ସମ୍ବଲପୁର: ଲକ୍‌ଡାଉନ୍‌ରେ ସମ୍ବଲପୁର ଡିୟର ପାର୍କକୁ ନୂଆ ଅତିଥି ଆସିଛନ୍ତି। ଡିୟର ପାର୍କରେ ଥିବା ମାଈ ଅଜଗର ଗତ କିଛି ଦିନ ତଳେ ୨୦ଟି ଅଣ୍ଡା ଦେଇଥିଲା। ସେଥିରୁ ୧୦ଟି ଅଣ୍ଡା ନଷ୍ଟ ହୋଇ ଯାଇଥିବା ବେଳେ ଗୁରୁବାର ବାକି ୧୦ଟି ଅଣ୍ଡାରୁ ଅଜଗର ଛୁଆ ଜନ୍ମ ହୋଇଛନ୍ତି। ଡିୟର ପାର୍କରେ ପୂର୍ବରୁ କେବେ ଅଜଗର ଛୁଆ ଜନ୍ମ‌ ନେଇ ନଥିଲେ। ଯେତେଥର ଅଣ୍ଡିରା ଓ ମାଇ ଅଜଗରଙ୍କ ମିଳନ କରାଯାଇଛି ସବୁବେଳେ ଅଣ୍ଡାଗୁଡ଼ିକ ନଷ୍ଟ ହୋଇ ଯାଉଥିଲା ନଚେତ୍‌ ସେମାନେ ହିଁ ଖାଇ ଦେଉଥିଲେ।

Advertisment

publive-image

ତେବେ ଏଥର ଉଭୟ ଅଜଗରଙ୍କର ମିଳନ ସମୟରୁ ହିଁ ଚିଡ଼ିଆଖାନା କର୍ମଚାରୀମାନେ ଏହା ଉପରେ କଡ଼ା ନଜର ରଖିଥିଲେ। ଉପଯୁକ୍ତ ଯତ୍ନ ପରେ ଗୁରୁବାର ପ୍ରଥମ କରି ଡିୟର ପାର୍କରେ ଅଜଗର ଛୁଆଙ୍କୁ ଦେଖିବାକୁ ମିଳିଛି। ନବଜନ୍ମିତ ସମସ୍ତ ଛୁଆ ସୁସ୍ଥ ଅଛନ୍ତି। ସେମାନଙ୍କ ଉପରେ କଡ଼ା ନଜର ରଖାଯିବା ସହ ଆବଶ୍ୟକ ଯତ୍ନ ନିଆଯାଉଛି ବୋଲି ଏସିଏଫ୍‌ ଜିତେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

ସେପଟେ, ଡିୟର ପାର୍କରେ ଅଜଗର ରହିବା ପାଇଁ ଥିବା ଗୋଟିଏ କାଚ କ୍ୟାବିନ୍‌ରେ ଏତେ ଗୁଡ଼ିଏ ଅଜଗର ରହିବା ସମ୍ଭବ ନୁହେଁ। ତେଣୁ ସେମାନଙ୍କୁ ରଖିବା ପାଇଁ ନୂତନ କ୍ୟାବିନ୍‌ ବ୍ୟବସ୍ଥା କରିବାକୁ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି।