ଚାଷୀଙ୍କ ପାଇଁ ଉଦ୍ୟାନ ବିଭାଗର ନୂଆ ଯୋଜନା : ବିନା ଦେୟରେ ଶୀତଳଭଣ୍ଡାରରେ ରଖିପାରିବେ ପନିପରିବା

କଟକ : ପନିପରିବା ବିକ୍ରି କରିପାରୁ ନଥିଲେ ଚାଷୀ। କାହାର ନଷ୍ଟ ହୋଇଯାଉଥିଲା ତ ଆଉ କାହାର ବିକ୍ରି ହୋଇ ପାରୁ ନଥିଲା। ଏଭଳି ସ୍ଥିତିରୁ ଚାଷୀ କିପରି ମୁକୁଳିବେ ସେ ଦିଗରେ ପଦକ୍ଷେପ ନେଇଛି ଉଦ୍ୟାନ କୃଷି ବିଭାଗ। ବିଭାଗ ପକ୍ଷରୁ ହ୍ବାଟସ୍ଆପ୍‌ ଗ୍ରୁପ୍‌ ଖୋଲାଯାଇ ସେଥିରେ ୧୨୦୦ ଚାଷୀଙ୍କୁ ଯୋଡ଼ା ଯାଇଛି। ପନିପରିବା ବିକ୍ରି ପାଇଁ ୩ଶହ ଚାଷୀଙ୍କୁ ପାସ୍‌ ଦିଆଯାଇଛି। ଶୀତଳଭଣ୍ଡାରରେ ସଂରକ୍ଷଣ ପାଇଁ ଚାଷୀଙ୍କୁ ବର୍ତ୍ତମାନ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ସୂଚନା ଦିଆଯାଇଛି।

କଟକ ଜିଲ୍ଲାର କିଶନନଗରଠାରେ ଅବସ୍ଥିତ ଶୀତଳଭଣ୍ଡାର ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି। ବର୍ତ୍ତମାନ ଅମଳ ହେଉଥିବା ଫୁଲ (ଗେଣ୍ଡୁ, ଗୋଲାପ, ଜର୍ବେରା, ଅର୍କିଡ୍) ଓ ଫଳ ତଥା ପନିପରିବା (ଟମାଟୋ, ଆଳୁ, ତରଭୁଜ, କଖାରୁ, ଅଦା, କୋବି ଇତ୍ୟାଦି) ସଂରକ୍ଷଣ କରିବାକୁ ରାଜି ହୋଇଛନ୍ତି। ବର୍ତମାନ ସମୟରେ ଏଥିପାଇଁ କୌଣସି ସଂରକ୍ଷଣ ଦେୟ ଚାଷୀଙ୍କୁ ଦେବାକୁ ପଡିବ ନାହିଁ। ଭବିଷ୍ୟତରେ ବିତରଣ ଏବଂ ସଂରକ୍ଷିତ ଦ୍ରବ୍ୟ ବିକ୍ରି ସମୟରେ କୃଷକମାନେ ସେମାନଙ୍କର ଷ୍ଟୋରେଜ୍ ଦେୟ ଦେଇପାରିବେ। ଭବିଷ୍ୟତରେ ନିର୍ଦ୍ଦିଷ୍ଟ ଲାଭ ପରିମାଣ ସହିତ ଶୀତଳଭଣ୍ଡାର ମାଲିକଙ୍କ ତତ୍ତ୍ୱାବଧାନରେ ମଧ୍ୟ ସେମାନେ ସେମାନଙ୍କର ଉତ୍ପାଦଗୁଡିକୁ ବ୍ୟବସାୟ କରିବାର ସୁଯୋଗ ମଧ୍ୟ ପାଇପାରିବେ। ଏବେ କେବଳ ଚାଷୀମାନେ ନିଜର ଉତ୍ପାଦିତ ସାମଗ୍ରୀକୁ ନେଇ ଶୀତଳ ଭଣ୍ଡାରରେ ପହଞ୍ଚାଇବାର ବ୍ୟବସ୍ଥା ନିଜେ କରିବେ। ଏଥିପାଇଁ ସେମାନଙ୍କୁ ଗାଡି ପାସ ବିଭାଗରୁ ଯୋଗାଇ ଦିଆଯିବ। ଚାଷୀମାନେ ସେମାନଙ୍କ ସାମଗ୍ରୀ ବିକ୍ରି ସମସ୍ୟାର ସମାଧାନ ପାଇଁ ଉଦ୍ୟାନ ବିଭାଗର ହ୍ବାଟସ୍ଆପ ଗ୍ରୁପର ସହାୟତା ନେଇ ପାଇପାରିବେ। କିଶନନଗର ଶୀତଳ ଭଣ୍ଡାରରେ ଏହି ବ୍ୟବସ୍ଥାର ସୁଯୋଗ ସାଲେପୁର, ନିଶ୍ଚିନ୍ତକୋଇଲି, ଟାଙ୍ଗୀ, ଜଗତସିଂହପୁର ଜିଲ୍ଲାର ଚାଷୀ ପାଇ ପାରିବେ ବୋଲି ଜିଲ୍ଲା ଉଦ୍ୟାନ ଉପ କୃଷି ନିର୍ଦ୍ଦେଶକ ବୈଷ୍ଣବ ବାରିକ ସୂଚନା ଦେଇଛନ୍ତି।।

ସମ୍ବନ୍ଧିତ ଖବର