ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ପୁରାତନ ଛାତ୍ରୀ ଶ୍ବେତା ବେଉରା ସାର୍କ ପ୍ରଜାତିର ଏକ ମାଛ ଚିହ୍ନଟ କରିଛନ୍ତି। ସେ ଏବେ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଚେନ୍ନାଇରେ ଗବେଷିକା ଭାବେ କାର୍ଯ୍ୟରତ। ଆରବସାଗର କୂଳ ଭାରତ ସୀମାରୁ ସେ ଏହି ସାର୍କ ପ୍ରଜାତିର ମାଛକୁ ଆବିଷ୍କାର କରିଥିବା ସୂଚନା ମିଳିଛି। ଏହି ନୂତନ ପ୍ରଜାତି ମାଛକୁ ଡଗଫିସ୍ ସାର୍କ ‘ସ୍କ୍ୱାଲସ୍ ହିମା’ ନାମରେ ନାମକରଣ କରାଯାଇଛି।
ଏହି ଗବେଷଣାର ମୁଖ୍ୟ ଶ୍ୱେତା ବେଉରା ଓ ଜେଡ୍ଏସ୍ଆଇ ଚେନ୍ନାଇର ବୈଜ୍ଞାନିକ ଡ. ବିନେଶ କେକେଙ୍କ ଦ୍ୱାରା ଏହି ଆବିଷ୍କାର କରାଯିବା ସହ ଜେଡ୍ଏସ୍ଆଇ ଜର୍ଣ୍ଣାଲ୍ ‘ରେକର୍ଡ’ରେ ପ୍ରକାଶିତ ହୋଇଛି। ଏହି ପ୍ରଜାତିର ମାଛ ମେରୁଦଣ୍ଡୀ ଓ ମେରୁଦଣ୍ଡରେ ୮୪ ରୁ ୮୬ ଖଣ୍ଡ ହାଡ଼ ରହିଥାଏ। ଏହାର ରଙ୍ଗ ଧଳା, ମାଟିଆ ଓ କଳା ମିଶ୍ରିତ। ଏହାର ଉପର ମାଢ଼ିରେ ୧୧ଟି ଓ ତଳ ମାଢ଼ିରେ ୧୩ଟି ଦାନ୍ତ ରହିଛି। ଦାନ୍ତ ଗୁଡ଼ିକ ମୁନିଆ ଓ ଶକ୍ତ। ଏଭଳି ମାଛ ସମୁଦ୍ରର ୩ଶହରୁ ୬ଶହ ମିଟର ଗଭୀର ଜଳରେ ରହିଥାନ୍ତି l ମାଛର ଶରୀରରେ ଅଣ୍ଡା ପ୍ରସ୍ତୁତ ହୋଇଥାଏ ଓ ଏମାନେ ଛୁଆ ଦିଅନ୍ତି ବୋଲି ଗବେଷଣାରୁ ଜଣାଯାଇଛି। ଏହି ମାଛର ଲିଭର୍ ତେଲରେ ଔଷଧୀୟ ଗୁଣ ରହିଛି। ଦୁଇ ବର୍ଷ ଧରି ଏଥିନେଇ ପରୀକ୍ଷାନିରୀକ୍ଷା ଓ ଡିଏନ୍ଏ ପରୀକ୍ଷା ପରେ ଏହା ଏକ ନୂତନ ପ୍ରଜାତିର ବୋଲି ସ୍ପଷ୍ଟ ହୋଇଥିବା ଗବେଷିକା ବେଉରା କହିଛନ୍ତି।