ନବନିଯୁକ୍ତ ଗୁଣାତ୍ମକ ଶିକ୍ଷାରେ ସହାୟକ ହେବେ: ମୁଖ୍ୟମନ୍ତ୍ରୀ

ନବନିଯୁକ୍ତ ବିଜ୍ଞାନଗାର ସହାୟକ, ଲାଇବ୍ରେରିଆନ୍‌ ଓ ପିଇଟିଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ବର : ଉଚ୍ଚଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଇତିମଧ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ କଲେଜ ପାଇଁ ଏକ ହଜାରରୁ ଅଧିକ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, କନିଷ୍ଠ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ଯାହାକି କଲେଜରେ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ବୃଦ୍ଧିରେ ସହାୟକ ହୋଇଛି ବୋଲି ନବନିଯୁକ୍ତ ବିଜ୍ଞାନଗାର ସହାୟକ, କନିଷ୍ଠ ପାଠାଗାର ଅଧିକାରୀ ଓ ଶାରୀରିକ ଶିକ୍ଷା ପ୍ରଶିକ୍ଷକ(ପିଇଟି)ଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଭର୍ଚୁଆଲ୍‌ ମୋଡ୍‌ରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନବ ନିଯୁକ୍ତ ବିଜ୍ଞାନଗାର ସହାୟକ, କନିଷ୍ଠ ପାଠାଗାର ଅଧିକାରୀ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଶିକ୍ଷାନୁଷ୍ଠାନରେ ଶିକ୍ଷା ପାଇଁ ଏକ ଗତିଶୀଳ ପରିବେଶ ସୃଷ୍ଟି କରିବାରେ ସହାୟକ ହେବେ। ସେମାନଙ୍କ ଆନ୍ତରିକତା ଓ ପ୍ରତିବଦ୍ଧତା ଛାତ୍ରମାନଙ୍କ ମଧ୍ୟରେ ବୈଜ୍ଞାନିକ ଦକ୍ଷତାକୁ ଉତ୍ସାହିତ କରିବ। କ୍ରୀଡ଼ା ଉପରେ ଗୁରୁତ୍ବ ଦେଇ ସେ କହିଲେ ରାଜ୍ୟ ସରକାର କ୍ରୀଡ଼ାକୁ ପୂର୍ଣ୍ଣ ପରିମାଣରେ ଉତ୍ସାହିତ କରିଆସୁଛନ୍ତି। ବାସ୍ତବରେ, ବିଶ୍ବ କ୍ରୀଡ଼ା‌ ମାନଚିତ୍ରରେ ଓଡ଼ିଶା ବର୍ତ୍ତମାନ ଏକ ପ୍ରମୁଖ ସ୍ଥାନ ହାସଲ କରିଛି। ସ୍କୁଲ ସ୍ତରରେ ଅଧିକ ଖେଳ ପଡ଼ିଆ କରାଯାଉଛି। ପିଲାଟି ଦିନରୁ ଜଣେ କିଭଳି କ୍ରୀଡ଼ା କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିବେ ସେଥିପାଇଁ ବ୍ଲକସ୍ତରରେ ଷ୍ଟାଡିୟମର ବିକାଶ କରାଯାଉଛି। ଛାତ୍ରଛାତ୍ରୀଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ବଢ଼ାଇବାରେ ପିଇଟିମାନେ ନିଶ୍ଚିତ ଭାବେ ସକରାତ୍ମକ ଭୂମିକା ଗ୍ରହଣ କରିବେ। ଆମ ରାଜ୍ୟରେ ଅଧିକ ଜାତୀୟ ତଥା ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବାରେ ସହାୟକ ହେବେ। ଛାତ୍ରମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବେ। ନୂତନ ଭାବେ ପ୍ରବେଶ କରୁଥିବା ଅଣ-ଶିକ୍ଷକମାନେ ୫-ଟି ମନ୍ତ୍ର ଅନୁସରଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ ସର୍ବଦା ଗୁଣାତ୍ମକ ଶିକ୍ଷା ଉପରେ ଧ୍ୟାନ ଦେଉଛନ୍ତି। ଯେଉଁଥିପାଇଁ ଓଡ଼ିଶା ବର୍ତ୍ତମାନ ଏକ ଶିକ୍ଷା ଓ କ୍ରୀଡ଼ା ହବ୍‌ରେ ପରିଣତ ହୋଇଛି। ନୂତନ ନିଯୁକ୍ତି କଲେଜଗୁଡ଼ିକରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ନିରନ୍ତର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦେଶକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ନବ ନିଯୁକ୍ତ ପୁଷ୍ପାବତୀ ପତି, କୃଷ୍ଣଚନ୍ଦ୍ର ସାହୁ, ବୋବିତା ଟୁଡୁ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ନିଜର ଅଭିଜ୍ଞତା ବଖାଣିଥିଲେ।

ସମ୍ବନ୍ଧିତ ଖବର