୩ ବର୍ଷରୁ କମ୍‌ ଶିଶୁଙ୍କ ପାଇଁ ‘ବାତ୍ସଲ୍ୟ’ ଯୋଜନାର ଶୁଭାରମ୍ଭ

ଭୁବନେଶ୍ବର: ୩ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ଯତ୍ନ ଓ ଉଦ୍ଦୀପନାକୁ ଆଧାର କରି ସେମାନଙ୍କ ଶୈଶବର ବିକାଶ ପାଇଁ ମହିଳା ଓ ଶିଶୁବିକାଶ ଓ ମିସନ ଶକ୍ତି ବିଭାଗ ପକ୍ଷରୁ ‘ବାତ୍ସଲ୍ୟ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଶିଶୁମାନଙ୍କୁ ପରିପୂରକ ପୁଷ୍ଟିସାଧନ, ଟିକାକରଣ, ସ୍ବାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇଛି। ଭର୍ଚୁଆଲ ପ୍ଲାଟ୍‌ଫର୍ମ ଜରିଆରେ ଆଜି ଏହାର ଶୁଭାରମ୍ଭ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ। ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି, ପ୍ରତ୍ୟେକ ଶିଶୁର ବିକଶିତ ଓ ପରିପୂର୍ଣ୍ଣ ଶୈଶବ ପାଇଁ ପିତାମାତାଙ୍କଠାରୁ ଆରମ୍ଭ କରି ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିକଟରୁ ପର୍ଯ୍ୟାପ୍ତ ବାତ୍ସଲ୍ୟମମତା ପାଇବା ଆବଶ୍ୟକ। ଶିଶୁର ଲାଳନପାଳନରେ ପିତାମାତା ଓ ପରିବାର ସଦସ୍ୟଙ୍କ ଯେଉଁ ଦାୟିତ୍ବ ଓ କର୍ତ୍ତବ୍ୟ ରହିଛି, ତାକୁ ସଠିକ୍‌ ଢଙ୍ଗରେ ରୂପାନ୍ତରିତ କରିବା ଦିଗରେ ‘ବାତ୍ସଲ୍ୟ’ ଏକ ଅଭିନବ ସୁଦୂରପ୍ରସାରୀ ଅଭିଯାନ। ଏହି ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ ହେଲେ ଆଦ୍ୟ ଶୈଶବର ବିକାଶକୁ ତ୍ବରାନ୍ବିତ ହୋଇପାରିବ। ଫଳରେ ଶିଶୁର ସାରା ଜୀବନ ପାଇଁ ଏକ ସୁଦୃଢ଼ ମୂଳଦୁଆ ପଡ଼ିବ। ଏହି କାର୍ଯ୍ୟକ୍ରମ ସଫଳ ହେଲେ ଓଡ଼ିଶା ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଗଣିତ ହୋଇପାରିବ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଏହି ଯୋଜନାର ଉପାଦେୟତା ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ପ୍ରତି ମାସର ୧୯ ତାରିଖରେ ଅଙ୍ଗନବାଡ଼ି ଶିଶୁଙ୍କ ପାଇଁ ଅଙ୍କୁର ଦିବସ, ମାତୃଭାଷା ଭିତ୍ତିକ ପ୍ରାକ୍‌ଶିକ୍ଷା କାର୍ଯ୍ୟକ୍ରମ ବେଶ୍‌ ସଫଳ ହୋଇଥିବାବେଳେ ‘ବାତ୍ସଲ୍ୟ’ ଅଭିଯାନ ଦୀର୍ଘସ୍ଥାୟୀ ଓ ଫଳପ୍ରଦ ହେବ। ୟୁନିସେଫ୍‌ର ଭାରତ ପ୍ରତିନିଧି ଡ.ୟାସିନ୍‌ ଅଲ୍ଲୀ କହିଥିଲେ, ପ୍ରାକ୍‌ ଶୈଶବରେ ଯଦି ଶିଶୁ ପାଇଁ ଟଙ୍କାଟିଏ ବିନିଯୋଗ କରାଯାଏ, ତେବେ ପରେ ତାହା ୧୩ ଟଙ୍କା ହୋଇ ଫେରିଥାଏ। ଶିଶୁଟି ବଡ଼ ହେବା ସହିତ ତା’ର କ୍ଷମତା ୨୫% ବୃଦ୍ଧି ପାଇଥାଏ। ଶିଶୁମାନଙ୍କ ସାମଗ୍ରୀକ ବିକାଶ ପାଇଁ ଓଡ଼ିଶା ସରକାର ଆପଣାଇଥିବା ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ, ପୁଷ୍ଟିସାଧନ, ଟିକି ମାଉସୀ ଜରିଆରେ ସଚେତନତା ସୃଷ୍ଟି ଆଦି ଉଦ୍ୟମକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଅବସରରେ ଡିଜିଟାଲ ମାଧ୍ୟମରେ ଶିଶୁମାନଙ୍କ ପାଇଁ କୁନି କ୍ୟାଲେଣ୍ଡର, ମାତୃଭାଷା ଭିତ୍ତିକ ୧୧ଟି ପୋଷ୍ଟର, ଓଡ଼ିଆ ଭାଷାରେ ପ୍ୟାରେଣ୍ଟ୍‌ସ ପ୍ଲସ୍‌ ମଡ୍ୟୁଲ୍‌, ସୁଖଦ ଲାଳନପାଳନ ସମ୍ପର୍କିତ ଫ୍ଲିପ୍‌ ବ୍ଲକ୍‌, ପ୍ରାକ୍‌ ଶୈଶବ ଉଦ୍ଦୀପନା ସମ୍ପର୍କିତ ଭିଡିଓ ଚିତ୍ର ସମ୍ବଳିତ ‘ବାତ୍ସଲ୍ୟ’ ପ୍ୟାକେଜ୍‌କୁ ମନ୍ତ୍ରୀ ଶ୍ରୀମତୀ ସାହୁ ଉନ୍ମୋଚନ କରିଥିଲେ। ୧୦ଟି ଜନଜାତି ଭାଷାରେ ପ୍ରସ୍ତୁତ ‘ ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡର ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମନ୍ବିତ ଶିଶୁ ବିକାଶ ଓ ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଵାଲ୍‌, ଏସ୍‌ସି-ଏସ୍‌ଟି ଗବେଷଣା ପ୍ରତିଷ୍ଠାନ ନିର୍ଦ୍ଦେଶକ ଅଖିଳ ବିହାରୀ ଓତା, ବର୍ଣ୍ଣାଡ୍‌ ଭାନ୍‌ଲି ଫାଉଣ୍ଡେସନ୍‌ର ଭାରତ ପ୍ରତିନିଧି ମିସ୍‌ ରୁସ୍‌ଦା ମାଜିଦ୍‌, ନୂଆଦିଲ୍ଲୀ ସ୍ଥିତ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟର ପ୍ରାକ୍‌ ଶୈଶବ ବିକାଶ ଓ ଗବେଷଣା କେନ୍ଦ୍ରର ମୁଖ୍ୟ ପ୍ରଫେସର ଡ. ଅନୁଭା ରାଜେଶଙ୍କ ସମେତ ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର