ଭୁବନେଶ୍ୱରରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏମ୍‌ସରେ କଟକଣା : ନୂଆ ଆଡମିସନ୍ ଓ ସର୍ଜରି ବନ୍ଦ, ଓପିଡି ଓ ଜରୁରି ସେବା ଜାରି

ଭୁବନେଶ୍ବର : ଭୁବନେଶ୍ବର ଏମ୍‌ସରେ ରାଜ୍ୟର ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କେତେକ ନୂଆ କଟକଣା ଲାଗୁ କରାଯାଉଛି। ଜରୁରୀକାଳୀନ ସେବା ଓ ଓପିଡି ସେବା ଜାରି ରହିବାକୁ ଥିବା ବେଳେ ନୂଆ ରୋଗୀଙ୍କୁ ଆଡ୍‌ମିସନ୍ କରିବା ବନ୍ଦ କରାଯାଇଛି। ସେହିଭଳି ସମସ୍ତ ପ୍ରକାର ଅପରେସନ୍(ସର୍ଜରି) ସେବା ବନ୍ଦ କରାଯାଇଛି। କେବଳ ଜରୁରି ଅପରେସନ୍ ହେବ ଓ ଅଧିକ ସଂକଟାପନ୍ନ ରୋଗୀଙ୍କୁ ଆଡ୍‌ମିସନ୍ କରାଯିବ ବୋଲି ସୂଚନା ମିଳିଛି।

ବିଶେଷକରି ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଆଡ୍‌ମିସନ୍ କରାଯିବ ‌ବୋଲି କୁହାଯାଇଛି। ସେହିଭଳି ବିଭିନ୍ନ ୱାର୍ଡରେ ଥିବା ରୋଗୀମାନଙ୍କୁ ସ୍କ୍ରିନିଂ କରାଯାଉଛି। ଯେଉଁମା‌ନଙ୍କ ସ୍ବାସ୍ଥ୍ୟା‌ବସ୍ଥାରେ ଯଥେଷ୍ଟ ସୁଧାର ଆସି ସାରିଛି, ସେମାନଙ୍କୁ ଘରକୁ ଫେରାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏବେ ଏମ୍‌ସ ଓପିଡିରେ ରୋଗୀଙ୍କ ସଂଖ୍ୟାରେ ବେଶ୍ ଅବନ୍ନତି ଦେଖାଦେଇଛି। ପୂର୍ବରୁ ଦୈନିକ ପାଖାପାଖି ୩ ହଜାରରୁ ଅଧିକ ରୋଗୀ ଓପିଡିକୁ ଆସୁଥିଲେ। ମାତ୍ର ଶୁକ୍ରବାର ଏହା ୧୫ଶହକୁ ଖସି ଆସିଥିଲା। ‌ଶନିବାର ଏହି ସଂଖ୍ୟା ଆହୁରି ହ୍ରାସ ପାଇ ମାତ୍ର ୬ଶହ ପାଖାପାଖି ଥିବା ସୂଚନା ମିଳିଛି। କରୋନା କଟକଣାଜନିତ ଯାତାୟାତରେ ସମସ୍ୟା ଉପୁଜୁଥିବାରୁ ଓପିଡିକୁ ଆସୁଥିବା ରୋଗୀ ସଂଖ୍ୟା କମୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର