ନୂଆ ବର୍ଷରୁ ସରକାରୀ ଚାକିରିଆଙ୍କ ପାଇଁ ନୂଆ ନିୟମ : ଅନଲାଇନ୍‌ରେ ଦେବେ ଛୁଟି ଦରଖାସ୍ତ

ମାର୍ଚ୍ଚ ୩୧ରୁ ଯେଉଁଦିନ ଅବସର, ସେଦିନରୁ ଚୂଡ଼ାନ୍ତ ପେନସନ୍

ଭୁବନେଶ୍ବର : ନୂଆବର୍ଷରୁ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ନିୟମିତ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ସରକାରୀ ଚାକିରିଆମାନେ ଏଣିକି ଛୁଟିରେ ରହିଲେ ଅନଲାଇନ୍‌ରେ ଛୁଟି ଦରଖାସ୍ତ ଦେବାକୁ ସାଧାରଣ ପ୍ରଶାସନ ବିଭାଗ ନିୟମ କରିଛି। କର୍ମଚାରୀମାନେ ଏଚ୍‌ଆରଏମ୍‌ଏସ୍‌ରେ ସେମାନଙ୍କର ଛୁଟି ଦରଖାସ୍ତ ଦେବେ। ଏପରିକି ଛୁଟି ମଞ୍ଜୁର କରୁଥିବା ଅଧିକାରୀ ଅନଲାଇନ୍‌ରେ ଅର୍ଥାତ୍‌ ଏହି ଏଚ୍‌ଆରଏମ୍‌ଏସ୍‌ରେ ହିଁ ଛୁଟି ମଞ୍ଜୁର କରିବେ। କେଉଁ କର୍ମଚାରୀ କେତେ ଦିନ ଛୁଟିରେ ରହିଲେ ତା’ର ସବିଶେଷ ତଥ୍ୟ ଏଚ୍‌ଆରଏମ୍‌ଏସ୍‌ରେ ରହିବ। ଜାନୁଆରି ୧ ପରେ ଆଉ କର୍ମଚାରୀଙ୍କ ଠାରୁ ଅଫଲାଇନ୍ ମୋଡରେ ଛୁଟି ଦରଖାସ୍ତ ଗ୍ରହଣ କରାଯିବନି। ଅନଲାଇନ୍‌ରେ କର୍ମଚାରୀମାନେ ଛୁଟି ଦରଖାସ୍ତ ଦେଲେ ଏବଂ ଏହା ମଞ୍ଜୁର ହେଲେ ତା‌’ର ସବିଶେଷ ତଥ୍ୟ ଇ-ସର୍ଭିସ୍‌ ବୁକ୍ ଏବଂ ପେ-ରୋଲ୍‌ରେ ପ୍ରଦର୍ଶିତ ହେବ। ରାଜ୍ୟ ସରକାର ୩୧ ମାର୍ଚ୍ଚ, ୨୦୨୦ ଠାରୁ ଯେଉଁ କର୍ମଚାରୀ ଯେଉଁଦିନ ଅବସର ନେବେ ସେହିଦିନ ସେମାନଙ୍କୁ ଚୂଡ଼ାନ୍ତ ପେନସନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଅନଲାଇନ୍ ପେନସନ୍ ମଡ୍ୟୁଲ୍ ପ୍ରସ୍ତୁତ ହୋଇଛି। ତେଣୁ ଯେଉଁ ବିଭାଗ ଅଧୀନରେ କର୍ମଚାରୀମାନେ ଆସୁଥିବେ ସେହି ବିଭାଗର ଏଷ୍ଟାବ୍ଲିସମେଣ୍ଟ କର୍ମଚାରୀଙ୍କ ଇ-ସର୍ଭିସ୍‌ ବୁକ୍ ଏବଂ ମାନୁଆଲ୍‌ ସର୍ଭିସ୍ ବୁକ୍ ସେହି ଅନୁଯାୟୀ ଡିସେମ୍ବର ୩୧, ୨୦୧୯ ସୁଦ୍ଧା ପ୍ରସ୍ତୁତ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର