ନୂଆଦିଲ୍ଲୀ,: ଭାରତର ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡ଼ିର ପଞ୍ଜୀକରଣ ପ୍ରକ୍ରିୟା ଏବଂ ପ୍ରଣାଳୀର ସମୀକ୍ଷା କରିଛନ୍ତି। ଏ ସଂକ୍ରାନ୍ତରେ ୨୦୨୦ ଜାନୁଆରି ପହିଲା ପରଠାରୁ ନୂତନ ନିୟମାବଳୀ ଲାଗୁ କରାଯିବ। ଆବେଦନର ସ୍ଥିତି ସମ୍ପର୍କରେ ଜାଣିବା ଲାଗି ଏକ ଅନଲାଇନ ପୋର୍ଟାଲ ମାଧ୍ୟମରେ ‘ରାଜନୈତିକ ଦଳ ପଞ୍ଜୀକରଣ ଟ୍ରାକିଂ ପରିଚାଳନା ପ୍ରଣାଳୀ’ (ପିପିଆରଟିଏମ୍‌ଏସ୍‌) ଲାଗୁ କରାଯିବ। ପିପିଆରଟିଏମ୍‌ଏସ୍‌ର ମୁଖ୍ୟ ବିଶେଷତ୍ୱ ହେଉଛି ଆବେଦନକାରୀ ନିଜ ଆବେଦନର ଅଗ୍ରଗତି ସମ୍ପର୍କରେ ଜାଣିପାରିବେ ଏବଂ ଏସ୍‌ଏମ୍‌ଏସ୍‌ ଓ ଇ-ମେଲ୍‌ ଜରିଆରେ ସଦ୍ୟତମ ସ୍ଥିତି ସମ୍ପର୍କରେ ଅବଗତ ହୋଇପାରିବେ। ଏଥିପାଇଁ ଆବେଦନକାରୀଙ୍କୁ ନିଜ ଆବେଦନରେ ଦଳ/ଆବେଦନକାରୀଙ୍କ ମୋବାଇଲ ନମ୍ବର ଏବଂ ଇ-ମେଲ ଠିକଣା ଉଲ୍ଲେଖ କରିବାକୁ ହେବ। ନୂଆ ନିୟମାବଳୀ ଭାରତର ନିର୍ବାଚନ ଆୟୋଗଙ୍କ ୱେବସାଇଟ୍‌ https://eci.gov.inରେ ଉପଲବ୍ଧ।

Advertisment

ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୨୯-ଏ ର ବ୍ୟବସ୍ଥା ଦ୍ୱାରା ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣ ନିୟନ୍ତ୍ରିତ ହୋଇଥାଏ। ଏହି ଧାରା ଅନ୍ତର୍ଗତ ନିର୍ବାଚନ ଆୟୋଗରେ ପଞ୍ଜୀକରଣ ଲାଗି ଇଚ୍ଛୁକ ଦଳ ଗଠନ ହେବା ତାରିଖର ୩୦ ଦିନ ମଧ୍ୟରେ ନାମ, ଠିକଣା, ବିଭିନ୍ନ ୟୁନିଟର ସଦସ୍ୟତା ବିବରଣୀ, ପଦାଧିକାରୀଙ୍କ ନାମ ଆଦି ମୌଳିକ ବିବରଣୀ ସହିତ ନିର୍ଦ୍ଧାରିତ ଫର୍ମରେ ଆୟୋଗଙ୍କ ନିକଟରେ ଆବେଦନ ଦାଖଲ କରିବାକୁ ହୋଇଥାଏ।