ଚିକିଟି: ଗଞ୍ଜାମ ଜିଲ୍ଲାର ଗଡ଼ଜାତ ଅଞ୍ଚଳ ମଧ୍ୟରେ ଅନ୍ୟତମ ଚିକିଟି ସହର କଳା ଓ ସଂସ୍କୃତିର ପେଣ୍ଠସ୍ଥଳ ଭାବେ ସୁପରିଚିତ। କେଉଁ ଆବହମାନ କାଳରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏଠାରେ ଅକ୍ରୁରନାଥ ନାମରେ ପୂଜା ପାଇବା ସହ ତାଙ୍କର ଏକ ଭବ୍ୟ ମନ୍ଦିର ମଧ୍ୟ ରହିଛି। ୧୯୨୬ ମସିହା ଏଠାରେ ଅକ୍ରୁରନାଥଙ୍କ ରଥଯାତ୍ରା ହୋଇଆସୁଥିବା ବେଳେ ଏହାର ଏକ ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି। ଆଉ ଏଥର ଅକ୍ରୁରନାଥଙ୍କ ରଥଯାତ୍ରା ପାଇଁ ଦୀର୍ଘ ୬୨ ବର୍ଷ ପରେ ନୂଆ ରଥ ନିର୍ମାଣ ହେଉଥିବା ବେଳେ ଏଥିପାଇଁ ପୁରୀରୁ କାରିଗର ଆସିଛନ୍ତି। ପୁରୀ ମାଟିଆପଡ଼ାର କୁମର ମହାରଣା, କୈଳାସ ମହାରଣା, ଧିରୁ ମହାରଣା ଓ ସାଗର ମହାରଣା ଏହି ନୂତନ ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତି। ପୁରୀ ରଥ ମଡେଲରେ ବର୍ତ୍ତମାନ ଏହାର ମୂଳ, ଅଖ ଓ ଚକ ତିଆରି ଚାଲିଛି। ରଥ ନିର୍ମାଣ ପାଇଁ ଜଗନ୍ନାଥପୁର ଫରେଷ୍ଟ୍ କର୍ପୋରେସେନ୍ରୁ ୧୦ ଲକ୍ଷ ଟଙ୍କାର କାଠ ଆସିଥିବା ଜଣାପଡ଼ିଛି। ଚିକିଟି ରାଜାସାହେବ ତ୍ରିଗୁଣାତିତ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ଯୁବରାଜ ଶ୍ରୀରୂପ ଦେବଙ୍କ ସହଯୋଗରେ ସମସ୍ତ କାମ ତ୍ବରାନ୍ବିତ ହୋଇଛି। ଅନ୍ୟପକ୍ଷରେ ପ୍ରଭୁ ଅକ୍ରୁରନାଥଙ୍କୁ ନୂତନ ରଥ ଉପରେ ଦେଖିବା ପାଇଁ ଭକ୍ତମାନେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି।
ବରିଷ୍ଠ ନାଗରିକ ଅନନ୍ତ ପଣ୍ଡା କହିଛନ୍ତି, ତତ୍କାଳୀନ ରାଜା ଗୌରଚନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ଅକ୍ରୁରନାଥଙ୍କ ରଥଯାତ୍ରାର ଶୁଭାରମ୍ଭ ହୋଇଥିଲା। ରଥ ନିର୍ମାଣ ପାଇଁ ରାଜା ଶ୍ରୀ ଗୌରଚନ୍ଦ୍ର ତାଙ୍କ ଶ୍ୱଶୁର ଘର ବଡ଼ଗଡ଼ରୁ କାଠ ଆଣିଥିଲେ। ପିତାତଳି ପଞ୍ଚାୟତର ମାଧବନ୍ଧ ମହାରଣା, ଦୁର୍ଯ୍ୟୋଧନ ମହାରଣା ଓ ରାଧାମୋହନ ମହାରଣା ପ୍ରମୁଖ ରଥ ନିର୍ମାଣର ମୁଖ୍ୟ ବିନ୍ଧାଣି ସାଜିଥିଲେ। ସେହିପରି କଳବାଡ଼ ପଞ୍ଚାୟତ ଭଳାସିଙ୍ଗିର କୋରା ମହାରଣା ଓ ରାମଚନ୍ଦ୍ରପୁର ପଞ୍ଚାୟତ ଖୋର୍ଦ୍ଧା ଗ୍ରାମର ବୃନ୍ଦାବନ ମହାରଣା ପ୍ରମୁଖ ସେତେବେଳେ ମହାପ୍ରଭୁଙ୍କ ୮ ଚକ ବିଶିଷ୍ଟ ରଥ ନିର୍ମାଣକାମରେ ନିୟୋଜିତ ହୋଇଥିଲେ।
ସମୟକ୍ରମେ ଚିକିଟି ବଡ଼ଦାଣ୍ଡରେ ବିଦ୍ୟୁତ୍ ତାର ପାଇଁ ରଥଟଣାରେ ସମସ୍ୟା ଦେଖାଦେବାରୁ ୧୯୬୦ ମସିହାରେ ୮ ଚକ ବିଶିଷ୍ଟ ରଥର ଉଚ୍ଚତାକୁ କମାଯିବା ସହ ଏହାକୁ ୪ ଚକ ବିଶିଷ୍ଟ ରଥ ନିର୍ମାଣ କରାଯାଇଥିଲା। ଉକ୍ତ ରଥରେ ଦୀର୍ଘ ୬୨ ବର୍ଷ ହେଲା ତଥା ଆଜି ପର୍ଯ୍ୟନ୍ତ ରଥଯାତ୍ରା ହୋଇଆସୁଥିଲା। ଆଉ ଭାଙ୍ଗିରୁଜି ଯାଇଥିବାରୁ ଏହାର ମରାମତି କରାଯାଉଥିଲା। କିନ୍ତୁ ଚଳିତବର୍ଷ ରଥଟି ଆଉ ମରାମତି ହେବା ଭଳି ସ୍ଥିତି ନଥିବାରୁ ଦୀର୍ଘ ୬୨ ବର୍ଷ ପରେ ପୁରୀ ରଥ ମଡେଲରେ ୬ ଚକ ବିଶିଷ୍ଟ ନୂତନ ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ଗତ ୨୦ ତାରିଖରେ ଅକ୍ରୁରନାଥଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ରଥକାମ ଅନୁକୂଳ ହୋଇଥିଲା।,