ଡାକ ବିଭାଗର ନୂଆ ଯୋଜନା : ଗ୍ରାହକଙ୍କୁ ପ୍ରତି ମାସରେ ମିଳିବ ଟଙ୍କା ! କରିବାକୁ ପଡ଼ିବ ଏହି ଛୋଟିଆ କାମ

ଭୁବନେଶ୍ୱର : ସାଧାରଣତଃ ଲୋକମାନେ ଭବିଷ୍ୟତ ପାଇଁ ପୋଷ୍ଟ ଅଫିସ, ବ୍ୟାଙ୍କ ଓ ବିଭିନ୍ନ ଇନସ୍ୟୁରାନ୍‌ସ କମ୍ପାନୀରେ ଟଙ୍କା ଜମା ରଖିଥାନ୍ତି। ଯାହାର ଫାଇଦା ଜମାକାରୀଙ୍କୁ ଭବିଷ୍ୟତରେ ମିଳିଥାଏ। କିନ୍ତୁ ଏବେ ଭାରତୀୟ ଡାକ ବିଭାଗ ଏକ ନୂଆ ଯୋଜନା ଆରମ୍ଭ କରିଛି। ଯେଉଁ ସ୍କିମରେ ଜମାକାରୀ ପ୍ରତିମାସରେ ଜମା କରିଥିବା ଟଙ୍କାରୁ ଆୟ କରିପାରିବେ। ଜାଣନ୍ତୁ ଏହି ସ୍କିମ ବିଷୟରେ ପୂରା ତଥ୍ୟ। ଭାରତୀୟ ଡାକ ବିଭାଗ ମାସିକ ନିବେଶ ସ୍କିମ ବା ଏମଆଇଏସ ନାଁରେ ଏକ ନୂଆ ସ୍କିମ ଆରମ୍ଭ କରିଛି। ଏହି ନୂଆ ସ୍କିମ ଅନୁଯାୟୀ ଯଦି ଜମାକରୀ ଗୋଟିଏ ଥର ଟଙ୍କା ଜମା କରନ୍ତି ତେବେ ପ୍ରତି ମାସରେ ଏହାର ଫାଇଦା ଉଠାଇ ପାରିବେ।

କିପରି ଖୋଲିବେ ଆକାଉଣ୍ଟ : ପୋଷ୍ଟ ଅଫିସର ଏହି ନୂଆ ସ୍କିମ ଅନୁଯାୟୀ, ଯେକୌଣସି ବ୍ୟକ୍ତି ଖାତା ଖୋଲିପାରିବେ। ସର୍ବନିମ୍ନ ୧୫୦୦ ଟଙ୍କା ଏହି ଖାତାରେ ଜମା କରିବେ। ସେହିଭଳି ସର୍ବାଧିକ ୪.୫ ଲକ୍ଷ ଟଙ୍କା ଏହି ଖାତାରେ ଜମା କରିପାରିବେ। ଏହାବାଦ ଯଦି ଜଏଣ୍ଟ ଆକାଉଣ୍ଟ ଥିବା ବ୍ୟକ୍ତି ସର୍ବାଧିକ ୯ ଲକ୍ଷ ଟଙ୍କା ଜମା କରି ପାରିବେ। ଜଣେ ବ୍ୟକ୍ତି ଏକାଧିକ ଖାତା ମଧ୍ୟ ଖୋଲି ପାରିବେ। ଏହି ଖାତାରେ ନଗଦ ଓ ଚେକ୍‌ ମାଧ୍ୟମରେ ଟଙ୍କା ଜମା କରିପାରିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଖାତାର ଅବଧି ୫ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଏହି ଖାତାରେ ଜମାରାଶି ଉପରେ ବାର୍ଷିକ ୭.୩ ପ୍ରତିଶତ ହାରରେ ସୁଧ ମିଳିବ। ପ୍ରତିମାସରେ ଏହି ସୁଧ ଟଙ୍କା ଉଠାଇପାରିବେ ଜମାକାରୀ । ଏହି ଆକାଉଣ୍ଟରେ ଜମା ହୋଇଥିବା ଟଙ୍କାର ସୁଧହାର ବ୍ୟାଙ୍କର ସ୍ଥାୟୀ ଜମାରାଶି ଉପରେ ମିଳୁଥିବା ସୁଧଠାରୁ ଅଧିକ ରହିବ। ଜମାକାରୀ ଚାହିଁଲେ ପ୍ରତିମାସରେ ମିଳୁଥିବା ସୁଧକୁ ଉଠାଇ ପାରିବେ। ଏହି ସୁଧ ରାଶି ଇସିଏସ ଦ୍ୱାରା ସିଧାସଳଖ ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍‌ସଫର ହୋଇଯିବ।

ମନେ କରନ୍ତୁ ଜମାକାରୀ ଏହି ସ୍କିମରେ ଜଏଣ୍ଟ ଆକାଉଣ୍ଟ ଖୋଲିବା ସହ ସର୍ବାଧିକ ଜମାରାଶି ୯ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ୯ ଲକ୍ଷ ଟଙ୍କା ଉପରେ ସୁଧ ହିସାବ କଲେ ବାର୍ଷିକ ୬୫୭୦୦ ଜମାକାରୀଙ୍କୁ ମିଳିବ। ଏହିଭଳି ଭାବେ ମାସକୁ ପାଖାପାଖି ୫୫୦୦ ଟଙ୍କା ଆୟ କରିପାରିବେ ଜମାକାରୀ। ଯେକୌଣସି ପୋଷ୍ଟ ଅଫିସରେ ଏହି ସ୍କିମରେ ଆକାଉଣ୍ଟ ଖୋଲି ପାରିବେ ଜମାକାରୀ। ଏଥିପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ୨ଟି ପାସପୋଟ ଫଟୋ ଦେବାକୁ ପଡିବ।

ଅବଧି ପୂର୍ବରୁ ଉଠାଇପାରିବେ ଟଙ୍କା : ଏହି ସ୍କିମ ଅନୁଯାୟୀ ଖୋଲିଥିବା ଆକାଉଣ୍ଟକୁ ୧ବର୍ଷ ପୂରିବା ପରେ ମ୍ୟାଚୁରିଟି ଅବଧି ପୂର୍ବରୁ ଟଙ୍କା ଉଠାଇପାରିବେ ଜମାକାରୀ। କିନ୍ତୁ ଏଥିପାଇଁ ଜମାକାରୀଙ୍କୁ କିଛି କ୍ଷତି ସହିବାକୁ ପଡିବ। ୧ ବର୍ଷରେ ଟଙ୍କା ଉଠାଉଥିଲେ ଜମାରାଶିର ୨ ପ୍ରତିଶତ ଛାଡି ବଳକା ଅର୍ଥ ଉଠାଇପାରିବେ ଜମାକାରୀ। ଏହି ସର୍ତ୍ତ ୧ରୁ ୩ ବର୍ଷ ମଧ୍ୟରେ ଟଙ୍କା ଉଠାଉଥିଲେ ଲାଗୁ କରାଯିବ। ୩ ବର୍ଷ ପରେ ଟଙ୍କା ଉଠାଇଲେ ଜମାରାଶିର ୧ ପ୍ରତିଶତ ଟଙ୍କା କାଟିବା ସହ ବଳକା ଟଙ୍କା ଜମାକାରୀଙ୍କୁ ଫେରାଇବ ପୋଷ୍ଟଅଫିସ। ଏହି ସ୍କିମ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଭାରତୀୟ ଡାକ ବିଭାଗର ଅଫିସିଆଲ ୱେବସାଇଟରେ ପାଇପାରିବେ ଜମାକାରୀ।

ସମ୍ବନ୍ଧିତ ଖବର