଣ କାର୍ଯ୍ୟକୁ ଉଭୟ ପାର୍ଶ୍ୱରୁ ସମ୍ପାଦନ କରାଯିବାକୁ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସରିବା ପରେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଏକ ସମୀକ୍ଷା ବୈଠକ କରାଯାଇ ରାଜ୍ୟରେ ଚାଲୁଥିବା ପ୍ରତ୍ୟେକ ରେଳ ପ୍ରକଳ୍ପ କିଭଳି ଶୀଘ୍ର ଶେଷ ହେବ ସେନେଇ ପଦକ୍ଷେପ ନିଆଯିବ। ଅମୃତ ଷ୍ଟେସନଗୁଡ଼ିକର ପୁନର୍ବିକାଶ କାର୍ଯ୍ୟ ପାଇଁ ବିଶେଷ ଧ୍ୟାନ ଦିଆଯାଇ ନିର୍ମାଣ ପାଇଁ ଖୁବ୍‌ଶୀଘ୍ର ସମୀକ୍ଷା ହେବ। ଦୁଇଟି ରକ୍ଷଣାବେକ୍ଷଣ ଡିପୋ ଖୁବ୍‌ଶୀଘ୍ର ହେବାକୁ ଯାଉଥିବା ନେଇ ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଲେ ସମସ୍ତ ରେଳ ପ୍ରକଳ୍ପର ସମୀକ୍ଷା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ବିଶେଷ ଧ୍ୟାନ ଦେଉଛନ୍ତି। ରେଳବାଇ କ୍ଷେତ୍ରରେ ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ ଗତ ବଜେଟ୍‌ରେ ୧୦ହଜାର ୫୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରେଳ ନେଟୱର୍କରେ ଓଡ଼ିଶାର ସମସ୍ତ ଜିଲ୍ଲାକୁ ସଂଯୋଗ କରିବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି। ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୧୮୨୬ କିମି ରେଳ ଲାଇନ ନିର୍ମାଣ ହୋଇଛି, ଯାହା ଶ୍ରୀଲଙ୍କାର ମୋଟ ରେଳ ନେଟୱାର୍କଠାରୁ ଅଧିକ। ଗତ ଆର୍ଥିକବର୍ଷରେ ପୂର୍ବତଟ ରେଳପଥ ୪୫୦ କିମି ରେଳ ଟ୍ରାକ ନିର୍ମାଣ କରିଥିବା ବେଳେ ଚଳିତବର୍ଷ ୫୦୦ କିମି ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆର୍ଥିକ ଅଭିବୃଦ୍ଧି ଓ ରେଳ ସଂଯୋଗ ପାଇଁ ଏହାର ଗୁରୁତ୍ୱକୁ ସୂଚାଇ ରେଳ ଲାଇନର ସମ୍ପ୍ରସାରଣକୁ ପ୍ରାଥମିକତା ଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସମୀକ୍ଷା ବୈଠକରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା, ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ, ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ୍ ଏସ ବାଜୱା ଓ ଖୋର୍ଦ୍ଧା ରୋଡ଼ ମଣ୍ଡଳର ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର