କଣ୍ଟେନମେଣ୍ଟ ଜୋନ ପ୍ରସଙ୍ଗରେ ରାଜ୍ୟ ସରକାର ଜାରି କଲେ ନୂଆ ନିର୍ଦେଶାବଳୀ, ଅବରୋଧ ଅଞ୍ଚଳରେ ଯାତାୟତ ଉପରେ କଟକଣା

ଭୁବନେଶ୍ବର: କଣ୍ଟେନମେଣ୍ଟ ଜୋନ ପରିଚାଳନା  ପ୍ରସଙ୍ଗରେ ରାଜ୍ୟ ସରକାର ନୂଆ ନିର୍ଦେଶାବଳୀ ଜାରି କରିଛନ୍ତି। ତାହା ଅନୁଯାୟୀ, ସଂକ୍ରମଣ ରୋକିବାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ।  କଣ୍ଟେନମେଣ୍ଟ ଜୋନକୁ ବ୍ୟାରିକେଡ୍ କରାଯିବା ସହ ଅବରୋଧ ଅଞ୍ଚଳରେ ଆଗମନ ଓ ପ୍ରସ୍ଥାନ ଉପରେ କଟକଣା ଲାଗିବତେବେ ବୟସ୍କ, ମହିଳା, ପ୍ରସୂତି, ଦିବ୍ୟାଙ୍ଗଙ୍କ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଏଥିରେ କୁହାଯାଇଛି।

କଣ୍ଟେନମେଣ୍ଟ ଜୋନର ଘରକୁ ଘର ବୁଲି ଅଙ୍ଗନୱାଡି କର୍ମୀ, ଏଏନଏମ, ସ୍ୱାସ୍ଥ୍ୟକର୍ମୀ ଓ ଶିକ୍ଷକ ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବେ । ଫ୍ଲୁ ଭଳି ଲକ୍ଷଣ ପ୍ରକାଶ ପାଇଲେ ନମୂନା ସଂଗ୍ରହ ସହ ପରୀକ୍ଷା କରାଯିବ ଏବଂ ଏହାର ତଦାରଖ ଚିକିତ୍ସା ଅଧିକାରୀ କରିବେ ବୋଲି ନିର୍ଦେଶ ଦିଆଯାଇଛି।
ଅବରୋଧ ଜୋନକୁ ଅତ୍ୟାବଶ୍ୟକ ଜିନିଷ, ଔଷଧ ଯୋଗାଇ ଦିଆଯିବ। ମ୍ୟୁନିସିପାଲ୍ କମିସନର ଓ ଜିଲ୍ଲାପାଳଙ୍କୁ ଏହି ସମସ୍ତ ସୁବିଧା ଉପଲବ୍ଧ କରାଇବାକୁ ନର୍ଦେଶ ଦିଆଯାଇଛି। ଏହାଛଡ଼ା ଅବରୋଧ ଅଞ୍ଚଳର ପରିଚିତ ବ୍ୟକ୍ତିଙ୍କୁ ନେଇ ହ୍ୱାଟ୍ସଆପ ଗ୍ରୁପ୍ ହେବ। ହ୍ୱାଟ୍ସଆପ ଗ୍ରୁପରେ ବିଭିନ୍ନ ସୂଚନା ପ୍ରଦାନ କରାଯିବା ସହ କେବୁଲ୍ ଟିଭି, ସାଟେଲାଇଟ୍ ଟିଭି ଓ ପୋଷ୍ଟର ଜରିଆରେ ବିଭିନ୍ନ ସୂଚନା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏହାଛଡ଼ା ଲାଉଡ ସ୍ପିକର ଜରିଆରେ ଅବରୋଧ ଅଞ୍ଚଳରେ ସୂଚନା ପ୍ରଦାନ କରାଯିବାକୁ ନିର୍ଦେଶ ଦିଆଯାଇଛି।

ଏଥିନେଇ ରାଜ୍ୟର ସମସ୍ତ ଅତିରିକ୍ତ ସଚିବ, ପୁଲିସ ମହାନିର୍ଦେଶକ, ମ୍ୟୁନିସିପାଲ୍ କମିସନର ଓ ଜିଲ୍ଲାପାଳମାନଙ୍କୁ ଓଡ଼ଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚିଠି ଲେଖି ଜଣାଇଛନ୍ତି ।

ସମ୍ବନ୍ଧିତ ଖବର