ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ଆସିଲା ନୂଆ ନିୟମ: ଭୋଟର ତାଲିକାରେ ଆଧାର ନମ୍ବର ସଂଯୋଗ ହେବ

ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ନୂଆ ଭୋଟର ତାଲିକାରେ ସାମିଲ୍ ହେବା ପାଇଁ କୋହଳ ହେଲା ନିୟମ

ଭୁବନେଶ୍ବର : ଭୋଟର ତାଲିକାରେ ସାମିଲ୍‌ ହେବା ପାଇଁ ଯୋଗ୍ୟତା ସୂଚକ ତାରିଖ ଭାବେ ପ୍ରତିବର୍ଷ ଜାନୁଆରି ୧ତାରିଖକୁ ଧରାଯାଉଥିଲା। ହେଲେ ନୂଆ ନିୟମ ଅନୁଯାୟୀ ଯେଉଁ ନୂଆ ଭୋଟରଙ୍କ ବୟସ ଜାନୁଆରି ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ତାରିଖ ସୁଦ୍ଧା ୧୮ବର୍ଷ ହୋଇଥିବ ସେମାନେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ। ଫଳରେ ଯୁବ ତଥା ନୂତନ ଭୋଟରମାନଙ୍କୁ ଭୋଟର ତାଲିକାରେ ନିଜ ନାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନି।

ନିକଟରେ ‌କେନ୍ଦ୍ର ସରକାର ଲୋକ ପ୍ରତିନିଧି ଅଧିନିୟମ ୧୯୫୦ ଏବଂ ଲୋକପ୍ରତିନିଧି ଅଧିନିୟମ ୧୯୫୦ର ସଂଶୋଧନ କରିଛନ୍ତି। ସଂଶୋଧିତ ନିୟମକୁ ଲୋକପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୧୪(ଖ)ରେ ଅନ୍ତର୍ଭୁକ୍ତ କରାଯାଇଛି। ସଂଶୋଧିତ ନୂଆ ନିୟମ ଅନୁଯାୟୀ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ୪ଟି ଯୋଗ୍ୟତା ସୂଚକ ତାରିଖ ରହିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

ଏହି ସଂଶୋଧିତ ନିୟମ ଅନୁସାରେ ତ୍ରୁଟିଶୂନ୍ୟ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ‌ଲୋହାନୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ସେହିପରି ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟରମାନଙ୍କ ଆଧାର ନମ୍ବରକୁ ସ୍ବେଚ୍ଛାକୃତ ଭାବେ ଭୋଟର ତାଲିକାରେ ସଂଯୋଗ କରାଯିବ ବୋଲି ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ସହ ଦୋହରା ଭୋଟରଙ୍କୁ ରୋକାଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ଭୋଟର ତାଲିକାରେ ନାମ ଯୋଗ, ତାଲିକାରୁ ନାମ ବାଦ୍‌ ଦେବା, ନାମ ସଂଶୋଧନ କରିବା ଇତ୍ୟାଦି କାର୍ଯ୍ୟ ନିମନ୍ତେ ପୂର୍ବରୁ ଫର୍ମ ନଂ-୬, ଫର୍ମ ନଂ-୭, ଫର୍ମ ନଂ-୮ ବ୍ୟବହାର କରାଯାଉଥିଲା। ଫର୍ମଗୁଡ଼ିକରେ ସଂଶୋଧନ କରାଯାଇ ନୂତନ ଫର୍ମ ନଂ-୬ରେ ଭୋଟରମାନେ ଭୋଟର ତାଲିକାରେ କେବଳ ନାମ ପଞ୍ଜୀକରଣ ନିମନ୍ତେ ଆବେଦନ କରିପାରିବେ ଏବଂ ଗୋଟିଏ ନିର୍ବାଚନମଣ୍ଡଳୀରୁ ଅନ୍ୟ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରଣ ନିମନ୍ତେ ଫର୍ମ ନଂ-୮ର ବ୍ୟବହାର କରାଯିବ। ପୂର୍ବଭଳି ଫର୍ମ ନଂ-୭ରେ ଭୋଟର ତାଲିକାରୁ ନାମ ବାଦ୍‌ ଦିଆଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଆଜିର ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଏଏସ୍‌ଇ ଇଦ୍ରିଶ ଖାନ୍‌ ଓ ଟି.ଯୋଗେଶ୍ବର ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର