ସହର ମଧ୍ୟରେ ସର୍ବାଧିକ ୪୦ କିମି ବେଗରେ ଯାଇପାରିବ ବାଇକ

ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି

ଭୁବନେଶ୍ବର : ଗୋଟିଏ ମୋଟରସାଇକେଲ ଏକ ୪ ଲେନ ବିଶିଷ୍ଟ ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଯିବା ବେଳେ ସର୍ବାଧିକ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ଯାଇପାରିବ । ଅନ୍ୟ ପ୍ରକାରର ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଯିବା ବେଳେ ସର୍ବାଧିକ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଯାଇପାରିବ । ତେବେ କୌଣସି ମ୍ୟୁନିସିପାଲିଟି କିମ୍ବା ଏନଏସି ମଧ୍ୟ ଦେଇ ଯିବା ବେଳେ ବାଇକର ବେଗ ଘଣ୍ଟାପ୍ରତି ୪୦ କିଲୋମିଟରକୁ ହ୍ରାସ ପାଇବ ।  ସେହିପରି ତିନି ଚକିଆ ଯାନ ବା ଅଟୋ ୪ ଲେନ ରାସ୍ତାରେ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ, ସହରାଞ୍ଚଳରେ ତଥା ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଯାଇପାରିବ ।

ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜି ଏହି ନିର୍ଦ୍ଦେଶ ଜାରି କରାଯାଇଛି । କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶରେ ବିଭିନ୍ନ ପ୍ରକାରର ମୋଟରଯାନ ପାଇଁ ସର୍ବାଧିକ ବେଗ ନିର୍ଦ୍ଧାରଣ କରାଯାଇଛି ।

ଏହି ନିର୍ଦ୍ଦେଶ ଅନୁସାରେ ଗୋଟିଏ ଯାତ୍ରୀବାହୀ ଏସୟୁଭି ( ସର୍ବାଧିକ ୮ ଜଣ ଯାତ୍ରୀ ବସୁଥିବା ଗାଡ଼ି) ୪ ଲେନ ବିଶିଷ୍ଟ ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଯିବା ବେଳେ ସର୍ବାଧିକ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଯାଇପାରିବ । ଅନ୍ୟ ପ୍ରକାରର ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଯିବା ବେଳେ ସର୍ବାଧିକ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଯାଇପାରିବ । ତେବେ କୌଣସି ମ୍ୟୁନିସିପାଲିଟି କିମ୍ବା ଏନଏସି ମଧ୍ୟ ଦେଇ ଯିବା ବେଳେ ବାଇକର ବେଗ ଘଣ୍ଟାପ୍ରତି ୬୦ କିଲୋମିଟରକୁ ହ୍ରାସ ପାଇବ । ଅଣ-ଯାତ୍ରୀବାହୀ ଯାନ ୪ ଲେନ ରାସ୍ତାରେ ଯାଉଥିଲେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଯାଇପାରିବ ।

ଅନ୍ୟପକ୍ଷରେ ୯ରୁ ଅଧିକ ଯାତ୍ରୀ ବସୁଥିବା ପରିବହନ ଓ ଅଣପରିବହନ ମୋଟରଯାନ ୪ ଲେନ ରାସ୍ତାରେ ଘଣ୍ଟାପ୍ରତି ସର୍ବାଧିକ ୮୦ କିଲୋମିଟର ବେଗରେ ଯାଇପାରିବ । ଏପରି ଯାନ ସହରାଞ୍ଚଳ ଦେଇ ଯାଉଥିବା ବେଳେ ଘଣ୍ଟାପ୍ରତି ବେଗ ୪୦ କିଲୋମିଟର ରହିବ । ଅନ୍ୟ ପ୍ରକାରର ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଯିବା ବେଳେ ସର୍ବାଧିକ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ଯାଇପାରିବ ।

 

ସମ୍ବନ୍ଧିତ ଖବର