ଭୁବନେଶ୍ବର: ବିଭିନ୍ନ ପୌର ସଂସ୍ଥାର ଉପାଧ୍ୟକ୍ଷ ଓ ଡେପୁଟି ମେୟର ପଦବି ପାଇଁ ଏଥର ପରୋକ୍ଷ ନିର୍ବାଚନ ହେବ। ଆସନ୍ତା ୭ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ନିର୍ବାଚନ ପାଇଁ ନୂଆ ନିୟମ ଲାଗୁ ହେବ। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ସମସ୍ତ ଜିଲ୍ଲାପାଳ ଓ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛନ୍ତି।
ସରକାରଙ୍କ ନୂତନ ନିୟମ ଅନୁସାରେ ପୌରସଂସ୍ଥା ଉପାଧ୍ୟକ୍ଷ ଓ ମହାନଗର ନିଗମ ଡେପୁଟି ମେୟର ପଦବି ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ତାଙ୍କ ଦଳ ତରଫରୁ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ ଓ ସଂପୃକ୍ତ ଦଳର ସଭ୍ୟମାନେ ଉପାଧ୍ୟକ୍ଷ/ଡେପୁଟି ମେୟର ନିର୍ବାଚନରେ ଭୋଟ୍ ଦେଇ ସେହି ଦଳର ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ୍ ବାକ୍ସରେ ପକାଇବେ। ପୌରସଂସ୍ଥାର ଉପାଧ୍ୟକ୍ଷ ପଦବି ପାଇଁ ଏପ୍ରିଲ ୭ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୧୧ଟାରୁ ୧୨ଟା ସୁଦ୍ଧା ନାମାଙ୍କନପତ୍ର ଯାଞ୍ଚ, ଦିନ ୧ଟା ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର, ୧ଟା ୩୦ରୁ ୩ଟା ୩୦ ମଧ୍ୟରେ ଭୋଟ୍ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମତଦାନ, ମତଦାନ ପରେପରେ ଭୋଟ୍ ଗଣତି କରି ନିର୍ବାଚନ ଫଳାଫଳ ଘୋଷଣା କରାଯିବ।
ସେହିପରି ତିନିଟି ମହାନଗର ନିଗମର ଡେପୁଟି ମେୟର ପଦବି ନିମନ୍ତେ ଏପ୍ରିଲ ୭, ୮ ଓ ୯ରେ ନିର୍ବାଚନ ଅନୁଷ୍ଠିତ ହେବ। କଟକ ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ୭ରେ, ବ୍ରହ୍ମପୁର ମହାନଗରରେ ୮ରେ ଏବଂ ଭୁବନେଶ୍ବର ମହାନଗର ନିଗମରେ ଏପ୍ରିଲ ୯ରେ ନିର୍ବାଚନ ହେବ। ରାଜ୍ୟ ପୌର ପ୍ରଶାସନର ନିର୍ଦ୍ଦେଶକଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ପୌରସଂସ୍ଥାର ଉପାଧ୍ୟକ୍ଷ ପାଇଁ ଯେଉଁ ସମୟ ସୂଚୀ ଧାର୍ଯ୍ୟ ହୋଇଛି ସେହି ଅନୁଯାୟୀ ଡେପୁଟି ମେୟର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ପୌର ସଂସ୍ଥାର ଉପାଧ୍ୟକ୍ଷ ଓ ଡେପୁଟି ମେୟର ପଦବି ପାଇଁ ଏଥର ହେବାକୁ ଥିବା ପରୋକ୍ଷ ନିର୍ବାଚନ ପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିଥିବାବେଳେ ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, କେଉଁ ରାଜନୈତିକ ଦଳର କିଏ ଏଜେଣ୍ଟ ହେବେ ସେନେଇ ରାଜନୈତିକ ଦଳର ସଭାପତି, ସାଧାରଣ ସମ୍ପାଦକ ଲିଖିତ ଭାବେ ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Election-Symbol1.jpg)