ଭୁବନେଶ୍ବର: ବଦଳିବ ଶିକ୍ଷାବର୍ଷ। ଏପ୍ରିଲ ବଦଳରେ ମେ’ ମାସଠାରୁ ଛାତ୍ରଛାତ୍ରୀଙ୍କ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ଗ୍ରୀଷ୍ମ ଛୁଟି ମଧ୍ୟ ହ୍ରାସ କରାଯିବ। ପ୍ରତିବର୍ଷ ମେ’ ୬ରୁ ଜୁନ୍ ୧୭ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଛୁଟି ହେଉଥିଲା। ମାତ୍ର ଲଗାତାର ଦୁଇବର୍ଷ ହେଲା କରୋନା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହ ସରକାରୀ ସ୍କୁଲଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୌପଚାରିକ ଭାବେ କୁହାଯାଇଛି। ସଚେତନତା ରଥ ମାଧ୍ୟମରେ ଲୋକଙ୍କୁ ବୁଝାଯାଇଛି। ଏହାକୁ ଅଧିକ ବ୍ୟାପକ କରିବା ସହ ମେ’ ମାସରେ ଆରମ୍ଭ ହେବାକୁ ଥିବା ନୂତନ ଶିକ୍ଷାବର୍ଷରେ ଜଣେ ଛାତ୍ରଛାତ୍ରୀ ଯେପରି ଶିକ୍ଷା ଗ୍ରହଣରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ନୂତନ ଶିକ୍ଷାବର୍ଷ ବିଳମ୍ବ ହେଉଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂତନ ଶିକ୍ଷାବର୍ଷ ସମେତ ନାମଲେଖା, ଗ୍ରୀଷ୍ମଛୁଟି, ଦଶମ ଓ ଯୁକ୍ତ୨ ପରୀକ୍ଷା ଆଦି ବିଷୟରେ ବିଶଦ୍ ଆଲୋଚନା ହୋଇଥିଲା। ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି କିଛି ବଡ଼ ଧରଣର ନିଷ୍ପତ୍ତି ହୋଇଛି। ଦୁଇବର୍ଷ ଧରି ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ପରୀକ୍ଷା ସମୟରେ ସେମାନଙ୍କ ଦୁର୍ବଳତା ପଦାକୁ ଆସିଛି। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ନିର୍ଦ୍ଦିଷ୍ଟ ଶ୍ରେଣୀର ପାଠକୁ ବୁଝି ପାରୁନାହାନ୍ତି। ସେମାନଙ୍କୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ବିଭାଗ ଗୁରୁତ୍ବାରୋପ କରିଛି। ତେଣୁ ଗ୍ରୀଷ୍ମ ଛୁଟି ସମୟକୁ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି। ଦେଢ଼ ମାସ ବଦଳରେ ଗ୍ରୀଷ୍ମ ଛୁଟିକୁ ୧୬ ଦିନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଜୁନ୍ ପହିଲାରୁ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି କରାଯିବ। ମେ’ ପ୍ରଥମ/ଦ୍ବିତୀୟ ସପ୍ତାହରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ପିଲାମାନେ ଉଚ୍ଚଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ସହ ଉକ୍ତ ଶ୍ରେଣୀର ପାଠ ପଢ଼ିବେ। ତେଣୁ ପାଠପଢ଼ାରେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଲାଗି ରିମେଡିଆଲ୍ କ୍ଲାସ ଜାରି ରହିବ।
ଗ୍ରୀଷ୍ମ ଛୁଟି କମାଇବା ସହ ସ୍କୁଲ ସମୟରେ ମଧ୍ୟ କିଛିଟା ପରିବର୍ତ୍ତନ କରିବାକୁ ସ୍ଥିର ହୋଇଛି। ମେ’ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ସ୍କୁଲ ସମୟ ହ୍ରାସ କରାଯିବା ନେଇ ବିଭାଗର କିଛି ଅଧିକାରୀ ପ୍ରସ୍ତାବ ଦେଇଥିଲେ। ତାହା ଉପରେ ଆଜିର ବୈଠକରେ ଆଲୋଚନା କରାଯାଇଥିଲା। ଏହାବ୍ୟତୀତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରମୋସନ୍, ଟିଜିଟି, ପିଜିଟି ପରୀକ୍ଷାଫଳ ପ୍ରକାଶ ବିଷୟରେ ମଧ୍ୟ ଆଜିର ବୈଠକରେ ବିଚାରବିମର୍ଶ ହୋଇଛି। ମୋଟ୍ ଉପରେ ୧୨ଟି ପ୍ରସ୍ତାବ ଉପରେ ଆଜିର ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ପ୍ରସ୍ତାବଗୁଡ଼ିକର ସୁପାରିସ୍ ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ସେଠାରୁ ଅନୁମତି ମିଳିଲେ, ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।