ଭୁବନେଶ୍ବର : ଦେଶରେ ଦେଖା ଦେଇଥିବା କୋଭିଡର ନୂଆ ଉପ-ପ୍ରଜାତି ଏକ୍ସବିବି.୧.୧୬ ଘାତକ ନୁହେଁ। ନିକଟରେ ଭୂତାଣୁର କ୍ଲିନିକାଲ ଏବଂ ମହାମାରୀ ବିଶେଷତ୍ବର ପରୀକ୍ଷା ହୋଇଥିଲା। ଏହି ନୂଆ ପ୍ରଜାତି ଲୋକଙ୍କଠାରେ ମଧ୍ୟମ ଧରଣର ଲକ୍ଷଣ ସୃଷ୍ଟି କରୁଥିବା ବେଳେ ଗୁରୁତର ରୋଗ ସୃଷ୍ଟି କରିପାରିନାହିଁ। ଏକ୍ସବିବି.୧.୧୬ ପ୍ରଜାତିରେ ସଂକ୍ରମିତ ହୋଇଥିବା ୪୨ଜଣ ବ୍ୟକ୍ତିଙ୍କୁ ନେଇ ହୋଇଥିବା ପରୀକ୍ଷଣ‌ରେ ୩୬ଜଣ ବା ୮୭.୮ ପ୍ରତିଶତ ଚିକିତ୍ସା ଫଳରେ ସୁସ୍ଥ ହୋଇଛନ୍ତି। ଏ ସଂକ୍ରାନ୍ତୀୟ ପ୍ରାଥମିକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

Advertisment

ପୁନେସ୍ଥିତ ବିଜେଏମ୍‌ସିର ମାଇକ୍ରୋବାଇଓଲୋଜି ବିଭାଗର ମୁଖ୍ୟ ତଥା ମହାରାଷ୍ଟ୍ରର ଜିନୋମ ସି‌କ୍ବେନ୍ସିଂର ସଂଯୋଜକ ଡା.ରାଜେଶ କାର୍ଯ୍ୟକର୍ତେ କହିଛନ୍ତି, ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଆକ୍ରାନ୍ତ ଦୀର୍ଘଦିନରୁ ସିଓପିଡି ଓ ପ୍ରୋଷ୍ଟେଟ୍‌ ସମସ୍ୟା ଦେଇ ଗତି କରୁଥିଲେ। ପ୍ରାଥମିକ ପରୀକ୍ଷଣରେ ଏକ୍ସବିବି.୧.୧୬ରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କଠାରେ ମଧ୍ୟମ ଲକ୍ଷଣ ଦେଖିବାକୁ ମିଳିଛି ଓ ହସ୍ପିଟାଲରେ ଭର୍ତି ହେବା ଭଳି ବିଶେଷ ସ୍ଥିତି ଆସିନାହିଁ। ବିଶ୍ବସ୍ତରରେ ଏହି ଉପ-ପ୍ରଜାତିର ନାମକରଣ ହେବା ପୂର୍ବରୁ ଏହା ପୁନେରେ ଚିହ୍ନଟ ହୋଇଥିଲା। ଜିନୋମ ସିକ୍ବେନ୍ସିଂ ଫଳରେ ଏହି ନୂଆ ପ୍ରଜାତିକୁ ଚିହ୍ନଟ କରିବା ସହଜ ହୋଇଥିଲା। ଏହି ଉପ-ପ୍ରଜାତି ଦ୍ବାରା ମହାରାଷ୍ଟ୍ରରେ ୬୦ ପ୍ରତିଶତ ଲୋକ ଆକ୍ରାନ୍ତ ହୋଇଛନ୍ତି।

publive-image Outlook India

୪୨ଜଣଙ୍କୁ ନେଇ ହୋଇଥିବା ପରୀକ୍ଷଣରେ ୬ଜଣଙ୍କ ଜଟିଳ ରୋଗ ରହିଥିଲା। ୩୯ଜଣଙ୍କଠାରେ କରୋନାର ଲକ୍ଷଣ ରହିଥିଲା। ୧୨ଜଣ ହସ୍ପିଟାଲରେ ଭର୍ତି ହୋଇଥିବା ବେଳେ ୨୭ଜଣ ଗୃହ ସଙ୍ଗରୋଧରେ ରହିଥିଲେ। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୪ଜଣଙ୍କୁ ଅକ୍ସିଜେନ୍‌ର ଆବଶ୍ୟକତା ପଡ଼ିଥିଲା। ପରୀକ୍ଷଣରେ ସାମିଲ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସିଙ୍ଗାପୁର ଗସ୍ତ କରିଥିବା ବେଳେ ଅନ୍ୟ ୩ଜଣ ଦେଶ ଭିତରେ ଅନ୍ୟ ସ୍ଥାନକୁ ଯାଇଥିଲେ। ଏହାସହ ୩୧ଜଣ ଡବଲ ଡୋଜ୍ ଟିକା ନେଇଥିବା ବେଳେ ୪ଜଣ ଟିକା ନେଇ ନ ଥିଲେ। ୨ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ୨୪ଜଣ ଦ୍ବିତୀୟ ଡୋଜ୍ ନେଇଥିଲେ। ସେହିପରି ୧୧ଜଣ ବୁଷ୍ଟର ଡୋଜ୍ ନେଇଥିଲେ। ବୁଷ୍ଟର ଡୋଜ୍ ଯୋଗୁଁ ଆକ୍ରାନ୍ତ ଗୁରୁତର ହେବା ଆଶଙ୍କା ହ୍ରାସ ପାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ଏକ୍ସବିବି.୧.୧୬ର ଲକ୍ଷଣ ଓମିକ୍ରନ୍ ସହିତ ସମାନ ରହିଛି। ରୋଗୀଙ୍କଠାରେ ଜ୍ବର, ଥଣ୍ଡା, ମାଂଶପେଶୀରେ ଯନ୍ତ୍ରଣା, ଦୁର୍ବଳ, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା, ମୁଣ୍ଡବିନ୍ଧା ଓ ଗଳା ଦରଜ ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା।

ଅପରପକ୍ଷରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଏକ୍ସବିବି.୧.୧୬ ଉପରେ ନଜର ରଖିଥିବା କୁହାଯାଇଛି। ‘ହୁ’ର ସଂକ୍ରମଣ ରୋଗ ବିଶେଷଜ୍ଞ ମାରିଆ ଭାନ୍ କେରଖୋଭ କହିଛନ୍ତି, କୋଭିଡର ଏହି ଉପ-ପ୍ରଜାତିର ବିକାଶ ଜାରି ରହିଛି। ବର୍ତ୍ତମାନସୁଦ୍ଧା ଏହା ଉପରେ ବିଶେଷ କିଛି ଅନୁମାନ ଲଗାଇବା ଠିକ୍ ହେବନାହିଁ। ଏକ୍ସବିବି.୧.୧୬ର ବିଶେଷତ୍ବ ଏକ୍ସବିବି.୧.୫ ସହିତ ସମାନ। ମାତ୍ର ସ୍ପାଇକ ପ୍ରୋଟିନ୍‌ରେ କେତେକ ପରିବର୍ତନ ଦେଖିବାକୁ ମିଳିଛି। ଭାରତରେ ଏକ୍ସବିବି.୧.୬ ଅନ୍ୟ ପ୍ରଜାତିକୁ ହଟାଇବାରେ ସଫଳ ହୋଇଛି। ବିଶ୍ବର ୨୨ଟି ଦେଶରେ ୮ଶହ ନମୁନାର ଜିନୋମ ସିକ୍ବେନ୍ସିଂ ହୋଇପାରିଛି। ଲାବ୍ ପରୀକ୍ଷଣରୁ ଏହି ଉପ-ପ୍ରଜାତିର ସଂକ୍ରମଣ କ୍ଷମତା ଅଧିକ ରହିଛି। ଗତ କିଛିମାସ ଏହା ଘୂରି ବୁଲୁଛି। ମାତ୍ର ଲୋକଙ୍କଠାରେ ଏହା ଯୋଗୁଁ ଗୁରୁତର ସଂକ୍ରମଣ ନଜରକୁ ଆସି ନ ଥିବା ସେ କହିଛନ୍ତି।