ଗୋପାଳପୁର/ସୋନପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀ‌ବିଜ୍ଞାନ ବିଭାଗର ଏମ୍‌ଏସ୍‌ଇବି   ଗବେଷଣାଗାର ପକ୍ଷରୁ ଏକ ନୂତନ ପ୍ରଜାତିର ମାଛ (ଆୱାସ୍‌ ମୋଟଲା) ଚିହ୍ନଟ କରାଯାଇଛି। ପ୍ରାଣୀବିଜ୍ଞାନ ବିଭାଗର ସହଯୋଗୀ ପ୍ରଫେସର ଡ. ଜୟ କିଶୋର ସେଟ୍ ଏବଂ ତାଙ୍କ ଗବେଷଣା ଦଳ ଏହି ମାଛଟିକୁ ୧୩ ଜୁନ ୨୦୨୨ରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସ୍ଥିତ ମହାନଦୀ ଓ ତେଲ ନଦୀର ମିଶ୍ରଣ ସ୍ଥଳରୁ ସଂଗ୍ରହ କରିଥିଲେ। ଏହାକୁ ଆୟୋସ୍ ମୋଟଲା ନାମରେ ନାମିତ କରାଯାଇଛି।

Advertisment

ମାଛଟିକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ସହଯୋଗୀ ପ୍ରଫେସର ଡ.ସେଟ୍, ଗବେଷକ ଓ ଗବେଷିକା ସନ୍ମିତ୍ର ରୟ, ସମୀର ଶୂର, ଦିଲରାଜ୍ ପୁଆଲା ପ୍ରାୟ ଦେଢ଼ ବର୍ଷ ଧରି ମାଛଟିକୁ ବିଭିନ୍ନ ପରୀକ୍ଷାନିରୀକ୍ଷା କରିଥିଲେ। ମାଛଟି ଭିନ୍ନ ପ୍ରଜାତିର ହୋଇଥିବାରୁ ଏହାର ଅଧିକ ତଥ୍ୟା ଜାଣିବା ପାଇଁ ଗୋପାଳପୁରସ୍ଥିତ ପ୍ରାଣୀବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଅନିଲ କୁମାର ମହାପାତ୍ର ଏବଂ ଅବସରପ୍ରାପ୍ତ ବୈଜ୍ଞାନିକ ଶୁଭେନ୍ଦୁ ଶେଖର ମିଶ୍ର ମିଳିତ ଭାବେ ଗବେଷଣା କରିଥିଲେ। ମାଛଟିର ଆଖି ୬. ୬ ରୁ ୮.୪ ଡାଇମିଟର ହୋଇଥିବା ବେଳେ ପ୍ରିଡୋର୍ସାଲ କାତି ୧୩ ରୁ ୧୫, ଲଙ୍ଗିଚ୍ୟୁଡିନାଲ୍‌ କାତି ୧୩ ରୁ ୧୫ ରହିଛିl

ଏହାର ଉପର ମାଢ଼ିରେ ଗୋଟିଏ ଦାନ୍ତ ରହିଥିବା ବେଳେ ତଳ ମାଢ଼ିରେ ୨ ରୁ ୩ଟି ଧାଡ଼ିରେ ଦାନ୍ତ ରହିଛି। ଦାନ୍ତ ଗୁଡିକ ମୁନିଆ ଓ ଶକ୍ତ। ଡିଏନ୍‌ଏ ପରୀକ୍ଷାରୁ ୮.୩ ରୁ ୧୩.୮ ପ୍ରତିଶତ ଏହା ଅନ୍ୟ ମାଛ ଠାରୁ ଅଲଗା ରହିଛି। ମାଛର ରଙ୍ଗ ହଳଦିଆ ରହିଥିବା ବେଳେ ଏହା ବିଷାକ୍ତ ନୁହେଁ ବରଂ ଏହ‌ି ମାଛକୁ ଲୋକେ ଖାଇଥାନ୍ତି। ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମାଛଟିର ଗବେଷଣା ପାଇଁ ଅନୁଦାନ ପ୍ରଦାନ କରିଥିଲେ। ଅନ୍ତର୍ଜାତୀୟ ଜୋନାଲ ଅଫ୍‌ ଫିସ୍‌ ବାୟୋଲୋଜିରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଏ ସମ୍ପର୍କରେ ସହଯୋଗୀ ପ୍ରଧ୍ୟାପକ ଡ. ସେଟ୍‌ କହିଛନ୍ତି, ଏହି ମାଛର ଖାଦ୍ୟ, ରହଣି ଓ ସଂରକ୍ଷଣ ଉପରେ ଅଧିକ ଗବେଷଣା କରାଯିବ। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରାଣୀବିଜ୍ଞାନ ବିଭାଗର ଗବେଷଣାକୁ ପ୍ରଶଂସା କରିବା ସହ ଅଧିକ ଗବେଷଣା ପାଇଁ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। ମାଛଟିର ରଙ୍ଗ ସାଧାରଣତଃ ହଳଦିଆ ରହିଥାଏ। ତିନି ଦଶନ୍ଧି ପରେ ଏହି ପ୍ରଜାତିର ମାଛକୁ ଚିହ୍ନଟ କରାଯାଇଛି। ମାଛଟିର ବଜାର ଚାହିଦା ଅଧିକ ଥିବାରୁ ଏହାର ମୂଲ୍ୟ କେଜି ପିଛା ୬୦୦-୮୦୦ ଟଙ୍କା ରହିଛି। ଏହାର ଶୁଖୁଆ ତିଆରି ଶୈଳୀ ମଧ୍ୟ ଭିନ୍ନ। ଏ ସମ୍ପର୍କରେ ଏକ ଗବେଷଣା ନିବନ୍ଧ ‘ଜର୍ନାଲ ଅଫ୍‌ ଫିସ୍‌’ ବାଇଓଲୋଜିରେ ପ୍ରକାଶ ପାଇଛି।