ରାଜଧାନୀର ସରକାରୀ ସ୍କୁଲରେ ନୂଆ ନିୟମ : ଏଣିକି ଛୁଟି ସମୟରେ ପ୍ରାର୍ଥନା

ଭୁବନେଶ୍ବର : ରାଜଧାନୀରେ ଥିବା ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ପ୍ରତିଦିନ ବିଦ୍ୟାଳୟରେ ଦୁଇ ଥର ପ୍ରାର୍ଥନା କରାଯିବ। ଏବେ ସକାଳ ୧୦ଟାରେ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିବା ପରେ ପ୍ରାର୍ଥନା କରୁଛନ୍ତି। ତେବେ ଗୁରୁବାରଠାରୁ ଅପରାହ୍ନ ୪ଟାରେ ସ୍କୁଲ ଛୁଟି ସମୟରେ ବି ଛାତ୍ରଛାତ୍ରୀଙ୍କର ପାର୍ଥନା କରାଯିବ। ସ୍କୁଲ ଘଣ୍ଟି ବାଜିବା ପରେ ସମସ୍ତ ଛାତ୍ରଛାତ୍ରୀ କ୍ୟାମ୍ପସରେ ଏକାଠି ହୋଇ ପ୍ରାର୍ଥନା କରିବେ। ନ ହେଲେ ନିଜ ନିଜ ବିଷୟରେ ପଦେ ଲେଖାଏ କହିବେ। ଏହାଦ୍ବାରା ପିଲାମାନେ ଶୃଙ୍ଖଳିତ ହେବା ସହ ସେମାନେ ସୁରକ୍ଷିତ ଭାବେ ଘରକୁ ଯାଇପାରିବେ।

ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରାରମ୍ଭିକ ଭାବେ ଭୁବନେଶ୍ବରରେ ଏହାକୁ ଲାଗୁ କରାଯାଉଛି। ସଫଳତା ମିଳିବା ପରେ ସାରା ରାଜ୍ୟରେ ଲାଗୁ କରାଯିବ। କାରଣ ସ୍କୁଲ ଛୁଟି ହେବା ପରେ ପିଲାମାନେ ବ୍ୟାଗ୍‌ ଧରି ଦୌଡ଼ୁଛନ୍ତି। କିଏ କେତେବେଳେ ଯାଉଛନ୍ତି ଜଣାପଡ଼ୁନି। ଅଧିକାଂଶ ସ୍କୁଲ ରାସ୍ତା ପାର୍ଶ୍ବରେ ହୋଇଥିବାରୁ ଛାତ୍ରଛାତ୍ରୀ ଆଗପଛ ହୋଇ ଯିବା ଦ୍ବାରା ଦୁର୍ଘଟଣା ହେବାର ଆଶଙ୍କା ରହୁଛି। ଅପରାହ୍ନ ୪ଟାରେ ପ୍ରାର୍ଥନା କରାଯିବା ଦ୍ବାରା ପିଲାମାନେ ଯେତେବେଳେ ଯିବେ ଏକାଠି ହୋଇ ସୁରକ୍ଷିତ ଭାବେ କ୍ୟାମ୍ପସ ବାହାରକୁ ଯିବା ସହ ରାସ୍ତାର ପାର ହୋଇପାରିବେ।

ଶ୍ରେଣୀଗୃହରେ ପିଲାଙ୍କ ଉପସ୍ଥାନ ବଢ଼ାଇବା ପାଇଁ ଭୁବନେଶ୍ବରରେ ଚାଲିଥିବା ‘ସ୍ମାଇଲ୍‌’ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରାଯିବ। ଯଦି ମେଧାବୀ ପିଲାମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଉଥିବେ, ପାଠପଢ଼ାରେ ମନୋନିବେଶ କରୁ ନ ଥିବେ ସେଭଳି ସ୍ଥିତିରେ ଶିକ୍ଷକମାନେ ପିଲାଙ୍କ ଘରକୁ ଯିବେ। ସମସ୍ୟା ସମ୍ପର୍କରେ ପଚାରି ବୁଝିବେ। ଅଭିଭାବକଙ୍କ ସହ ମଧ୍ୟ ଆଲୋଚନା କରିବେ। ବିଦ୍ୟାଳୟରେ ବର୍ଷକୁ ୪ ଥର ଅନୁଷ୍ଠିତ ହେଉଥିବା ଅଭିଭାବକ-ଶିକ୍ଷକ ବୈଠକ(ପିଟିଏମ୍‌)କୁ କଡ଼ାକଡ଼ି କରାଯିବ। ବୈଠକରେ ସମସ୍ତ ଅଭିଭାବକ ଯେମିତି ସାମିଲ ହେବେ ସେଦିଗରେ ପଦକ୍ଷେପ ନିଆଯିବ। ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାକୁ ଭଲ ଭାବେ ଯାଞ୍ଚ କରାଯିବ। ଶିକ୍ଷକମାନେ ଯେଉଁ ଖାତା ଦେଖିଥିବେ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ମଧ୍ୟ ଉକ୍ତ ଖାତାଗୁଡ଼ିକ ମଧ୍ୟରୁ କିଛି ଖାତାକୁ ଆଉଥରେ ଯାଞ୍ଚ କରିବେ ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କୁହାଯାଇଛି।

ଅନ୍ୟପକ୍ଷ‌ରେ ଭୁବନେଶ୍ବରରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ନେଇ ଆଜି କ୍ୟାପିଟାଲ ହାଇସ୍କୁଲରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି। ଓପେସାର ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପିନ୍ଦର ସିଂ ପୁନିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଆଲୋକପାତ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ସସ୍ମିତା ମାଳିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର, ଲର୍ଣ୍ଣିଂ ଲିଙ୍କ୍‌ସ ଫାଉଣ୍ଡେସନ(ଏଲ୍‌ଏଲ୍‌ଏଫ୍‌)ର ମୁଖ୍ୟ ଅଞ୍ଜଳି ପ୍ରକାଶ, ଇଣ୍ଡସଲାଣ୍ଡ ବ୍ୟାଙ୍କର ହେମାଙ୍ଗୀ ପଟେଲ, ଏସ୍‌ସିଇଆରଟିର ଡେପୁଟି ଡାଇରେକ୍ଟର ତାପସ କୁମାର ନାୟକ, କ୍ୟାପିଟାଲ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୋନାମିକା ରାୟ ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଏଲ୍‌ଏଲ୍‌ଏଫ୍‌ ପକ୍ଷରୁ ଭୁବନେଶ୍ବରର ୪୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ହୋଇଥିବା ଲର୍ଣ୍ଣିଂ ଏନ୍‌ହାନ୍ସମେଣ୍ଟ ପୋଗ୍ରାମ(ଏଲ୍‌ଇପି) ସଂଯୋଜକଙ୍କ କାର୍ଯ୍ୟଶୈଳୀ ନେଇ ମାନସମନ୍ଥନ କରାଯାଇଥିଲା। ଏଲ୍‌ଏଲ୍‌ଏଫ୍‌ ପକ୍ଷରୁ ଶ୍ରୀକାନ୍ତ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ରବୀନ୍ଦ୍ର ସାହୁ, ତୃପ୍ତିମୟର ଭଞ୍ଜଙ୍କ ସମେତ ସମସ୍ତ ସିଆରସିସି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର