ଭୁବନେଶ୍ବର: ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’। ଏହି ଯୋଜନାରେ ୪୦ରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ମହିଳା ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ, ହସ୍ତଶିଳ୍ପ କାରିଗର ଏବଂ ୫୦ରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ପୁରୁଷ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ, ହସ୍ତଶିଳ୍ପ କାରିଗରମାନଙ୍କୁ ମାସିକ ୨୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସେହିଭଳି ୮୦ ବର୍ଷରୁ ଊର୍ଦ୍ଧ୍ବ ଉଭୟ ମହିଳା ଓ ପୁରୁଷ ବରିଷ୍ଠ ବୁଣାକାର, ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ବରିଷ୍ଠ ହସ୍ତଶିଳ୍ପ କାରିଗର ମାସିକ ୨୫୦୦ ଟଙ୍କାର ଆର୍ଥିକ ସହାୟତା ପାଇବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ରାଜ୍ୟରେ ୧ ଲକ୍ଷ ୨୫ ହଜାରରୁ ଅଧିକ ବୁଣାକାର ତଥା ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ୧ ଲକ୍ଷ ୫୦ ହଜାରରୁ ଅଧିକ ହସ୍ତଶିଳ୍ପ କାରିଗର ଅଛନ୍ତି। ତେବେ ପରିଣତ ବୟସରେ ବୁଣାକାରମାନଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ ‘ବରିଷ୍ଠ ବୁଣାକାର ସହାୟତା ଯୋଜନା’ ରହିଥିଲା। ବରିଷ୍ଠ ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ କୌଣସି ଯୋଜନା ନଥିଲା। ପୂର୍ବରୁ ବୁଣାକାରମାନେ ୬୦ରୁ ୮୦ ବର୍ଷ ବୟସ ମଧ୍ୟରେ ମାସିକ ୫୦୦ ଟଙ୍କାର ସହାୟତା ପାଉଥିବା ବେଳେ ୮୦ ବର୍ଷ ବୟସରୁ ଅଧିକ ବୟସରେ ମାସିକ ୭୦୦ ଟଙ୍କାର ସହାୟତା ପାଉଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ବୁଣାକାର ଓ ହସ୍ତଶିଳ୍ପ କାରିଗରମାନେ ଏ ସମ୍ପର୍କରେ ଅନୁରୋଧ କରିଥିଲେ। ଏହି ଅନୁରୋଧ ବିଚାରକୁ ନେଇ ରାଜ୍ୟ ସରକାର ରାଜ୍ୟର ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କର କଲ୍ୟାଣ ନିମନ୍ତେ ଏହି ନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’ ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଏହି ଯୋଜନାର ଲାଭ ପାଇବାକୁ ହେଲେ ହିତାଧିକାରୀଙ୍କ ନାମ ବୟନଶିଳ୍ପ ନିର୍ଦ୍ଦେଶକ ଓ ହସ୍ତଶିଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା କରାଯାଇଥିବା ସର୍ବେକ୍ଷଣ ତାଲିକାରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ଭାବେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ। ତାଙ୍କ ପରିବାରର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହୋଇନଥିବ। ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା କୌଣସି ଅନୁରୂପ ଯୋଜନାର ଲାଭାର୍ଥୀ ହୋଇନଥିବେ। ହିତାଧିକାରୀ ସରକାରୀ କର୍ମଚାରୀ, ଆୟକରଦାତା କିମ୍ବା କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ପେନସନଭୋଗୀ ହୋଇନଥିବେ। ଗୋଟିଏ ପରିବାରରୁ ଜଣେ ଏହି ଯୋଜନାରେ ଲାଭ ପାଇପାରିବେ। ଏହି ଯୋଜନାର ସହାୟତା ରାଶି ଯୋଗ୍ୟ ବିବେଚିତ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ସଞ୍ଚୟ ଖାତାକୁ ଡିବିଟି ଦ୍ୱାରା ପ୍ରଦାନ କରାଯିବ। ଯୋଜନା କାର୍ଯ୍ୟକାରୀ କରିବା ପାଇଁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆବଶ୍ୟକ ମାର୍ଗଦର୍ଶିକା ଜାରି କରାଯିବ। ବରିଷ୍ଠ ବୁଣାକାର ଯୋଜନାରେ ସହାୟତା ପାଉଥିବା ହିତାଧିକାରୀମାନଙ୍କୁ ବର୍ଦ୍ଧିତ ହାରରେ ସହାୟତା ରାଶି ଫେବ୍ରୁଆରି ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ମଧ୍ୟରୁ ଉପଯୁକ୍ତ ହିତାଧିକାରୀ ଚୟନ କରାଯାଇ ସହାୟତା ରାଶି ଯଥାଶୀଘ୍ର ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/bunakar.jpg)