୧୬ ତାରିଖ ସନ୍ଧ୍ୟା ୫ଟାରେ ଖୋଲିବ ନୂଆ ସ୍ଲଟ୍
ଅନଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ
୮ଟି କେନ୍ଦ୍ରରେ ଟିକାଦାନ
ରାଉରକେଲା: ସହରରେ କୋଭିଡ୍-୧୯ ଟିକାକରଣ ପାଇଁ ନୂଆ ସୂଚୀ ଜାରି କରିଛି ପ୍ରଶାସନ। ଆସନ୍ତା ମେ’ ୧୮ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ନୂଆ ସୂଚୀ ପ୍ରକାଶ ପାଇଛି। ୧୬ ତାରିଖ ସନ୍ଧ୍ୟା ୫ଟାରେ ହିତାଧିକାରୀଙ୍କ ପାଇଁ ନୂଆ ସ୍ଲଟ୍ ଖୋଲିବ। ୧୮-୪୪ ବର୍ଗଙ୍କ ସହିତ ୪୫ ପ୍ଲସ୍ ବର୍ଗଙ୍କ ପାଇଁ ଅନଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ।
ନୂତନ ସୂଚୀ ଅନୁଯାୟୀ, ମେ’ ୧୮ରୁ ୨୨ ତାରିଖ ଯାଏଁ ଯୁବପିଢ଼ିଙ୍କ ସହିତ ୪୫ ପ୍ଲସ୍ ବର୍ଗଙ୍କୁ ପାଳି କରି ଟିକା ଦିଆଯିବ। ୨୪ରୁ ୨୮ ତାରିଖ ଯାଏଁ ପ୍ରତିଦିନ କେବଳ ଯୁବପିଢ଼ିଙ୍କୁ ଟିକା ଦିଆଯିବ। ରାଉରକେଲାରେ ୮ଟି ଟିକାଦାନ କେନ୍ଦ୍ର କରାଯାଇଛି। ସକାଳ ୮ଟାରୁ ଦିନ ୧ଟା ଏବଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକାଦାନ ଚାଲିବ। ୨୩ ତାରିଖ ରବିବାର ଦିନ ଟିକାକରଣ କାର୍ଯ୍ୟ ବନ୍ଦ ରହିବ। ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କୋଭିଡ୍ ଟିକାକରଣ ନିୟମରେ କେତେକ ପରିବର୍ତ୍ତନ ଆଣିଛନ୍ତି। ନୂତନ ନିୟମ ଅନୁଯାୟୀ କୋଭିସିଲ୍ଡ ଟିକା ପ୍ରଥମ ଡୋଜ୍ ନେବାର ୧୨ରୁ ୧୬ ସପ୍ତାହ ମଧ୍ୟରେ ଅର୍ଥାତ ଅନ୍ୟୂନ ୮୪ ଦିନ ପରେ ଦ୍ଵିତୀୟ ଡୋଜ୍ ଦିଆଯିବ। ତେଣୁ ପ୍ରଥମ ଡୋଜ ନେବାକୁ ଥିବା ହିତାଧିକାରୀମାନେ ପଞ୍ଜୀକରଣ କରି ସ୍ଲଟ୍ ବୁକ୍ କରିପାରିବେ।
ତେବେ ଯେଉଁମାନଙ୍କର ଦ୍ୱିତୀୟ ଡୋଜ ଟିକା ନେବାର ଅଛି ସେମାନେ ପ୍ରଥମ ଡୋଜ ଟିକା ନେବାର ଅନ୍ତତଃ ୮୪ ଦିନ ପରର ତାରିଖ ପାଇଁ ମିଳୁଥିବା ସ୍ଲଟ୍ ବୁକ୍ କରିପାରିବେ। କାରଣ ୮୪ ଦିନ ପୂର୍ବରୁ ଅନଲାଇନରେ ସ୍ଲଟ ବୁକିଂ କରିବା ସମ୍ଭବ ହେବ ନାହିଁ। ହିତାଧିକାରୀମାନେ ମୁଖ୍ୟତଃ କୋୱିନ ପୋର୍ଟାଲ କିମ୍ବା କୋୱିନ୍ ଆପରେ ଟିକାକରଣ ପାଇଁ ସ୍ଲଟ୍ ବୁକିଂ କରିପାରିବେ। ରାଉରକେଲା ସହରରେ ଟିକାଦାନ ପାଇଁ ୮ଟି କେନ୍ଦ୍ର କରାଯାଇଛି। ଆଇଜିଏଚ୍, ଆରଜିଏଚ୍, ୟୁସିଏଚସି ପାନପୋଷ, ରେଲେଓ୍ୱ ହସ୍ପିଟାଲ-ବନ୍ଧମୁଣ୍ଡା, ରିଜର୍ଭ ପୋଲିସ ହସ୍ପିଟାଲ, ସେଲ୍ ହେଲଥ ସେଣ୍ଟର ଫର୍ଟିଲାଇଜର ଟାଉନସିପ୍, ସେକ୍ଟର-୬ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଇଏସ୍ଆଇ ହସ୍ପିଟାଲରେ ଏହି କେନ୍ଦ୍ର କରାଯାଇଛି।
ଟିକାକରଣ କେନ୍ଦ୍ରରେ କୋଭିଡ୍ ନିୟମ ପାଳନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ହିତାଧିକାରୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି। ସେହିପରି ଲୋକଙ୍କ ସୁବିଧା ପାଇଁ ବସିବା ବ୍ୟବସ୍ଥା, ପିଇବା ପାଣି ଏବଂ ଆବଶ୍ୟକ ଘୋଷଣା ପାଇଁ ମାଇକ୍ ଆଦି ବ୍ୟବସ୍ଥା କରାଯାଉଛି। କୋଭିଡ୍ ସମ୍ପର୍କିତ କୌଣସି ସୂଚନା ଓ ସହାୟତା ପାଇଁ ରାଉରକେଲା କୋଭିଡ୍ ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୮ ଏବଂ ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୧ / ୦୧୧ – ୪୧୧୮୨୧୩୮ ନମ୍ବର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/vaccine-covid-aaa.jpg)