ଭୁବନେଶ୍ୱର : ଝାଡ଼ଖଣ୍ଡର ଖରସୁଆଁରେ ଅବସ୍ଥିତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ବହୁଦିନର ଆଶା ପୂରଣ ହୋଇଛି। ଏଠାରେ ନୂତନ ଭାବେ ‘ସମ୍ବାଦ ସାହିତ୍ୟ ଘର’ ଗଠିତ ହୋଇଛି। କେବଳ ଭାଷା ଓ ସାହିତ୍ୟର ମଞ୍ଚ ଭାବେ ନୁହେଁ, ‘ସମ୍ବାଦ ସାହିତ୍ୟଘର’ ଅବହେଳିତ ଓଡ଼ିଆଙ୍କ ସ୍ୱର ଭାବରେ କାର୍ଯ୍ୟ କରିବ ବୋଲି ଏହି ଅବସରରେ ଅାୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ରବିବାର ଅପରାହ୍ନରେ ଖରସୁଆଁ ରାଜପ୍ରାସାଦ ନିକଟସ୍ଥ ସାମୁଦାୟିକ ଭବନଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଶିଷ୍ଟ ଓଡ଼ିଆ ସଂଗଠକ ସୁମନ୍ତଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ଲେଙ୍କା କହିଥିଲେ ଯେ ବିଭିନ୍ନ ସମୟରେ ରାଜନୀତିର ପଶାପାଲିରେ ଅବହେଳିତ ହୋଇ ଆସୁଥିବା ଝାଡ଼ଖଣ୍ଡର ଓଡ଼ିଆମାନଙ୍କ ସହିତ ଏକ ସଂପର୍କର ସେତୁ ଭାବରେ ‘ସମ୍ୱାଦ ସାହିତ୍ୟ ଘର’ କାର୍ଯ୍ୟ କରିବ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବାରିପଦା ସମ୍ୱାଦ ସାହିତ୍ୟଘରର ସଭାପତି ଇଂ. ମନୋଜ ଦଳବେହେରା ଓ ସାରସକଣା ସମ୍ୱାଦ ସାହିତ୍ୟଘରର ସଂପାଦକ ଶିଉଲାଲ ମହାନ୍ତ ଓଡ଼ିଶା ତଥା ଓଡ଼ିଶା ବାହାର ଓଡ଼ିଆଙ୍କୁ ସଂଗଠିତ କରିବା ଦିଗରେ ‘ସମ୍ୱାଦ ସାହିତ୍ୟଘର’ ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କ ଭୂମିକାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଖରସୁଆଁର ଓଡ଼ିଆମାନେ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ‘ସମ୍ୱାଦ ସାହିତ୍ୟଘର’ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ଏହାପରେ ଏହି ‘ସମ୍ବାଦ ସାହିତ୍ୟଘର’ର ନୂତନ କର୍ମକର୍ତ୍ତା ଭାବରେ ସୁମନ୍ତ ଚନ୍ଦ୍ର ମହାନ୍ତି, ଅଜୟ କୁମାର ପ୍ରଧାନ, ସପନ ମଣ୍ଡଳ, ସୁଶୀଲ ଷଡ଼ଙ୍ଗୀ, ବିରଜା କୁମାର ପତି, ସୁଶାନ୍ତ ଷଡ଼ଙ୍ଗୀ, ରେଣୁ ମହାରଣା, ସ୍ୱପ୍ନା ଟପୋ, ଶମ୍ଭୁ ମଣ୍ଡଳ, ସୁଜିତ କୁମାର ହାଜରାଙ୍କୁ ମନୋନୀତ କରାଯାଇଥିଲା। ଜଗଦୀଶ ଦତ୍ତ, ଆରତୀ ପାତ୍ର, ଶକ୍ତିପ୍ରଦ କର ଚୌଧୁରୀ, ବ୍ରଜନାଥ କୁଅଁର, ଜୟଜିତ କୁମାର ଷଡ଼ଙ୍ଗୀ, ସତ୍ୟବ୍ରତ ଚୌହାନ, ରଞ୍ଜିତ କୁମାର ମଣ୍ଡଳ, ଶିବ ଚରଣ ମହାନ୍ତ, ଭାରତ ଚନ୍ଦ୍ର ମିଶ୍ର, ବନିତା ଦେ, ବନ୍ଦନା ଦାଶ, ଝୁମି ମିଶ୍ର, ସବିତା ବିଷେୟୀ, ପୁଷ୍ପା ପୃଷ୍ଟି, ରୀନା ଦତ୍ତ, ଗୀତା ପାତ୍ର, ବିରଜା କୁମାର ପତି, ମଦନ ମୋହନ ମୋଦକ, ହରିଶ୍ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
‘ସମ୍ୱାଦ ସାହିତ୍ୟଘର’ର କାର୍ଯ୍ୟକ୍ରମ ସହଯୋଗୀ ଶତ୍ରୁଘ୍ନ ସାହୁ ତଥା ଆଶିଷ କୁମାର ଦାସ ପରିଚାଳନାରେ ସହଯୋଗ କରିଥିବା ବେଳେ ଖରସୁଆଁର ବିଶିଷ୍ଟ ସଂଗଠକ ସୁଜିତ କୁମାର ହାଜରା ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ମନୋନୀତ କର୍ମକର୍ତ୍ତାମାନେ ପଦଯାତ୍ରାରେ ଯାଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Sahitya-Ghara-chita-sir.jpg)