ଜୟପୁର: ଆସନ୍ତା ଜୁଲାଇ ୭ତାରିଖରେ ରଥଯାତ୍ରା। ଏହି ବର୍ଷ ଜୟପୁରରେ ଟଣାହେବ ନୂଆ ରଥ। ୮ବର୍ଷ ପରେ ନୂଆ ରଥ ନିର୍ମାଣାଧିନ ରହିଛି। ଜୁଲାଇ ୩ତାରିଖ ସୁଦ୍ଧା ନୂଆ ରଥର ନିର୍ମାଣ ସରିବ ବୋଲି ଦେବୋତ୍ତର ବିଭାଗ ଓ ନିର୍ମାଣ କରୁଥିବା ବିଶ୍ବକର୍ମା ଧନୁର୍ଯ୍ୟୟ କମାର କହିଛନ୍ତି। ନୂଆ ରଥ ନିର୍ମାଣ ପାଇଁ ୧୧ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସଂପୂର୍ଣ୍ଣ ରଥଯାତ୍ରା ପାଇଁ ୧୬ଲକ୍ଷ ଖର୍ଚ୍ଚ କରାଯିବାର ଯୋଜନା ରହିଛି।

Advertisment

ସୂଚନା‌ ଅନୁଯାୟୀ, ୨୦୧୬ମସିହାରେ ନିର୍ମାଣ ହୋଇଥିଲା ନୂଆ ରଥ। ତେବେ ଗତ ୮ବର୍ଷରେ ଏହି ରଥ ଖରାପ ହୋଇଯାଇଥିଲା। ତେଣୁ ଏହି ବର୍ଷ ନୂଆ ରଥ ନିର୍ମାଣ କରାଯାଉଛି। ରଥର ନିର୍ମାଣ ପାଇଁ ବିଶ୍ବକର୍ମାମାନେ ଟେଣ୍ଡର ମାଧ୍ୟମରେ ୪ଲକ୍ଷ ୨୦ହଜାରରେ ନିର୍ମାଣ କରୁଛନ୍ତି। ଜୟପୁର ବନଖଣ୍ଡ ପକ୍ଷରୁ ମାଗଣା‌ରେ ୬୩ମିଟର ଶାଳ କାଠ ଦିଆଯାଇଛି। ବୈପାରୀଗୁଡା ବ୍ଲକର ରାମଗିରୀ ହଳଦୀକୁଣ୍ଡ ବିଟରୁ ଗଛ କାଟି ୧୦ଟି ଟ୍ରକରେ ଅଣାଯାଇଥିଲା। ଏହାକୁ ସ୍ ମିଲ୍ କୁ ନେଇ କାଠକୁ ସାଇଜକାଠରେ ପରିଣତ କରି ଅଣାଯାଇଥିଲା। ବଦାନ୍ୟ ବ୍ୟକ୍ତି ଜଣକ ରଥର ନୂଆ କନା ଦାନରେ ଦେଉଥିବା ସୂଚନା ମିଳିଛି। ସେଭଳି ନୂଆ ଦଉଡି , ନୂଆ ପାଲ୍ ଆଦି କିଣାଯାଇଛି।

ଏଠାରେ ଥିବା ପତିତପାବନ ରଥ, ପୁରୁଣାଗଡ଼, ବାଟଜଗନ୍ନାଥପୁର ରଥଗୁଡିକ‌ରେ ନୂଆ ଓ ପୁରୁଣା କାଠ ବ୍ୟବହାର କରାଯିବ। ନୂଆ ରଥ ୫୬ରୁ ୫୭ଫୁଟ ଉଚ୍ଚତା ଏବଂ ଦଧିବାଭନ ହାଣ୍ଡି ସହ ୫୯ଫୁଟ ଉଚ୍ଚତା କରାଯାଉଛି। ଏଭଳି ରଥ ପାଇଁ ୧୧ଲକ୍ଷର ଖର୍ଚ୍ଚ ରହିଛି। ଅପରପକ୍ଷରେ ରଥ ଯାତ୍ରାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ୨୨ଜଣ ହାଟପାରିଆଙ୍କ ଖର୍ଚ୍ଚ ସହ ପୂଜା ଆଦି ପାଇଁ ୫ଲକ୍ଷ ଖର୍ଚ୍ଚ ହେବ। ଏଭଳି ସର୍ବମୋଟ ୧୬ଲକ୍ଷ ଖର୍ଚ୍ଚ ହେବ। ବର୍ତ୍ତମାନକୁ ଏହି ଖର୍ଚ୍ଚ ଦେବୋତ୍ତର ବିଭାଗ ନିକଟରେ ଜମା ଥିବା ୨୨ଲକ୍ଷରୁ ଖର୍ଚ୍ଚ କରାଯିବ ବୋଲି ଦେବୋତ୍ତର ବିଭାଗରୁ ସୂଚନା ମିଳିଛି।

୨୦୧୬ମସିହାରେ ରଥ ନିର୍ମାଣ ପାଇଁ ୯ଲକ୍ଷ ଖର୍ଚ୍ଚ ହୋଇଥିଲା। ତେବେ ଗତ ଥରର ରଥ ଠାରୁ ପ୍ରାୟ ସାଢ଼େ ୨ଫୁଟ ଉଚ୍ଚତାର ରଥ ନିର୍ମାଣ କରାଯାଉଛି। ପ୍ରତ୍ୟେକ ବର୍ଷ ସାନ୍ତରାସାହି ଓ ସୁନାରୀସାହି ମଧ୍ୟରୁ ଗୋଟିଏ ସାହିର ଦଇତାପତି ମାନେ ଚାରି ଠାକୁରଙ୍କୁ ଧାଡି ପହଣ୍ଡି କରନ୍ତି। ଗତ ବର୍ଷ ସୁନାରୀ ସାହି କରିଥିବାରୁ ଏହି ବର୍ଷ ସାନ୍ତରାସାହିର ଦଇତାପତି ମାନେ  ଚାରି ଠାକୁରଙ୍କ ଧାଡି ପହଣ୍ଡି କରିବେ। ପଟା ପଡ଼ିନଥିଲେ ଯାହା କିଛି ଦକ୍ଷିଣା ଓ ପୂଜା ଫଳମୂଳ ଆଦି ଦଇତାପତି ମାନେ ନେବା ବିଧି ରହିଛି। ପଟା ପଡ଼ିଥିଲେ ସେବାୟତ ମାନେ ‌ଦକ୍ଷିଣା ନିଅନ୍ତି।

ତେବେ ଏତେବଡ଼ ରଥଯାତ୍ରାରେ ଦେବୋତ୍ତରକୁ କେବଳ ମିଷ୍ଠାନ୍ନ ଭୋଗ ବିକ୍ରି ପାଇଁ ହେଉଥିବା ଟେଣ୍ଡର ଟଙ୍କା ଓ ସେବାୟତ ମାନେ ଅନ୍ନଭୋଗ ବିକ୍ରି କରି ସେଥିରୁ ୫ରୁ ୭ହଜାର ଟଙ୍କା ମିଳୁଥିବା ଦେବୋତ୍ତର ବିଭାଗର ସୂଚନା ମିଳିଛି।ମିଷ୍ଠାନ ଭୋଗ ବିକ୍ରୀର ଟେଣ୍ଡରରୁ ଗତ ବର୍ଷ ୨୫ହଜାର ଟଙ୍କା ମିଳିଥିଲା। ରାଜ୍ୟ ସରକାର ପ୍ରତିବର୍ଷ ରଥଯାତ୍ରା ପାଇଁ ମାତ୍ର ୨ଲକ୍ଷ ଟଙ୍କା ଦେଉଥିବା ବେଳେ ଖର୍ଚ୍ଚ ୧୬ଲକ୍ଷ ହେଉଛି। ବଳକା ଟଙ୍କା ଦେବୋତ୍ତରର ବିଭିନ୍ନ  ଆୟସ୍ରୋତ ଷ୍ଟଲଭଡା ଆଦିର ଜମା ଟଙ୍କା ଓ ଦାନୀ ମାନଙ୍କ ଦାନ ଟଙ୍କାରୁ ଖର୍ଚ୍ଚ ହେଉଥିବା ଦେବୋତ୍ତର ବିଭାଗରୁ ସୂଚନା ମିଳିଛି।