ଶାସନକୁ ପ୍ରଭାବୀ କରିବାକୁ ନୂଆ ନିଷ୍ପତ୍ତି : ବିଦା ହେବେ ଅଯୋଗ୍ୟ

୩୦ ବର୍ଷର ଚାକିରି, ୫୦ ଓ ୫୫ ବର୍ଷ ବୟସ୍କ କର୍ମଚାରୀଙ୍କୁ ନେଇ ସମୀକ୍ଷା ହେବ, କର୍ମକ୍ଷେତ୍ରରେ ପ୍ରଭାବହୀନ ଓ ଦୁର୍ନୀତିଗ୍ରସ୍ତଙ୍କୁ ଆଗୁଆ ଅବସର ଦିଆଯିବ

ଭୁବନେଶ୍ବର : ପ୍ରଶାସନକୁ ପ୍ରଭାବୀ କରିବା ପାଇଁ ରାଜ୍ୟ ସରକାର ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଚାକିରି କ୍ଷେତ୍ରରେ ‌‌ଯେଉଁ କର୍ମଚାରୀମାନେ ପ୍ରଭାବହୀନ ବା ଅଯୋଗ୍ୟ ବିବେଚିତ ହେଉଛନ୍ତି ଏବଂ ଯେଉଁମାନଙ୍କର ନିଷ୍ଠା ପ୍ରତି ସନ୍ଦେହ ସୃଷ୍ଟି ହେବ, ସେମାନଙ୍କୁ ଆଗୁଆ ଅବସର ପ୍ରଦାନ କରାଯିବ। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏସଂକ୍ରାନ୍ତରେ ଏକ ନିର୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି, ଏକ ସମୀକ୍ଷା କମିଟି ଜରିଆରେ ଗ୍ରୁପ୍‌ ଏ, ବି, ସି ଓ ଡି କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାର ସମୀକ୍ଷା ହେବ। ଗ୍ରୁପ୍‌ ଏ ଓ ବି ଏବଂ ଗ୍ରୁପ୍ ସି ଓ ଡି କର୍ମଚାରୀଙ୍କ ପୃଥକ୍ ପୃଥକ୍ କମିଟି ରହିବ। ଏଥିରେ ସରକାରଙ୍କ ପକ୍ଷରୁ ଏକଥା ବି ସ୍ପଷ୍ଟ କରିଦିଆଯାଇଛି ଯେ କୌଣସି କର୍ମଚାରୀଙ୍କୁ ଦଣ୍ଡସ୍ବରୂପ ଆଗୁଆ ଅବସର ଦିଆଯିବ ନାହିଁ। ଏଭଳି ନିଷ୍ପତ୍ତି ନେବା ବେଳେ କେବଳ ସାର୍ବଜନୀନ ସ୍ବାର୍ଥ ରକ୍ଷାକୁ ବିଚାରକୁ ନିଆଯିବ।

ସାଧାରଣ ପ୍ରଶାସନ ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦେଶାବଳୀ ଅନୁଯାୟୀ, ଗ୍ରୁପ୍ ଏ ଏବଂ ବି କର୍ମଚାରୀଙ୍କ କ୍ଷେତ୍ରରେ ୩୦ ବର୍ଷର ଚାକିରି, ୫୦ ବର୍ଷ ବୟସ କିମ୍ବା ୫୫ ବର୍ଷ ବୟସକୁ କାର୍ଯ୍ୟଦକ୍ଷତା ମାପିବା ବେଳେ ବିଚାରକୁ ନିଆଯିବ। ଏହି ସମୀକ୍ଷା ବର୍ଷର ମାର୍ଚ ୩୧, ଜୁନ୍ ୩୦ ଏବଂ ସେପ୍ଟେମ୍ବର ୩୦ ଓ ଡିସେମ୍ବର ୩୧ ତାରିଖ ଅନୁସାରେ ଅର୍ଥାତ୍ ଚାରିଥର କରାଯିବ। ସେହିପରି ଗ୍ରୁପ୍ ସି ଓ ଡି କର୍ମଚାରୀଙ୍କ ପାଇଁ ସମୀକ୍ଷା ବର୍ଷର ଜୁନ୍ ୩୦ ଓ ଡିସେମ୍ବର ୩୧ ଅନୁସାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସେବା ସଂହିତାର ଧାରା (କ) ଅନୁସାରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯିବ।

କୌଣସି କର୍ମଚାରୀଙ୍କୁ ଆଗୁଆ ଅବସର ପ୍ରଦାନ କରିବା ପୂର୍ବରୁ ‌କେତେକ ବିଷୟ ବିଚାରକୁ ନିଆଯିବ। ଯେଉଁ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ପ୍ରତି ସନ୍ଦେହ ଥିବ ସେମାନଙ୍କୁ ଅବସର ଦିଆଯିବ। କର୍ମ କ୍ଷେତ୍ରରେ ପ୍ରଭାବହୀନ ଥିବା କର୍ମଚାରୀମାନଙ୍କୁ ମଧ୍ୟ ଅବସର ପୂର୍ବରୁ ବିଦା କରାଯିବ। ‌କର୍ମଚାରୀ ଜଣକ ଯେଉଁ ପଦରେ କାମ କରୁଛନ୍ତି ସେହି ପଦର ଦାୟିତ୍ବ ନିର୍ବାହ କରିବା ଲାଗି ଯଦି ସେ ଶାରୀରିକ ସ୍ତରରେ ସକ୍ଷମ ନଥିବେ କିମ୍ବା ଦକ୍ଷ ନଥିବେ ତେବେ ତାଙ୍କୁ ପ୍ରଭାବହୀନ କର୍ମଚାରୀ ବୋଲି ବିଚାର କରାଯିବ।

କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବା ବେଳେ ତାଙ୍କ ସାରା ଚାକିରି ଜୀବନକୁ ବିଚାରକୁ ନିଆଯିବ। କେବଳ ପ୍ରଭାବହୀନ ମାନଦଣ୍ଡରେ ଆଗୁଆ ଅବସର ଦିଆଯିବ ନାହିଁ। ଯଦି କୌଣସି କର୍ମଚାରୀ ନୂତନ ଭାବେ ଅନ୍ୟ ଏକ ପଦକୁ ପଦୋନ୍ନତି ପାଇଥିବେ ଏବଂ ବିଗତ ପାଞ୍ଚ ବର୍ଷର କାର୍ଯ୍ୟକାଳ ଭିତରେ ତାଙ୍କ ପ୍ରଦର୍ଶନ ସନ୍ତୋଷଜନକ ଥିବ ତେବେ ତାଙ୍କୁ ଅବସର ଦିଆଯିବ ନାହିଁ। ଯଦି କୌଣସି ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ହଠାତ କମିଯାଇଥିବ ଏବଂ ବର୍ଷକ ପରେ ସେ ଅବସର ନେବାକୁ ଥିବେ ସେଭଳି ପରିସ୍ଥିତିରେ ତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରି ତାଙ୍କୁ ଆଗୁଆ ଅବସର ଦିଆଯାଇପାରିବ।

ଯଦି କୌଣସି ବୟସ୍କ କର୍ମଚାରୀ ନିଜ ଚାକିରି ଜୀବନର ଶେଷ ଆଡ଼କୁ ପ୍ରଭାବହୀନ ହୁଅନ୍ତି ତେବେ ସାର୍ବଜନୀନ ସ୍ବାର୍ଥକୁ ତାହା ବିଶେଷ ପ୍ରଭାବିତ କରିବ ନାହିଁ। ମାତ୍ର ଯଦି କୌଣସି କର୍ମଚାରୀ ନିଜ ଚାକିରି ଜୀବନ କାଳରେ ଦୁର୍ନୀତିଗସ୍ତ ରହିଥିବେ କିମ୍ବା ବେଆଇନ ଲାଭ ହାସଲ କରିଥିବେ, ତାଙ୍କ ଦ୍ବାରା ହୋଇଥିବା କ୍ଷତିକୁ ଅପୂରଣୀୟ ବୋଲି ବିଚାର କରାଯିବ।

୩୦ ବର୍ଷ ଚାକିରି କରିଥିବା, ୫୦ ବର୍ଷ ବୟସ ଓ ୫୫ ବର୍ଷ ବୟସ ହୋଇଥିବା କର୍ମଚାରୀମାନଙ୍କ ନାମକୁ ଏକ ରେଜିଷ୍ଟର୍‌ରେ ‌ସାମିଲ କରାଯିବ। ପ୍ରତି ତିନିମାସରେ ବିଭାଗ ଓ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ସେହି ରେଜିଷ୍ଟର୍‌ର ସମୀକ୍ଷା କରିବେ। ବିଭିନ୍ନ ମାମଲାର ବିଚାର କରିବା ଲାଗି ପ୍ରଶାସନିକ ବିଭାଗର ସଚିବ ମଧ୍ୟ ଆଭ୍ୟନ୍ତରୀଣ କମିଟି ଗଠନ କରିପାରିବେ ଓ କେଉଁ ମାମଲାଗୁଡ଼ିକର ସମୀକ୍ଷା କରାଯିବ ତାହାର ନିଷ୍ପତ୍ତି ନେଇପାରିବେ।

ପ୍ରଶାସନିକ ବିଭାଗ ତରଫରୁ ସମସ୍ତ ସମୀକ୍ଷା ବୈଠକର ବିବରଣୀକୁ ପ୍ରତି ତିନି ମାସରେ ସାଧାରଣ ବିଭାଗକୁ ପ୍ରଦାନ କରିବାକୁ ପଡ଼ିବ। ୫୦ ବର୍ଷ ବୟସ ହୋଇଯାଇଥିବା କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ବେଳେ ସେ ଯଦି ଫିଟ୍‌ ବୋଲି ପ୍ରମାଣିତ ହୁଅନ୍ତି ତେବେ ତାଙ୍କୁ ୫୫ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଆଉ ତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯିବ ନାହିଁ।

ସମ୍ବନ୍ଧିତ ଖବର