ରାୟଗଡା: କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଅଦ୍ଭୂତପୂର୍ବ ପ୍ରତିକ୍ରିୟା ହାସଲ କରୁଥିବା ଦେଖିବାକୁ ମିଳିଛି।ନୂଆ ଷ୍ଟାର୍ଟଅପ ଆଇଡିଆ ସନ୍ଧାନରେ ଏହି ଯାତ୍ରା ଆଜି ରାୟଗଡ଼ା ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଛି। ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଗାନ୍ଧୀ ପବ୍ଲିକ ସ୍କୁଲ,ଗାୟତ୍ରୀ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏବଂ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ କମ୍ପ୍ୟୁଟର ଏବଂ ରିସର୍ଚ୍ଚ ରହିଛି। ଏହି ଗସ୍ତ ସମୟରେ ରାୟଗଡ଼ା ଜିଲ୍ଲାରେ ସମୁଦାୟ ୨୧ଟି ନୂଆ ଆଇଡିଆ ସଂଗ୍ରହ କରାଯାଇଥିବା ବେଳେ ସମୁଦାୟ ୪୦୧ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସର ୨୦୨୩ ସଂସ୍କରଣରେ ଚାରୋଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ବୋଲି ଜଣଆପଡିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି। ଜିଲ୍ଲା ସ୍ତରରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା, ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଅଦ୍ଭୂତପୂର୍ବ ପ୍ରତିକ୍ରିୟା ହାସଲ କରୁଥିବା କୁହାଯାଇଛି। ପୂର୍ବ ସଂସ୍କରଣର ଉଲ୍ଲେଖନୀୟ ସଫଳତା ପରେ ଚଳିତବର୍ଷ ଏହି ଷ୍ଟାର୍ଟଅପ ଯାତ୍ରା ୨୦୦ରୁ ଅଧିକ କଲେଜ ଏବଂ ୬୦ରୁ ଅଧିକ ବିଦ୍ୟାଳୟ ପରିଦର୍ଶନ କରି ଏହି ପ୍ରୟାସକୁ ଆହୁରି ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଥିବା କୁହାଯାଇଛି। ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp